କୁଳପତି ଚୟନ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ : ବିଶ୍ବବିଦ୍ୟାଳୟ ଇତିହାସରେ ଲଜ୍ଜାଜନକ ଘଟଣା

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ପୂର୍ବତନ କୁଳପତିଙ୍କ ସମେତ ୨୯ ବୁଦ୍ଧିଜୀବୀ

ଭୁବନେଶ୍ବର : ଯୋଗ୍ୟତା ଯାଞ୍ଚ, ମନୋନୟନ ଓ ମୌଖିକ ପରୀକ୍ଷା ପରେ ଇନ୍‌ଭିଜେଲେଟର ବା ନିରୀକ୍ଷକ ନିଯୁକ୍ତ କରି କୁଳପତି ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ କହିବା ବିଶ୍ବବିଦ୍ୟାଳୟ ଇତିହାସରେ ଏକ ଅଭୂତପୂର୍ବ ଓ ଲଜ୍ଜାଜନକ ଘଟଣା। ଏହାଦ୍ବାରା କୁଳାଧିପତି ତଥା ରାଜ୍ୟପାଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ସବୁ ପରମ୍ପରା ଓ ମୂଲ୍ୟବୋଧକୁ କୁଠାରାଘାତ କରିଛନ୍ତି। ଏହାଦ୍ବାରା ସାରା ଶିକ୍ଷକ ସମାଜର ମର୍ଯ୍ୟାଦା ଓ ଆତ୍ମସମ୍ମାନ ହାନି ହୋଇଛି। ୧୨ ପୂର୍ବତନ କୁଳପତିଙ୍କ ସମେତ ୨୯ ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟର କୁଳପତି ଚୟନ ପ୍ରକ୍ରିୟାକୁ ଏମିତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଯେଉଁଭଳି ଢଙ୍ଗରେ କୁଳାଧିପତି ତଥା ରାଜ୍ୟପାଳ କୁଳପତି ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରାଇଲେ, ତାହାକୁ ନେଇ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିବା ସହ କୁଳପତି ଚୟନ ପ୍ରକ୍ରିୟା‌ ଓ ଅଧ୍ୟାଦେଶ ସମ୍ପର୍କରେ ‌ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅବଗତ କରାଇଥିବା ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ, ଭାରତୀୟ ବିଶ୍ବବିଦ୍ୟାଳୟ ସଙ୍ଗଠନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି କୁଳପତି ଚୟନ ପ୍ରକ୍ରିୟା ତଥା ଆଶାୟୀ ପ୍ରଫେସର୍‌ଙ୍କ ଲିଖିତ ପରୀକ୍ଷା କରିବା ନେଇ ଏହି ଶକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିସାରିଛନ୍ତି।

ଆଜି ରାଜଧାନୀର ବୁଦ୍ଧ ମନ୍ଦିରଠାରେ ଆୟୋ‌ଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ୍‌ମା‌ନେ କହିଛନ୍ତି ଯେ କୁଳପତି ଓ ପ୍ରଫେସରଙ୍କ ଚୟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରଚଳିତ ପରମ୍ପରା ଦ୍ବାରା ହେବା ଆବଶ୍ୟକ। ଏଥିପାଇଁ ୟୁଜିସି ଗାଇଡ୍‌ଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ନୂତନ ଶିକ୍ଷାନୀତି-୨୦୨୦ରେ ମଧ୍ୟ ଶିକ୍ଷାକ୍ଷେତ୍ରକୁ ଅନ୍ତର୍ଜାତୀୟସ୍ତରର କରିବା କଥା କୁହାଯାଇଛି। ସ୍ୱତନ୍ତ୍ରତା ବିନା ଶିକ୍ଷାକ୍ଷେତ୍ର ଆଗକୁ ବଢ଼ିପାରିବ ନାହିଁ। ଏଥିପାଇଁ ସର୍ବପ୍ରଥମେ କୁଳପତି ଓ ପ୍ରଫେସରଙ୍କ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ରଖିବାକୁ ହେବ। ଏବେ ଯେଉଁ ଅଧ୍ୟାଦେଶ ବାହାରିଛି, ସେଥିରେ ଅଧ୍ୟାପକ ଚୟନକୁ ଅଣଅଧ୍ୟାପକଙ୍କ ହାତକୁ ଦିଆଯାଇଛି। ବିଶ୍ବର ନାମୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଏହି ଦାୟିତ୍ୱ ବିଶେଷଜ୍ଞଙ୍କ ହାତରେ ରହିଛି। ତେବେ ଓଡ଼ିଶାରେ ଏହାର ବିପରୀତ ଦେଖିବାକୁ ମିଳୁଛି। ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ବିଷୟରେ ଆଉଥରେ ବିଚାର କରନ୍ତୁ। ଶିକ୍ଷାବିତ୍‌ଙ୍କ ସହ ପରାମର୍ଶ ନ କରି ଶିକ୍ଷା ସମ୍ପର୍କୀୟ ନୀତି ନିର୍ଦ୍ଧାରଣ କରନ୍ତୁ ନାହିଁ। ଲିଖିତ ପରୀକ୍ଷା ଓ ନିରୀକ୍ଷକ ବ୍ୟବସ୍ଥା ହଟାଯାଉ। ବିଶ୍ବବିଦ୍ୟାଳୟଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଆତ୍ମନିର୍ଭଶୀଳ ହେଲେ ଗୁଣାତ୍ମକ ଶିକ୍ଷା, ଗବେଷଣାର ବିକାଶ ଘଟିବ। ଅଧିକ ସଂଖ୍ୟାରେ ଜ୍ଞାନୀ, ଗୁରୁ ସୃଷ୍ଟି ହୋଇପାରିବେ। ଏଥିପାଇଁ ଜ୍ଞାନଦାତା ତଥା କୁଳପତିଙ୍କୁ ସଚିବାଳୟ, ରାଜଭବନ ଓ ରାଜନୀତିରୁ ଊର୍ଦ୍ଧ୍ବରେ ରଖିବା ଆମ ସମସ୍ତଙ୍କ ପାଇଁ ଶୁଭଙ୍କର ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ଶିବପ୍ରସାଦ ରଥ, ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ପୂର୍ବତନ ନିର୍ବାଚନ ଆୟୋଗ ପରାମର୍ଶଦାତା ଡ.ଭଗବାନ ପ୍ରକାଶ, ଡ. ହେମେନ୍ଦ୍ର ନାରାୟଣ ଦାସ, ଉଚ୍ଚଶିକ୍ଷା ବିଭାଗ ପୂର୍ବତନ ଅତିରିକ୍ତ ନିର୍ଦେଶକ ଅମିୟ କୁମାର ମହାନ୍ତି, ସାମ୍ବାଦିକ ରବି ଦାସ ଓ ରାଜାରାମ ଶତପଥୀ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର