ସମ୍ବଲପୁର: ଏଭଳି ଜଳଯୋଗାଣ ବ୍ୟବସ୍ଥା ଜାରି ରହିଲେ ସମ୍ବଲପୁରରେ ପୁଣି ୨୦୧୪ ଭଳି ଜଣ୍ଡିସ୍ ବ୍ୟାପିବ। ସମ୍ବଲପୁର ଏସ୍ଏମ୍ସି ଅନ୍ତର୍ଗତ ମହାବୀରପଡ଼ା, ଧନୁପାଲି ଓ ମାନେଶ୍ବର ବଜାର ଅଞ୍ଚଳରେ ଅଶୋଧିତ ଜଳଯୋଗାଣ ନେଇ ୱାଟ୍କୋର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସମ୍ବଲପୁର ମୁଖ୍ୟ ଜିଲ୍ଲା ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ (ଏଡିଏଚ୍ଓ) ଡାକ୍ତର ଅଶୋକ ଦାସ। ଏଠାରେ କିଛି ଅଞ୍ଚଳର ପାଇପ୍ଲାଇନ୍ ନଷ୍ଟ ହୋଇଯାଇଛି। ଏଚ୍ଟୁଏସ୍ ରିପୋର୍ଟରେ ପାଣିରେ ମଳ ସଂକ୍ରମିତ ଥାଇପାରେ ବୋଲି କୁହାଯାଇଛି।
୨୦୧୪ରେ ସମ୍ବଲପୁରରେ ଜଣ୍ଡିସ୍ ମହାମାରୀ ରୂପ ନେଇଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଥିଲେ। ଦୂଷିତ ଜଳଯୋଗାଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସି ୧୦୦୦ କୋଟି ଟଙ୍କାର ପାଣି ପ୍ରକଳ୍ପ ଘୋଷଣା କରିଥିଲେ। ପ୍ରକଳ୍ପ ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ତେବେ ଏହା ପରେ ବି ସମ୍ବଲପୁର ସହରରୁ ଜଣ୍ଡିସ୍ ନିୟନ୍ତ୍ରିତ ହୋଇପାରି ନାହିଁ। ୨୦୧୯ ଓ ୨୦୨୪ ମସିହାରେ ମଧ୍ୟ ସହରରେ ଜଣ୍ଡିସ୍ ବ୍ୟାପିଥିଲା। ଏହାସତ୍ତ୍ବେ ଜଳଯୋଗାଣ ଦାୟିତ୍ବରେ ଥିବା ପୂର୍ବର ଜନସ୍ବାସ୍ଥ୍ୟ ବିଭାଗ ଓ ବର୍ତ୍ତମାନର ୱାଟ୍କୋ ଚେତି ନାହିଁ। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଆହୁରି କୁହାଯାଇଛି ଯେ ସେପ୍ଟେମ୍ବର ୩ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏସ୍ଏମ୍ସି ଅନ୍ତର୍ଗତ ମାନେଶ୍ବର ଓ ବରେଇପାଲି ଅଞ୍ଚଳରୁ ପାଣି ନମୁନା ସଂଗ୍ରହ କରିଥିଲେ। ଏଚ୍ଟୁଏସ୍ ପରୀକ୍ଷଣରେ ମାନେଶ୍ବର ଅଞ୍ଚଳର ପାଣି ଅସୁରକ୍ଷିତ ଜଣାପଡ଼ିଥିଲା। ସର୍ବୋପରି ତାହା ଗୋଳିଆ ଓ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ଉକ୍ତ ପାଣି ବିଶୁଦ୍ଧିକରଣ ହୋଇ ନଥିବା ଦର୍ଶାଯାଇଛି।
ଏଭଳି ଜଳଯୋଗାଣ ଜାରି ରହିଲେ ଚର୍ମ, ଜଣ୍ଡିସ୍, ଡାଇରିଆ ପ୍ରଭୃତି ରୋଗ ମହାମାରୀ ରୂପ ନେବାର ଆଶଙ୍କା ରହିଛି। ଏହାକୁ ଏଡ଼ାଇବା ଲାଗି ଏସ୍ଏମ୍ସି ଅଞ୍ଚଳରେ ପାଣି ପାଇପ୍ ମରାମତି ସହିତ ବିଶୁଦ୍ଧ ଜଳଯୋଗାଣ ନିମନ୍ତେ କ୍ଲୋରିନ୍ ପକାଇବାକୁ ପରାମର୍ଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଡାକ୍ତର ଅଶୋକ ଦାଶ କହିଛନ୍ତି, ସମ୍ବଲପୁରରେ ଏବେ ଜଣ୍ଡିସ୍ ସ୍ଥିତି ନାହିଁ। କେବଳ ୱାଟ୍କୋକୁ ସତର୍କ କରାଇବା ଓ ସେମାନେ ଗମ୍ଭୀରତାର ସହ ଯେଭଳି ନିଜ କାର୍ଯ୍ୟ କରିବେ, ସେଥିପାଇଁ ଏହି ଚିଠି କରାଯାଇଥିଲା।
ଅନ୍ୟପକ୍ଷରେ ୱାଟ୍କୋ ଜିଏମ୍ ବ୍ରହ୍ମେଶ୍ବର ଦାସ କହିଛନ୍ତି, କିଛି ଦିନ ତଳେ ମହାବୀରପଡ଼ା ଅଞ୍ଚଳରେ ପାଣି ପାଇପ୍ ଲିକେଜ୍ ହୋଇଥିଲା। ତୁରନ୍ତ ତାର ମରାମତି କରାଯାଇଛି। ଜଳଯୋଗାଣ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏଥିରେ କୌଣସି ଅସୁବିଧା ନାହିଁ।