ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ଗ୍ରାମାଞ୍ଚଳ ଭୋଟ୍ ହାତେଇବାକୁ ଆରମ୍ଭ କରିଥିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଗଲା ବୋଲି ତତ୍କାଳୀନ ସରକାର ଘୋଷଣା କରିଥିଲେ। ପାଖାପାଖି ୩୩୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଦାବି କଲେ ସରକାର। ହେଲେ ରାଜ୍ୟରେ ସରକାର ବଦଳିବା

Advertisment

ପରେ ଖୋଳତାଡ଼ରୁ ଜଣାପଡ଼ିଲାଣି ଯେ କେଉଁ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଇଛି ସେନେଇ ବିଭାଗ ପାଖରେ ତଥ୍ୟ ନାହିଁ। ଏହି ଯୋଜନା କିଏ କରୁଥିଲା, କେ‌ଉଁଠି କେତେ କାମ ହୋଇଛି ସେନେଇ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କିଛି ଜାଣିନାହାନ୍ତି ବୋଲି କହୁଛନ୍ତି। ତେଣୁ ପଞ୍ଚାୟତିରାଜ ବିଭାଗରେ ହୋଇଥିବା ଏହି ଅନିୟମିତତାର ତଦନ୍ତ ହେବ। ସତ କ’ଣ ଲୋକଲୋଚନକୁ ଅଣାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ମନ୍ତ୍ରୀଙ୍କର ଏଭଳି ସୂଚନା ପରେ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଏଥିସହିତ ବିଜେଡି ସରକାରର ସ୍ବଚ୍ଛତା ଉପରେ ବିଜେପି ସରକାର ବିଶାଳ ପ୍ରଶ୍ନଚିହ୍ନ ଆଙ୍କିଦେଇଛି। ତେବେ ଏହି ଘଟଣାର କିଭଳି ତଦନ୍ତ ହେବ, କିଏ କରିବ, ସେ ନେଇ ମନ୍ତ୍ରୀ କିଛି କହିନାହାନ୍ତି। ସାଧାରଣ ନିର୍ବାଚନର ଠିକ୍ ୬ମାସ ପୂର୍ବରୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଦିଆଗଲା ବୋଲି ଘୋଷଣା କରାଯାଇଥିଲା। ସରକାର କହିଥିଲେ, ଏଥିରେ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ କରାଯିବ। କେବଳ ସେତିକି ନୁହେଁ, ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହ କରିବା ଆଦି କାମ ମଧ୍ୟ ଏହାର ଅନ୍ତର୍ଭୁକ୍ତ ବୋଲି କୁହାଗଲା।

ପଞ୍ଚାୟତିରାଜ ସଚିବ କହୁଛନ୍ତି ମୁଁ କିଛି ଜାଣିନି: ମନ୍ତ୍ରୀ
ପ୍ରତି ପଞ୍ଚାୟତକୁ ଦିଆଯାଇଥିଲା ୫୦ ଲକ୍ଷ ଟଙ୍କା
ନିର୍ବାଚନ ପୂର୍ବରୁ ୩୩୯୭ କୋଟିର ଯୋଜନା ହୋଇଥିଲା

ମାତ୍ର କେଉଁ ପଞ୍ଚାୟତରେ କ’ଣ କାମ ହେବ ସେନେଇ ନିର୍ବାଚିତ ଲୋକ ପ୍ରତିନିଧି ତଥା ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ କି ୱାର୍ଡମେମ୍ବରମାନଙ୍କ ମତାମତ ନିଆଗଲାନି କି ଆର୍ଥିକ କ୍ଷମତା ଦିଆଗଲାନି। କୁହାଗଲା, ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ପ୍ରକଳ୍ପ ଚୟନ କରିବେ ଓ ତାଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଠିକାଦାରଙ୍କ ଜରିଆରେ ଏହି କାମ କରାଇବେ। ହେଲେ ଅଧିକାଂଶ ପଞ୍ଚାୟତରେ କିଛି କାମ ହୋଇନି। ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ତୃତୀୟ ମହଲାରୁ ଏହି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ପରିଚାଳନା କରାଯାଉଥିଲା। କିଛି ଅଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ ଓ ଡିଆର୍‌ଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲେ। କିନ୍ତୁ ବହୁ ସ୍ଥାନରେ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇନି। ଏହାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ ଏହି ଯୋଜନା ଆରମ୍ଭ ହେବା ପରେ ଏହାକୁ ପଞ୍ଚାୟତସ୍ତରରେ ବିରୋଧ କରାଯାଇଥିଲା। ଏପରିକି ବିରୋଧୀ ରାଜରାସ୍ତାରୁ ଆରମ୍ଭ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସାରା ରାଜ୍ୟରୁ ପ୍ରାୟ ୪୨ଟି ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ଏହାପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ହେବ। କିନ୍ତୁ ଏହି ଯୋଜନାକୁ ସ୍ଥଗିତ ରଖିବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଲୋକପ୍ରତିନିଧିଙ୍କ ମତକୁ ବି ଉପେକ୍ଷା କରାଗଲା। ବହୁ ସ୍ଥାନରେ ମିଛ ବିଲ୍ କରି ଅର୍ଥ ହଡ଼ପ ଅଭିଯୋଗ ଆସିଥିଲା। ଏହାକୁ ଏବେ ବିଜେପି ସରକାର ତଦନ୍ତ କରିବାକୁ ନି‌ଷ୍ପତ୍ତି ନେଇଛି।