ପ୍ରଶ୍ନପତ୍ର ଅଦଳବଦଳ ପ୍ରସଙ୍ଗ: ତଦନ୍ତ ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ, ନିଆଯିବ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର/କଟକ: ମାଟ୍ରିକ୍‌ ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ମିଳିବା ଘଟଣାର  ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମାଟ୍ରିକ୍‌ ପରୀକ୍ଷାରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସରେଗୁଲାର ପିଲାଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିଲା। କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ହେଉଥିବା ଅଫଲାଇନ୍‌ ମାଟ୍ରିକ୍‌ ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଥିଲା। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ତ୍ରୁଟି ଜଣାପଡ଼ିବା ପରେ ପିଲାଙ୍କୁ ପାଖାପାଖି ଅତିରିକ୍ତ ୧ଘଣ୍ଟା ସମୟ ଦିଆଯାଇଥିଲା। ହେଲେ, ଏହା ଜଣାପଡ଼ିବା ବେଳକୁ କିଛିପିଲା ପ୍ରଥମ ପେପର୍‌ ପରୀକ୍ଷା ଦେଇସାରିଥିଲେ। ଏଥିପାଇଁ ପିଲାଙ୍କୁ ହଲ୍‌ରେ ୩ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡ଼ିଥିଲା। ଏଭଳି ତ୍ରୁଟିର ଶିକାର ହୋଇଥିବା ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ସେମାନଙ୍କୁ ନ୍ୟାୟ ଦେବାକୁ ବୋର୍ଡ ସଂପାଦକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି।

ଜୁଲାଇ ୩୦ରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ବୋର୍ଡ ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିରେ ୧୦୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜୁଲାଇ ୩ ତାରିଖରେ ସାଧାରଣ ବିଜ୍ଞାନ ପରୀକ୍ଷା ଚାଲିଥିବାବେଳେ ବୋର୍ଡ ହାଇସ୍କୁଲ କେନ୍ଦ୍ରରେ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ମଧ୍ୟରେ ପ୍ରଶ୍ନପତ୍ର ଅଦଳବଦଳ ହୋଇ ଯାଇଥିଲା। ବୋର୍ଡ ସ୍କୁଲ କେନ୍ଦ୍ରର ୩ଟି ହଲ୍‌ଷର ବସିଥିବା ପାଖାପାଖି ୨୦ ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ପୁରୁଣା ପାଠ୍ୟକ୍ରମରେ ଆଧାରିତ ପ୍ରଶ୍ନପତ୍ର ଦିଆଯାଇଥିଲା। ପ୍ରଶ୍ନପତ୍ରର ପ୍ରଥମ ଭାଗ (ଅବଜେକ୍ଟିଭ ପାର୍ଟ)ରେ ୫୦ଟି ୧ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ରହିଥିବାରୁ ପିଲାମାନେ ଏହାକୁ ସହଜରେ ଜାଣି ନପାରି ଉତ୍ତର ଦେବା ଆରମ୍ଭ କରିଥିଲେ। ଅବଜେକ୍ଟିଭ  ପ୍ରଶ୍ନର ଅବଧି ଏକ ଘଣ୍ଟା ଥିବାରୁ ପିଲାମାନେ ଏହାର ଉତ୍ତର କରିସାରିଥିଲେ। କିଛି ପିଲା ପ୍ରଶ୍ନପତ୍ର ଉପରେ ୨୦୧୪ ପାଠ୍ୟକ୍ରମ ଅନୁସାରେ ଲେଖାଥିବାରୁ ଏହାକୁ ପଢ଼ି ଅଭିଯୋଗ କରିଥିଲେ। ସେତେବେଳକୁ ପରୀକ୍ଷାର ଏକ ଘଣ୍ଟା ବିତିସାରିଥିଲା। ଏହା ଜଣାପଡ଼ିବା ପରେ କେନ୍ଦ୍ର କର୍ତ୍ତୃପକ୍ଷ ତୁରନ୍ତ ପ୍ରଶ୍ନପତ୍ର ପରିବର୍ତ୍ତନ କରିବା ସହ ରେଗୁଲାର ପିଲାଙ୍କୁ ୨୦୨୧ର ନୂତନ ପ୍ରଶ୍ନପତ୍ର ଦେଇଥିଲେ। ଏହି ୩ଟି ହଲରେ ପରୀକ୍ଷା ଦେଉଥିବା ପ୍ରାୟ ୨୦ଜଣ ପରୀକ୍ଷାର୍ଥୀଙ୍କୁ ପାଖାପାଖି ଏକ ଘଣ୍ଟା ଅତିରିକ୍ତ ସମୟ ମିଳିଥିଲା।

ସମ୍ବନ୍ଧିତ ଖବର