ପାରଳାଖେମୁଣ୍ଡି/ମୋହନା/ଦିଗପହଣ୍ଡି/ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବାପତାଲା ଜିଲ୍ଲା ବାଲିକୁରୁଭା ମଣ୍ଡଳ ମାଲ୍ୟାପେଲମ୍ ଗ୍ରାମରେ ଥିବା ଏକ ପଥରକ୍ବାରିରେ ଆଜି ଭୟଙ୍କର ବିସ୍ଫୋରଣରେ ୬ ଜଣ ଓଡ଼ିଆ ଦାଦନଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ର ୨ ଜଣ, ଧରାକୋଟ ବ୍ଲକ୍ର ୨ ଜଣ ଓ ଗଜପତି ଜିଲ୍ଲା ମୋହନା ବ୍ଲକ୍ର ୨ ଜଣ ରହିଛନ୍ତି। ୧୦ରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆହୁରି କିଛି ଶ୍ରମିକ ଏବେ ବି ପଥର ତଳେ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ସରକାର ମୃତକଙ୍କ ପରିବାର ବର୍ଗଙ୍କୁ ୧୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି। ପଥର ଖଣି ମାଲିକ ଏହି ଟଙ୍କା ପ୍ରଦାନ କରିବାକୁ ଆନ୍ଧ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ଗଜପତିରୁ ୨
୧୦ ଗୁରୁତର, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା
ମୁଖ୍ୟମନ୍ତ୍ରୀଙ୍କ ଶୋକ ଓଡ଼ିଶା ୪ ଲକ୍ଷ, ଆନ୍ଧ୍ର ଦେବ ୧୪ ଲକ୍ଷ ସହାୟତା
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଚଷାନିମଖଣ୍ଡି ଗ୍ରାମର ବବୁରୁ ଓରଫ ଦଣ୍ଡ ବାଡ଼ତ୍ୟା (୪୫), ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମର ବନମାଳୀ ବେହେରା (୩୨), ଧରାକୋଟ ବ୍ଲକ୍ ବାହାଡ଼ାଗୁଡ଼ା ଗ୍ରାମର ଦୁଃଶାସନ ଜେନା (୪୩) ଓ ରୁଗୁମୁ ଗ୍ରାମର ସନ୍ତୋଷ ଗୌଡ଼ଙ୍କ ଏହି ଅଘଟଣରେ ମୃତ୍ୟୁ ଘଟିଛି। ସେହିପରି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଢେପାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲରା ଗ୍ରାମର ଭାସ୍କର ବିଷୋୟୀ (୪୦) ଏବଂ ଟୁକୁନା ଦଳାଇ (୩୭)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାସେ ତଳେ ଉଭୟ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମୃତ ଟୁକୁନାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ଭାସ୍କରଙ୍କ ୩ ମାସର ଏକ ଶିଶୁକନ୍ୟା ଅଛି। ସମସ୍ତ ମୃତକଙ୍କ ପରିବାରବର୍ଗ ଭାଙ୍ଗିପଡ଼ିଛନ୍ତି। ମୃତଦେହ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
ସୂଚନା ଅନୁସାରେ ବାଲିକୁରୁଭାରେ ଏକ ଘରୋଇ ପଥରକ୍ବାରିରେ ଆଜି ପ୍ରାୟ ୨୦ ଜଣ ଶ୍ରମିକ କାମ କରୁଥିଲେ। ବିସ୍ଫୋରଣ କରି ପଥର ଫଟାଇବା ସମୟରେ କିଛି ଶ୍ରମିକ ବଡ଼ ପଥର ତଳେ ଚାପି ହୋଇ ରହିଯାଇଥିଲେ। ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ନାର୍ସାରାଓପେଟା ମେଡିକାଲରେ ଚିକିତ୍ସାଧୀନ ଥିବା ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡ଼ୁ ଆହତଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାପତାଲା ଜିଲ୍ଲାପାଳ ଭି.ଭେଙ୍କଟ ମୁରଲୀ, ଏସ୍ପି ତୁଷାର ଦୁଦି ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି।