ବଲାଙ୍ଗୀର: ବଲାଙ୍ଗୀରର ରାଣୀପୁର ଝରିଆଲ ଯୋଗିନୀ ପୀଠ କେନ୍ଦ୍ର ସରକାରଙ୍କ ‘ପ୍ରସାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ପୁରୀ ରାମଚଣ୍ଡୀ ମନ୍ଦିରର ପୁନରୁଦ୍ଧାର ଓ ଉନ୍ନତୀକରଣ ପରେ ରାଣୀପୁର ଝରିଆଲର ଉନ୍ନତୀକରଣ କରାଯିବା ନେଇ ଗୁରୁତ୍ୱ ପ୍ରଦାନ କରାଯାଉଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହି ଯୋଜନାରେ ରାଣୀପୁର ଝରିଆଲର ଉନ୍ନତୀକରଣ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜାନରେ ସାରା ଦେଶର ୨୬ଟି ମନ୍ଦିରର ଉନ୍ନତି ପାଇଁ ଯୋଜନା ଥିବା ବେଳେ ରାଣୀପୁରଝରିଆଲ ସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିର ସେ ମଧ୍ୟରୁ ଅନ୍ୟତମ। ରାଷ୍ଟ୍ରୀୟ ସ୍ତରରେ ଏହି ମନ୍ଦିରର ଭିତ୍ତିଭୂମିର ଉନ୍ନତୀକରଣ ପାଇଁ ବଛାଯାଇଛି। ଯାହା ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଚିହ୍ନଟ କରିବା ସହ ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ମନ୍ଦିରର ରାସ୍ତା, ପାର୍କିଂ ବ୍ୟବସ୍ଥା, ଦୋକାନବଜାର, ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଅବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଇ ଦିଆଯିବ। ଏପର୍ଯ୍ୟନ୍ତ ଉକ୍ତ ମନ୍ଦିରରେ ଏସବୁ ସୁବିଧା ନଥିବାରୁ ପର୍ଯ୍ୟଟକମାନେ ବହୁ ହଇରାଣ ହେଉଛନ୍ତି। ପର୍ଯ୍ୟଟନ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ବର୍ଷ ୭୯ ହଜାର ୫୩୫ ଜଣ ପର୍ଯ୍ୟଟକ ରାଣୀପୁର ଝରିଆଲ ପରିଦର୍ଶନ କରିଥିବା ବେଳେ ୨୦୨୧ରେ ସମୁଦାୟ ୭୪ ହଜାର ୨୩୫ ଜଣ ପର୍ଯ୍ୟଟକ ମନ୍ଦିର ପରିଦର୍ଶନ କରିଥିଲେ। ସାରା ଦେଶରେ ପ୍ରାୟ ୧୧ଟି ଯୋଗିନୀ ପୀଠରୁ ମଧ୍ୟରୁ ଏହା ଅନ୍ୟତମ। ଏହି ପୀଠ ପୁରାଣ କାଳରୁ ଯୋଗିନୀ ପୂଜା ପାଇଁ ପ୍ରସିଦ୍ଧି ପାଇଛି। ଏହି ମନ୍ଦିରର ଦୈର୍ଘ୍ୟ ୪୦ ଫୁଟ୍, ପ୍ରସ୍ଥ ୪୦ ଫୁଟ ରହିଥିବା ବେଳେ ଉଚ୍ଚତା ୩୬ ଫୁଟ ରହିଛି। ମନ୍ଦିରର ଗର୍ଭ କକ୍ଷରେ ଶିବପାର୍ବତୀଙ୍କ ପ୍ରତିମା ରହିଛି। ଯାହାକୁ ୬୪ଟି ଯୋଗିନୀ ଘେରି ରହିଛନ୍ତି। ମନ୍ଦିରଟି ଦଶମ କିମ୍ବା ଏକାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ। ଗତ ଅଗଷ୍ଟ ମାସରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏହି ପୀଠକୁ ପରିଦର୍ଶନ କରିଥିବା ବେଳେ ଆଜି ସିଏମ୍ଓ ଅଫିସ୍ର କେତେକ ଅଧିକାରୀ ମନ୍ଦିର ପରିଦର୍ଶନ କରି ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fhfhffff-1.jpg)