ଭଦ୍ରକ: ଆଜି ଭଦ୍ରକ କଲେଜରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଆକାଉଣ୍ଟାଣ୍ଟ ପଦବି ପାଇଁ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। କିଛି ପରିକ୍ଷାର୍ଥୀ ପରୀକ୍ଷା ନଦେଇ କଲେଜ ଫାଟକ ଭିତରେ ରହି ପ୍ରଶ୍ନପତ୍ର ଲିକ୍ ନେଇ ନାରାବାଜି କରିବା ସହ ପରିକ୍ଷା ବାତିଲ କରିବା ପାଇଁ ଦାବି କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଥିଲା।
ଅଭିଯୋଗରୁ ପ୍ରକାଶ ଯେ, ଆଜି ସକାଳ ୧୦ ଟା ବେଳେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଆକାଉଣ୍ଟାଣ୍ଟ ପଦବି ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦ଟା ବେଳେ ପରୀକ୍ଷା ହେବାକୁ ଥିବା ବେଳେ ପରିକ୍ଷାର୍ଥୀଙ୍କୁ ୧୦ଟା ୧୦ ମିନିଟ୍ ସମୟରେ ପ୍ରଶ୍ନପତ୍ର ଦିଆଯାଇଥିଲା। କିଛି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦେବା ବେଳେ ପୂର୍ବରୁ ଜଉମୁଦ ହୋଇଥିବା ପ୍ୟାକେଟ୍ରେ କିଛି ଅଂଶ ଖୋଲା ହୋଇଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ଉଠାଇ ପରୀକ୍ଷାର୍ଥୀମାନେ ଯୁକ୍ତି ବାଢିବା ସହ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ କରାଯାଇଥିବା ନେଇ ଅଭିଯୋଗ ଉଠାଇଥିଲେ। ପରେ ସେମାନେ ପରୀକ୍ଷା ହଲରୁ ପରୀକ୍ଷା ନଦେଇ ହଲ ବାହାରକୁ ପଳାଇ ଆସିଥିଲେ। ସେଠାରେ ପହଞ୍ଚିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପରିକ୍ଷାର ପ୍ରଶ୍ନ ପତ୍ର ଲିକ ହୋଇଥିବା ନେଇ ଅଭିଯୋଗ କରିବା ସହ ଟଙ୍କା ଦିଅ ଚାକିରୀ ନିଅ ବୋଲି ନାରାବାଜି କରିଥିଲେ। ଏପରିକି ପରୀକ୍ଷା ବର୍ଜନ ଦାବି କରି କେଲଜ ଫାଟକ ଆଗରେ ଧାରଣାରେ ବସିଥିଲେ।
ରଜ୍ୟ ସରକାର ଟଙ୍କା ନେଇ ଚାକିରି ଦେଉଛି ବୋଲି ଅଭିଯୋଗ ଉଠାଇଥିଲେ। ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଚାକିରି ନପାଇ ହତାଶ ହେଉଥିବା ବେଳେ ସରକାରଙ୍କର କିଛି ଦଲାଲ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରି କୋଟି କୋଟି ଟଙ୍କା କମାଉଛନ୍ତି। ଗୋଟିଏ ଗୋଟିଏ ଚାକିରି ପାଇଁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ କାରବାର କରାଯାଉଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ପରୀକ୍ଷାର୍ଥୀଙ୍କର ଏଭଳି ଅଭିଯୋଗ ପାଇବା ପରେ ଘଟଣାସ୍ଥଳକରେ ଭଦ୍ରକ ସବ୍ କଲେକ୍ଟର ମନୋଜ ପାତ୍ର ଓ ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ଘଟଣାସ୍ଥଳକୁ ଯାଇ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ଆଲୋଚନା କରିଥିଲେ। ପ୍ରଶ୍ନ ପତ୍ର ଲିକ୍ ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଭଦ୍ରକ କଲେଜର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର ଏହାକୁ ଖଣ୍ଡନ କରିବା ସହ ଏଭଳି କିଛି ହୋଇନଥିବା ସେ ପ୍ରକାଶ କରିଛନ୍ତି। ପ୍ରଶ୍ନ ପତ୍ର ପୁଲିସ ଓ ନୋଡାଲ ଅଫିସରଙ୍କ ଆଗରେ ହିଁ ଖୋଲା ଯାଇଥିଲା। ଭଦ୍ରକ କଲେଜ ସେଣ୍ଟରରେ କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା ସଂପର୍କରେ କଳେଜର ଅଧ୍ୟକ୍ଷ ଡ. ମିଶ୍ର ଗଣମାଧ୍ୟକୁ କହିଛନ୍ତି। ତେବେ ଏଇ ଘଟଣାକୁ ନେଇ ଆଜି ଅନକେ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ରେ ବସି ପରୀକ୍ଷା ଦେଇଥିବା ବେଳେ ଦୁଇଟି ହଲର ପରୀକ୍ଷାର୍ଥୀମାନେ ପରୀକ୍ଷା ନଦେଇ ସେମାନେ ପ୍ରଶ୍ନ ପତ୍ର ଲିକ୍ ଅଭିଯାଗ ଉଠାଇ ଆନ୍ଦୋଳନ କରିଥିଲେ। ଏଇ ଘଟଣାକୁ ନେଇ ଆଜି ଭଦ୍ରକ କଲେଜ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିଲା।