ବୋରିଗୁମ୍ମା ଉପଖଣ୍ଡ ମାନ୍ୟତା ପାଇଁ ବିଧାନସଭାରେ ଉଠିଲା ପ୍ରଶ୍ନ

ଜୟପୁର: କୋରାପୁଟ ଜିଲ୍ଲାର ବୋରିଗୁମ୍ମାକୁ ଉପଖଣ୍ଡ ମାନ୍ୟତା ଦିଲେଇବାକୁ ନେଇ ଉଠିଛି ଦାବି। ଏହି ଦାବିକୁ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବାରମ୍ବାର ଦାବି ହେବା ପରେ ରାଜ୍ୟ ସରକାର ଉପଖଣ୍ଡସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନେଇ ନଥିବା କାରଣ କଣ, ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ଉପଖଣ୍ଡର ମାନ୍ୟତା ଦେବା ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ବିଚାର କରିବେ କି ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

ରାଜ୍ୟର ସବୁ ଠାରୁ ବଡ ବ୍ଲକ ଏବଂ ଅଧିକା ୩୧ଟି ପଂଚାୟତ ରହିଛି। ଏହା ସହ ଏହି ବ୍ଲକକୁ ଲାଗିକି ରହିଛି କୋଟପାଡ ବ୍ଲକ। ବୋରିଗୁମ୍ମା ବ୍ଲକରେ ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ୨ଟି ନବରଙ୍ଗପୁର ଓ କୋରାପୁଟସଂସଦୀୟ କ୍ଷେତ୍ର ଅର୍ନ୍ତଭୁକ୍ତ ରହିଛି। ଉଭୟ ବ୍ଲକର ବହୁ ଦୁର୍ଗମ ଗାଁର ଲୋକେ ଜୟପୁର ଉପଖଣ୍ଡର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କାମ ପାଇଁ ଆସିବାକୁ ଶହେରୁ ଦେଢ଼ ଶହ କିଲୋମିଟର ଦୂରତା ହେଉଥିବା ବେଳେ ଛୋଟ କାମ ପାଇଁ ବି ଦିନ ତମାମ ରହିବା ସହ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଲୋକଙ୍କ ନିକଟରେ ଏହି କାର୍ଯ୍ୟାଳୟ ରହିଲେ ସେମାନଙ୍କ ଜମିଜମା ଠାରୁ ଆରମ୍ଭ କରି ନିଜର ଏବଂ ନିଜ ଅଂଚଳର ବିଭିନ୍ନ ସମସ୍ୟା, ଆପତ୍ତିଅଭିଯୋଗ ଆଦି ବି ସହଜରେ କରିପାରିବେ ଏବଂ ସରକାର ବି ତ୍ବରିତ ସେବା ଯୋଗାଇ ପାରିବେ ବୋଲି ବିଧାୟକ କହିଥିଲେ।

ରାଜସ୍ବ ସବଡିଭିଜନ ଗଠନ ପାଇଁ ଦାବିପତ୍ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଥିବାକୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲୀକ ଉତ୍ତର ରଖିଥିଲେ। ଏଥି ପାଇଁ ରହିଥିବା ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଉପଖଣ୍ଡ ପାଇଁ ଆସିଥିବା ଦାବିପତ୍ର ଗୁଡିକ ଉପରେ ସରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର