କୁହିକା : ସୁକିନ୍ଦା ତହସିଲ ଅନ୍ତର୍ଗତ ନିଜଗଡ଼ ଓ କାଙ୍କଡ଼ପାଳ ରାଜସ୍ବ ସର୍କଲ ମହାଗିରି ପର୍ବତ ତଳ ଅଞ୍ଚଳ ପଥର ମାଫିଆଙ୍କ କବ୍ଜାରେ ରହିଛି। ପାହାଡ଼ ତଳ ଅଞ୍ଚଳରୁ ବ୍ୟାପକ ମାଙ୍କଡ଼ା ପଥର ଲୁଟ ହେଉଥିବା ଦେଖାଯାଇଛି। ସବୁ ସରକାରୀ ନିୟମକାନୁନକୁ ମୋଡ଼ି ମକଚି ବିନା ଲିଜରେ ମାଙ୍କଡ଼ା କାଟି ଚାଲାଣ କରାଯାଉଛି। କେତେକ ଖାଦାନ ପରିତ୍ୟକ୍ତ ହୋଇପଡ଼ିଥିବା ବେଳେ ଆଉ କେତେକ ଖାଦାନ ଚାଲୁ ଅବସ୍ଥାରେ ରହିଛି। ଖାଦାନରୁ ପ୍ରଚୁର ପରିମାଣର ପଥର କଟାଯାଇ ଚାଲାଣ ହେଉଛି। ପିମ୍ପୁଡିଆ ପଞ୍ଚାୟତ ବାଲିଅଞ୍ଜରି, ପିମ୍ପୁଡ଼ିଆ, ଅର୍ଜୁନଝର ଆଦି କେତେକ ସ୍ଥାନରେ କିଛି ପୂର୍ବରୁ ଖଣିଥିବା ବେଳେ କିଛି ଖଣି ତାଜା ଲାଗୁଥିବା ଦେଖିବାକୁ ମିଳିଛି। ସେହିପରି କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି, ନୂଆପାରି, ଦୁଧୁଯୋରୀ ପଞ୍ଚାୟତ, ବଉଳପାଳ, କଞ୍ଚିଛଆ, ବନ୍ଧଗାଁ ପଞ୍ଚାୟତର କେତେକ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଉଭୟ ସୁକିନ୍ଦା ଓ ରାଁସୋଳ ବନ ଉପଖଣ୍ତ ଅନ୍ତର୍ଗତ ଜଙ୍ଗଲ କିସମ ଜମିରୁ ଏଭଳି ବେଆଇନ କାରବାର ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବେଳେ ପ୍ରଶାସନର କୋହଳ ମନୋଭାବ ହେତୁ ମାଫିଆମାନେ ଅବାଧରେ ଦିନର ନହେଲେ ରାତିରେ ମାଙ୍କଡ଼ା ପଥର କାଟି କିଛି କରି ମୁନାଫା କମାଇ ଚାଲିଛନ୍ତି। ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ବର୍ଷା ଦିନେ ଉକ୍ତ ପରିତ୍ୟକ୍ତ ଖଣି ନିକଟସ୍ଥ ଗ୍ରାମଗୁଡ଼ିକର ଛୋଟ ପିଲା, ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଛି। ବିଗତ ବର୍ଷଗୁଡ଼ିକରେ ଏହି ବେଆଇନ ପଥର ଖାଦାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ବିଭାଗୀୟ ଅଧିକାରୀ ମଧୢ ମାଫିଆଙ୍କ ଠାରୁ ହାତଚିକଣ କରୁଥିବା ଅଭିଯୋଗ ହେଉଛି।
ମାଫିଆଙ୍କ କବ୍ଜାରେ ମହାଗିରି ପର୍ବତାଞ୍ଚଳ : ବେଆଇନ ଭାବେ ଚାଲିଛି ମାଙ୍କଡ଼ା ପଥର ଲୁଟ
/sambad/media/post_attachments/wp-content/uploads/2018/10/hill.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)