ଭୁବନେଶ୍ୱର: ଆଜି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଛି। ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ହାୱଡ଼ା- ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି। ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ଏହି ଅତ୍ୟାଧୁନିକ ଟ୍ରେନ୍ ରହିଥିଲା । ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ଗୋଟାଏ ୫୦ ମିନିଟରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଛାଡିଥିଲା । ତେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି | ତେବେ କେନ୍ଦ୍ରମନ୍ତ୍ରୀ କେବଳ ଏହି ଭିଡିଓ ପୋଷ୍ଟ କରିନାହାନ୍ତି ବରଂ ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ପଚାରିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏକ ବେଳାଭୂମି ଦେଇ ଯାଉଛି | କହିଲେ ଏହା କେଉଁ ରାଜ୍ୟ ? କିଛି ୟୁଜର୍ସ ଏହାକୁ ଅନ୍ୟ ରାଜ୍ୟର କହିଥିବାବେଳେ ଓଡ଼ିଆ ୟୁଜର୍ସମାନେ କହିଛନ୍ତି ଯେ ଏହା ହେଉଛି ଚିଲିକା |
Vande Bharat spotted on this coast line.
Guess the state⁉️ pic.twitter.com/duyAMqxrct
— Ashwini Vaishnaw (@AshwiniVaishnaw) April 27, 2023
ଅର୍ଥାତ ଚିଲିକା ଦେଇ ଯାଇଥିବା ରେଳପଥ ଦେଇ ବନ୍ଦେ ଭାରତ ଟ୍ରେନ ଯାଉଛି | ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସିବ ଯେ ଟ୍ରାଏଲ ରନ୍ ତ ହାୱଡ଼ା- ପୁରୀ ରୁଟରେ ହୋଇଛି, ତେବେ ବାଟରେ କେମିତି ଚିଲିକା ଆସିଲା ? ବାସ୍ତବରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ଆସି କୋଲକାତା ଯାଇଥିଲା | ଆଉ ଚେନ୍ନାଇରୁ ଆସିବାବେଳେ ଚିଲିକାକୁ ଅତିକ୍ରମ କରିବାବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଥିଲା | ବାସ୍ତବରେ କୋଲକାତାରେ ପ୍ରାଇମେରି ମେଣ୍ଟେନାନ୍ସ ୟୁନିଟ୍ରେ ଉକ୍ତ ଏକ୍ସପ୍ରେସର ଯାଞ୍ଚ ହୋଇଥିଲା | ଆଉ ନିୟମିତ ଭାବେ ଟ୍ରେନ୍ ଚାଲିବା ପୂର୍ବରୁ ୩ଟି ଟ୍ରାଏଲ୍ ରନ୍ କରାଯିବ, ପ୍ରଥମ ଟ୍ରାଏଲ ରନ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଛି |