ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜିର ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ ସୂଚନା ଦେଇଛନ୍ତି।

Advertisment

ସେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥାକୁ ସ୍ୱୀକାର କରିବା ସହ କହିଛନ୍ତି, ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି, ତେଣୁ ଆଜି ହେବାକୁ ଥିବା ଏଜୁକେସନ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି।ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କେବେ ପୁଣି ଏହି ପରୀକ୍ଷା କରାଯିବ ସେନେଇ ପରେ ସୂଚନା ଦିଆଯିବ ବୋଲି କୁଳପତି କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍‌ନେଟିକ୍ ପରୀକ୍ଷା ଥିଲା। ତେବେ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇ ସାରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଉକ୍ତ ପ୍ରଶ୍ନ ଗୁଡ଼ିକ ଟାଇପ୍‌ ହୋଇଥିବା ଏକ ପିଡିଏଫ୍‌ ଫାଇଲ୍‌ ଭାଇରାଲ୍ ହୋଇଥିଲା। ଅବଶ୍ୟ ଟାଇପ୍‌ ହୋଇଥିବା ଉକ୍ତ ସଫ୍‌ଟ କପିଟିରେ ଅନେକ ତ୍ରୁଟି ରହିଥିଲା। ପ୍ରଶ୍ନପତ୍ରର ଢାଞ୍ଚାଠାରୁ ମଧ୍ୟ ଏହା ଭିନ୍ନ ଥିଲା। ତେବେ ଏହା ଗତ ୧୧ ତାରିଖ ମଧ୍ୟରାତ୍ରି ପ୍ରାୟ ୧ଟା ବେଳେ ହ୍ବାଟ୍‌ସଆପ୍‌ରେ ପଠା ଯାଇଥିବା ଏକ ସ୍କ୍ରିନ୍ ସଟ୍ ମଧ୍ୟ ଏହା ସହିତ ଭାଇରାଲ୍ ହୋଇଥିଲା। ତେଣୁ ପ୍ରଶ୍ନପତ୍ରଟି ପରୀକ୍ଷାର ୩ ଦିନ ପୂର୍ବରୁ ପ୍ରଘଟ ହୋଇ ସାରିଥିବା ଅଭିଯୋଗରେ ଦର୍ଶା ଯାଇଥିଲା।

ତେବେ ଏହାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସଂପୂର୍ଣ୍ଣ ଖଣ୍ଡନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ରବୀନ୍ଦ୍ର ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଏହା ଏକ ଗୁଜବ। ଅଭିଯୋଗ ମିଳିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର ଅନୁସଂଧାନ କରାଯାଇଥିଲା।