ପଦ୍ମପୁର: ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ ଓଡ଼ିଶାର ୩ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ କାମ କରିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହେଉଥିଲେ। ଯାହାଙ୍କୁ ଟ୍ବିଟର୍‌ ରାଣୀ ତଥା ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି। ସେମାନେ ବର୍ତ୍ତମାନ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ପୁଟୁକିଡୁଙ୍ଗୁରୀ ଗ୍ରାମର କିଛି ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ। ତାଙ୍କ ସହ ପଡ଼ୋଶୀ ଜିଲ୍ଲା ନୂଆପଡ଼ା ଓ ବଲାଙ୍ଗୀରର ମଧ୍ୟ କିଛି ଶ୍ରମିକ ଥିଲେ। ସେଠାରେ ଇଟାଭାଟି ମାଲିକ ପ୍ରଥମେ କିଛିଦିନ ଭଲ ବ୍ୟବହାର ଦେଖାଇଥିଲା। ପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲା। ସେମାନେ ଜଣେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ। ଦୀପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ପୁଲିସ୍‌ଙ୍କୁ ଟ୍ୱିଟର୍‌ ମାଧ୍ୟମରେ ଯୋଗାଯୋଗ କରିଥିଲେ।

ସେମାନେ ତତ୍ପରତା ସହ ତିରୁପତି ପୁଲିସ୍‌କୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଓଡ଼ିଶା ଶ୍ରମ ବିଭାଗ କମିସନର ଥିରୁମାଲା ନାଏକ ମଧ୍ୟ ତିରୁପତି ପୁଲିସ୍‌ ଏବଂ ଶ୍ରମ ବିଭାଗ ସହ ଯୋଗାଯୋଗ କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜଣେଇ ଥିଲେ। ଶନିବାର ସ୍ଥାନୀୟ ପୁଲିସ ଏବଂ ଶ୍ରମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶ୍ରମିକମାନଙ୍କ ଦୁଃଖ ବୁଝିଥିଲେ। ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିବାରୁ ସ୍ଥାନୀୟ ପୁଲିସ୍‌ ଉକ୍ତ ଶତାଧିକ ଦାଦନ ଶ୍ରମିକଙ୍କ ପାଇଁ ଟିକେଟ୍‌ ବ୍ୟବସ୍ଥା କରି ଟ୍ରେନ୍‌ ଯୋଗେ ପଠେଇଛନ୍ତି। ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।