ସୁରକ୍ଷା ଦେଇପାରୁନି କି ଡବଲ୍ ଡୋଜ୍? ପ୍ରାଣ ହରାଇଲେଣି ଅନେକ ଡାକ୍ତର, ନେତା ଓ ପୁଲିସ

ଆଇଏଲ୍‌ଏସ୍‌କୁ ଭାରିଏଣ୍ଟ, ଆର୍‌ଏମ୍‌ଆରସିକୁ ଆଣ୍ଟିବଡି ଯାଞ୍ଚର ଦାୟିତ୍ବ

ଭୁବନେଶ୍ବର : ଦୁଇଟି ଡୋଜ୍ ଟିକା ନେଲା ପରେ ବି କରୋନାରେ ସଂକ୍ରମିତ ହୋଇ ଶେଷରେ ପ୍ରାଣ ହରାଇଲେ ରାଜ୍ୟ ଭିଜିଲାନ୍‌ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସୁଲେଖିକା ଡାକ୍ତର ପ୍ରଭାତ ନଳିନୀ ମହାନ୍ତି, କୋଭିଡ୍‌ ହସ୍ପିଟାଲରେ ଡ୍ୟୁଟି କରୁଥିବା ଡା. ସୁଶାନ୍ତ ପଣ୍ଡାଙ୍କର ପରଲୋକ ହୋଇ ଯାଇଥିଲା। ଏମାନେ ସମସ୍ତେ କରୋନା ଟିକାର ଦୁଇ ଡୋଜ୍‌ ନେବା ପରେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କୋଭିଡର ଦ୍ବିତୀୟ ଲହରରେ ରାଜ୍ୟରେ ଏଭଳି ବେଶ୍ କିଛି ଘଟଣା ସାମ୍ନାକୁ ଆସିଲାଣି। ‌ଏହା ବ୍ୟତୀତ ଅନେକଙ୍କ କରୋନାରେ ମୃତ୍ୟୁ ହୋଇ ନ ଥିଲେ ହେଁ, ଦୁଇଟି ଡୋଜ୍ ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଲାଣି ଯେ କରୋନାର ‌ଡବଲ୍ ଡୋଜ୍ ଟିକା କ’ଣ ପ୍ରକୃତରେ ସୁରକ୍ଷା ଦେଇପାରୁନି? ନା ଅନ୍ୟ କୌଣସି କାରଣ ପାଇଁ ସେମାନେ ପ୍ରାଣ ହରାଇଛନ୍ତି? ରାଜ୍ୟରେ ଏହିଭଳି ଲୋକଙ୍କ ସଂଖ୍ୟା କେତେ? କେଉଁ ଜିଲ୍ଲାରୁ କେତେ ସଂଖ୍ୟକ ଲୋକ ଓ ଏଥିରେ ପୁରୁଷ ଓ ମହିଳାଙ୍କ ସଂଖ୍ୟା କେତେ ରହିଛି? ଏସବୁ ତଥ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ତଥ୍ୟ ନ ଥିବାରୁ ଟିକାର ଫଳପ୍ରଦତାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ମିଳୁନାହିଁ।

