ଭାଇରାଲ ପ୍ରଶ୍ନପତ୍ର ଓଡ଼ିଶା ମାଟ୍ରିକ ପରୀକ୍ଷାକୁ ପ୍ରଭାବିତ କରିପାରିବ ନାହିଁ: ବଦ୍ରୀ ନାରାୟଣ ପାତ୍ର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଓଡ଼ିଶା ମାଟ୍ରିକ ପରୀକ୍ଷାକୁ ପ୍ରଭାବିତ କରିପାରିବ ନାହିଁ। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପାତ୍ର କହିଛନ୍ତି, ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରାଯାଉଛି। ସେହିପରି ପରୀକ୍ଷା ହଲ୍‌ ଭିତରକୁ ମୋବାଇଲ ଫୋନ୍‌ ନିଷିଦ୍ଧ କରାଯାଇଛି। ଏସବୁ ସତ୍ତ୍ୱେ ମଧ୍ୟ ପ୍ରଶ୍ନପତ୍ର ପରୀକ୍ଷାର ଶେଷ ମୂହୁର୍ତ୍ତ ଅଥବା ମଧ୍ୟାହ୍ନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୁଏ ତଥାପି, ପରୀକ୍ଷା ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ।

ସେ କହିଛନ୍ତି, ଅସାଧୁ ଉପାୟରେ କପି କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପରୀକ୍ଷା କେନ୍ଦ୍ରରେ ବହୁ ସଂଖ୍ୟାରେ କପି କରୁଥିବା ଦୃଷ୍ଟିଗୋଚର ହେଲେ ପରୀକ୍ଷା ବାତିଲ କରି ଦିଆଯିବାର ବ୍ୟବସ୍ଥା କରାଯାଇଛି। ପିଲାମାନଙ୍କୁ ପ୍ରଶ୍ନପତ୍ର କିପରି ବଣ୍ଟାଯିବା ସେ ନେଇ ଇନ୍‌ଭିଜିଲେଟର ମାନଙ୍କୁ ତାଲିମ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୪ଟି ସମାନ୍ତରାଳ ପ୍ରଶ୍ନପତ୍ରକୁ ଇନ୍‌ଭିଜିଲେଟର ମାନେ ବିତରଣ କରୁଛନ୍ତି। ସେମାନେ ଗୋଟିଏ ଗୋଟିଏ ଧାଡ଼ିରେ ବାଣ୍ଟୁଛନ୍ତି।

ସମ୍ବନ୍ଧିତ ଖବର