‘ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରାଯାଉନି କାହିଁକି?’ ମାହାଙ୍ଗାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପ୍ରଭାରୀଙ୍କ ପ୍ରଶ୍ନ

‘ମନ୍ତ୍ରୀ ଅରୁଣ, ରାଜାଙ୍କୁ ସୁରକ୍ଷା ଦିଆଯାଉଛି’

କଟକ/ମାହାଙ୍ଗା : ପୁଲିସ ଏତଲା‌ରେ ମନ୍ତ୍ରୀଙ୍କ ନାଁ ରହିଛି। ମାମଲା ମଧ୍ୟ ରୁଜୁ କରିଛି ପୁଲିସ। ହେଲେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରାଯାଉନି କାହିଁକି? ବୋଲି ରାଜ୍ୟ ସରକାରଙ୍କୁ ଟ‌ାର୍ଗେଟ କରି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡକ୍ଟର ଡି.ପୁରନ୍ଦେଶ୍ବରୀ। କେବଳ ସେତିକି ନୁହେଁ, ପରୀ ହତ୍ୟାକାଣ୍ଡ ଏବଂ ଆଠଗଡ଼ ଚାଷୀଙ୍କ ସମବାୟ ଦୁର୍ନୀତି ପ୍ରସଙ୍ଗରେ ଛନ୍ଦି ହୋଇଥିବା ମନ୍ତ୍ରୀ ଅରୁଣ ସାହୁ ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀମତୀ ପୁରନ୍ଦେଶ୍ବରୀ ଆଜି କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଭେଟିଥିଲେ। ପରେ ମାହାଙ୍ଗା ବ୍ଲକ୍‌ର ନୃତ୍ତାଙ୍ଗସ୍ଥିତ କୁଳମଣି ବରାଳଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଯଦି ମୁଖ୍ୟମନ୍ତ୍ରୀ ଏମାନଙ୍କ ପରିବାରକୁ ନ୍ୟାୟ ନ ଦିଅନ୍ତି, ତେବେ ସେମାନଙ୍କ ଅଭିଶାପ ସରକାରଙ୍କ ଉପରେ ନିଶ୍ଚିତ ପଡ଼ିବ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ସେ କହିଥିଲେ, ପରୀ ମାମଲା ଭଳି ପ୍ରସଙ୍ଗରେ ବି ଆଗକୁ ଯିବ ବିଜେପି। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ବଦଳରେ ବିଜେଡିର କର୍ମୀ ଆବାସ ନେଉଥିଲେ। ଏହି ଦୁର୍ନୀତି ପ୍ରସଙ୍ଗରେ କୁଳମଣି ବରାଳ ମୁହଁ ଖୋଲିବା ଫଳରେ ତାଙ୍କୁ ଏଭଳି ନିର୍ମମଭାବେ ହତ୍ୟା କରାଯାଇଛି। ‘‘ଦିବ୍ୟସିଂହ ବରାଳଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିଲୁ। ତାଙ୍କ ପୁଅ ଆମକୁ ପ୍ରଶ୍ନ କଲେ ବାପା ସମସ୍ତ ଅଭିଯୁକ୍ତଙ୍କ ନାଁ କହିଛନ୍ତି, ହେଲେ କଣ ପାଇଁ ଆଜି ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଉନି।’’ ସେ କହିଥିଲେ ଯେ ପୂର୍ବରୁ ମଧ୍ୟ ଦୁର୍ନୀତି ମାମଲାରେ ମୁହଁ ଖୋଲିଥିବାରୁ ବିକାଶ ଯେନାଙ୍କୁ ଏଭଳି ହତ୍ୟା କରାଯାଇଥିଲା। ଯଦି ଏହି ଦିଗରେ ସରକାର ସର୍ତକ ନ ହେବେ ତେବେ‌ ଆଗାମୀ ଦିନରେ ଭାରି ମୂଲ୍ୟ‌ ଦେବାକୁ ପଡ଼ିବ। ଡ. ପୁରନ୍ଦେଶ୍ବରୀଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡା, ବରିଷ୍ଠ ନେତା ପ୍ରକାଶ ମିଶ୍ର, ବିଧାୟକ ପ୍ରକାଶ ବେହେରା, ମାହାଙ୍ଗା ଯୁବନେତା ସାରଦା ପ୍ରଧାନ, ଜିଲ୍ଲା ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ଦିବ୍ୟସିଂହଙ୍କ ବୟାନ ମୃତ୍ୟୁକାଳୀନ ଜମାନବନ୍ଦୀ ହେଲାନି କାହିଁକି?: ପ୍ରକାଶ ମିଶ୍ର
କଟକ/ମାହାଙ୍ଗା : ମାହାଙ୍ଗାରେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କ ସାମ୍ବାଦିକ ସମ୍ମିଳନୀରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ମୁହଁ ଖୋଲିଥିଲେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର। ସେ କହିଥିଲେ, ଏଠାରେ ଦିବ୍ୟସିଂହ ବରାଳ ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଯେଉଁ ବୟାନ ଦେଇଥିଲେ ପୁଲିସ ତାକୁ ଗ୍ରହଣ କଲାନି କାହିଁକି? ଏହା ତଦନ୍ତର ସବୁଠାରୁ ବଡ ଦିଗ ଓ ପ୍ରମାଣ ମଧ୍ୟ। ଯିଏ ହତ୍ୟାକରିଛି ସେ ତ ଦୋଷୀ। କିନ୍ତୁ ‌ଯେଉଁମାନେ ଏହି ଷଡଯନ୍ତ୍ରରେ ସାମିଲ ସେମାନେ ମଧ୍ୟ ସମାନ ପରିମାଣରେ ଦୋଷୀ। ପୁଲିସର ତଦନ୍ତ ଠିକ୍‌ବାଟରେ ଯାଉ, ନଚେତ୍‌ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଯେଉଁମାନେ ଶାସକ ଦଳର ନେତା ସେମାନଙ୍କ ମନଲାଖି ଅଧିକାରୀଙ୍କୁ ଉପକୂଳ ଓଡ଼ିଶାରେ ନିଯୁକ୍ତି ଦେଇଥାନ୍ତି। ଆପଣ ଡିଜି ଥିଲେ; ସେଭଳି କରୁଥିଲେ କି ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ମୁଁ ଏଭଳି ନିଯୁକ୍ତି ଦେଉନଥିଲି ବୋଲି ବିଦା ହେଲି।’ ପୁଲିସର ଏଭଳି ବ୍ୟବସ୍ଥା ଦ୍ବାରା ଦିନ ଦ୍ବିପହରେ ହତ୍ୟା ହେଉଛି। ପୁଲିସ ଉପରେ ଚାପ ପଡୁଛି, ଉପଯୁକ୍ତ ତଦନ୍ତ ହୋଇପାରୁନି। ଫଳରେ ୫ହଜାର ପରୀ ଭଳି ଶିଶୁ ନିଖୋଜ ସଂକ୍ରାନ୍ତ ମାମଲା ତଦନ୍ତ ନହୋଇ ପଡିଛି।

ସମ୍ବନ୍ଧିତ ଖବର