ନିକଟରେ ରାଜ୍ୟ ସରକାର ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକ ଅନୁଧ୍ୟାନ କରିବା ଲାଗି ଏକ ୮ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି। ଏହି ବୈଷୟିକ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଏଭଳି ଲୋକଙ୍କ ସଂଖ୍ୟା କେତେ ଓ ସେମାନଙ୍କଠାରେ ପ୍ରକୃତରେ ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ; ତାହାର ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଏବେ କରୋନାର ଦୁଇଟି ଟିକା ଦିଆଯାଉଛି। ଟିକା ୭୦-୯୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଉଥିବା ନେଇ ପ୍ରସ୍ତୁତକାରୀ କମ୍ପାନିମାନେ ଦାବି କରୁଛନ୍ତି। ତେଣୁ ଯେଉଁମାନଙ୍କଠାରେ ଆଣ୍ଟିବଡି ସୃଷ୍ଟି ହେବ ନାହିଁ; ସେମାନେ ଟିକା ନେବା ପରେ କେମିତି କରୋନାରୁ ସୁରକ୍ଷିତ ‌ରହିପାରିବେ, ତାହା ଏବେ ଚିନ୍ତାର କାରଣ ହୋଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ମଧ୍ୟ ଟିକାର ଦୁଇ ଡୋଜ୍ ଟିକା ନେବା ପରେ ବି କାହିଁକି କିଛି ଲୋକ ସଂକ୍ରମିତ ହେଉଛନ୍ତି ଏବଂ ମୃତ୍ୟୁ ମଧ୍ୟ ହେଉଛି, ସେନେଇ ବୈଷୟିକ କମିଟି ତଥ୍ୟ ସଂଗ୍ରହ କରିବ। ୨ଟି ଡୋଜ୍ ନେବା ପରେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ହୋଇଛନ୍ତି ଓ ସେମାନଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିଛି ଏବଂ କେଉଁମାନଙ୍କଠାରେ ସ୍ବଳ୍ପ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳିଛି ତାହାର ତଥ୍ୟ ସଂଗ୍ରହ କରାଯିବ। ତେବେ ତଥ୍ୟ ସଂଗ୍ରହ ପାଇଁ କେଉଁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହାସହ ସେମାନେ କରୋନା ଭୂତାଣୁର କେଉଁ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି, ତାହାର ଅନୁଧ୍ୟାନ ଦାୟିତ୍ବ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ଦିଆଯାଇଛି। ସେହିପରି ଟିକା ନେବା ପରେ ‌ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠ‌ାରେ ପ୍ରକୃତରେ ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ ତାହା ସଂପର୍କରେ ଆରଏମ୍‌ଆରସି ଅଧିକ ଗବେଷଣା କରିବ ବୋଲି ଜଣାପଡ଼ିଛି। କ୍ଲିନିକାଲ ସଦସ୍ୟମାନେ ଏହି ଲୋକମାନଙ୍କଠାରେ ପ୍ରକୃତରେ କିଛି ନୂଆ ଲକ୍ଷଣ ଦେଖାଦେବା କିମ୍ବା ଆଗକୁ କ’ଣ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ତାହା ସଂପର୍କରେ ପ୍ରସ୍ତାବ ଦେବ ବୋଲି ଜଣାପଡ଼ିଛି। ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ଓ କମିଟି ଗବେଷଣା ପରେ ଯେଉଁ ନିଷ୍କର୍ସ ପାଇବ ତାହାରି ଆଧାର‌ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ‌ବୈଷୟିକ କମିଟିର ଅଧ୍ୟକ୍ଷ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସର ନିର୍ଦେଶକ ଡା.ଅଜୟ ପରିଡ଼ା ବୈଠକ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ ଟିକା ନେବା ପରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହାର ତର୍ଜମା କରାଯାଉଛି। ଆବଶ୍ୟକ ପଡ଼‌ିଲେ ଅନ୍ୟ ବିଶେଷଜ୍ଞ କମିଟିର ସହାୟତା ନିଆଯିବ। ତେବେ ଆଇସିଏମ୍‌ଆରର ଡାଟା କହୁଛି, ୦.୦୪ ପ୍ରତିଶତ ପ୍ରଥମ ଡୋଜ୍ ଓ ୦.୦୩ ପ୍ରତିଶତ ଦ୍ବିତୀୟ ଡୋଜ୍ ନେବା ପରେ ସଂକ୍ରମିତ ହୋଇଛନ୍ତି। ସେହିପରି ଟିକା ନେଉଥିବା ଲୋକେ ସଂକ୍ରମିତ ହୋଇଥିଲେ ହେଁ, ୭୫ ପ୍ରତିଶତ ଲୋକଙ୍କୁ ଡାକ୍ତରଖାନାର ଆବଶ୍ୟକତା ପଡ଼ୁନାହିଁ; ଯାହାକି ‌ସମସ୍ତଙ୍କ ପାଇଁ ଆଶ୍ବାସନାର ବିଷୟ। ଏହାଛଡ଼ା ଦେଶରେ ୪୦ହଜାର କୋଭିଡ ନମୁନାର ଜିନ୍ ଅନୁଶୀଳନ କରାଯାଇଛି। ଦେଶର ୨୮ଟି ପରୀକ୍ଷାଗାରରେ ଜିନ୍ ଅନୁଶୀଳନ ହେଉଥିବା ଡା.ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର