ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ଥିବା କୃଷି କର୍ମଚାରୀଙ୍କ ଆବାସିକ କାର୍ଯ୍ୟାଳୟ

ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ କୃଷି କର୍ମଚାରୀଙ୍କ ନିମନ୍ତେ ପ୍ରାୟ ୩୦ବର୍ଷ ତଳେ ଆବାସିକ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ କୋଠା ନଷ୍ଟ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ସରକାର କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ଅନେକ ‌ଯୋଜନା କରୁଥିବା ବେଳେ କୃଷି କର୍ମଚାରୀଙ୍କ ରହିବା ନିମନ୍ତେ ଆବଶ୍ୟକ ସରକାରୀ ବାସଗୃହର ସୁବିଧା କରୁନାହାନ୍ତି। ଦୁଡୁକାବାହାଲରେ ଥିବା କୃଷି କର୍ମଚାରୀଙ୍କ ଆବାସିକ କାର୍ଯ୍ୟାଳୟ କୋଠା ନିଶ୍ଚିହ୍ନ ହୋଇଯାଇଛି। ସେହିପରି ଶଙ୍କରଡାରେ ଥିବା କୋଠାର କବାଟ ଓ ଝରକା ନଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ତଳେ ରାସ୍ତା ପାର୍ଶ୍ବରେ ଜନଶୂନ୍ୟ ସ୍ଥାନରେ ଏହି କୋଠା ନିର୍ମାଣ କରାଯାଇଥିଲା। କିନ୍ତୁ କୋଠା ନିର୍ମାଣ ହେବା ଦିନ ଠାରୁ ଏଠାରେ କେହି ରହୁନଥିବା ଜଣାପଡିଛି। ଅନ୍ୟପଟେ ଗୋରଖପୁର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଭିଏଡବ୍ଲୁ କ୍ବାର୍ଟର୍ସ ଜବରଦଖଲରେ ଥିବା ଅଭିଯୋଗ ହୋଇଛି। ସେହିପରି ରେଙ୍ଗା ଗ୍ରାମରେ ଥିବା କ୍ବାର୍ଟର୍ସ ମଧ୍ୟ ଭଙ୍ଗାରୁଜା ଅବସ୍ଥାରେ ରହିଛି। ଟିକିରିରେ ଥିବା କୃଷି ବିଭାଗର କ୍ବାର୍ଟର୍ସର ଅବସ୍ଥା ଭଲ ଥିବା ବେଳେ ଏଠାରେ ବିଭାଗୀୟ ଅଧିକାରୀ ରହୁଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ସରକାରୀ କୋଠା ଗୁଡିକ ନିର୍ମାଣ କରାଯାଉଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ଲାଗିଛି। ପରିତ୍ୟକ୍ତ ଅବସ୍ଥାରେ ଥିବା କୃଷି ବିଭାଗର କୋଠା ଗୁଡିକର ମରାମତି କରିବା ସହିତ ନାମଫଳକ ଲଗାଇବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର