ଏଣିକି ତ୍ରୈମାସିକ ପରୀକ୍ଷା: ଛାତ୍ରଛାତ୍ରୀମାନେ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ

ପରୀକ୍ଷାର୍ଥୀ ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କଲେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ

ଭୁବନେଶ୍ବର : ଏଣିକି ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ତ୍ରୈମାସିକ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷାର ସମ୍ମୁଖୀନ ହେବେ। ଅର୍ଥାତ୍‌ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ‌ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ। କରୋନା ପାଇଁ ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା କରାଯାଇଛି। ଏନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେଷ ହୋଇଛି। ବିଭାଗୀୟ ଅଧିକାରୀ ଓ ପରୀକ୍ଷା ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏଭଳି ବ୍ୟବସ୍ଥା ସପକ୍ଷରେ ଅଛନ୍ତି। ମାତ୍ର ଉକ୍ତ ତ୍ରୈମାସିକ ପରୀକ୍ଷାଗୁଡ଼ିକର ମାର୍କକୁ ମୁଖ୍ୟ ପରୀକ୍ଷା ସହ ମିଶାଯିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

ତ୍ରୁଟି ଥିଲେ ୧୬ ସୁଦ୍ଧା ଆବେଦନ
ପରୀକ୍ଷାର୍ଥୀମାନଙ୍କର ରେଜଲ୍ଟରେ ତଥ୍ୟ ଆଧାରିତ କୌଣସି ପ୍ରକାର ତ୍ରୁଟି ଥିଲେ ସେମାନେ ଉପଯୁକ୍ତ ପ୍ରମାଣ ସହ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିପାରିବେ। ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଯଦି ସତ୍ୟତା ଥିବ ତେବେ ମାର୍କସିଟ୍‌ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିତ୍‌କୁ ଆଟେଷ୍ଟେଡ୍‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ସ୍ବତନ୍ତ୍ର ଇ-ମେଲ୍‌ରେ ୧୯ ତାରିଖ ସୁଦ୍ଧା ପଠାଇବେ। ଏସଂକ୍ରାନ୍ତରେ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ।

ସପ୍ତାହକ ମଧ୍ୟରେ ରି-ଆଡିସନ୍‌ ବିଜ୍ଞପ୍ତି
୪ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ମାତ୍ର ମାର୍କ ରି-ଆଡିସନ୍‌ ନେଇ ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ଜାରି ହୋଇ ନଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ। କେବେ ଆବେଦନ କରାଯିବ ସେନେଇ ଦ୍ବନ୍ଦ୍ବରେ ଥିବା ବେଳେ ପରିଷଦ ପକ୍ଷରୁ କୁହାଯାଇଛି ଯେ ମାର୍କ ରି-ଆଡିସନ୍‌ ନେଇ ପରିଷଦ ପକ୍ଷରୁ ସପ୍ତାହ ମଧ୍ୟରେ ସବିଶେଷ ବିଜ୍ଞପ୍ତି ଜାରି ହେବ।

୧୯ ସୁଦ୍ଧା ତତ୍କାଳ ପରୀକ୍ଷାସୂଚୀ
ଏଥର ଅଫ୍‌ଲାଇନ୍‌ରେ ଇନଷ୍ଟାଣ୍ଟ(ତତ୍କାଳ) ପରୀକ୍ଷା ହେବା ନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଏହି ତତ୍କାଳ ପରୀକ୍ଷା ସମ୍ପର୍କରେ ସବିଶେଷ ସୂଚନା ଅଗଷ୍ଟ ୧୯ ସୁଦ୍ଧା ପ୍ରକାଶ କରାଯିବ। ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ପିଲା ସଂଖ୍ୟାକୁ ଦେଖି କେବେ ପରୀକ୍ଷା କରାଯିବ ସେନେଇ ସୂଚନା ଦିଆଯିବ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର