ହୀରାକୁଦ ଜଳ ପରିଚାଳନା ନେଇ ପ୍ରଶ୍ନବାଚୀ, ଶିଳ୍ପ ପାଇଁ ବିଦ୍ୟୁତ୍ ଉତ୍ପାଦନ ଉପରେ ଅଙ୍କୁଶ!
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଜଳ ପରିଚାଳନାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଅନ୍ୟ ବର୍ଷ ଭଳି ଏଥର ବି ହୀରାକୁଦ ଜଳ ବ୍ୟବହାର ହୋଇନପାରି ୫ ଫୁଟ୍ରୁ ଅଧିକ ଜଳ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ହୀରାକୁଦ ଜଳଭଣ୍ଡାର ନିର୍ମାଣ ପଛରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ସାଂଗକୁ ବିଦ୍ୟୁତ୍ ଉତ୍ପାଦନ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ରହିଥିଲା। ହେଲେ ରାଜ୍ୟ ସରକାର ଏବେ ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଣକୁ ବେଶ୍ ଗୁରୁତ୍ବ ଦେଉଛନ୍ତି। ହୀରାକୁଦ ଜଳଭଣ୍ତାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଡେଥ୍ ଷ୍ଟୋରେଜ୍ ସ୍ତର ହେଉଛି ୫୯୦ ଫୁଟ୍। ଜଳଭଣ୍ଡାରର ଜଳସ୍ତର ୫୯୫ ଫୁଟ୍ ତଳକୁ ଖସିବା ପରେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଣି ନେବା ଉପରେ କଟକଣା ରହିଛି। ତେବେ, କଟକଣା ଯେମିତି ଉଲ୍ଲଂଘନ ହେବ ନାହିଁ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକକୁ ବି ପାଣି ମିଳିବାରେ ଅସୁବିଧା ହେବ ନାହିଁ, ସେନେଇ ଭିତିରିଆ ଯୋଜନା ପ୍ରସ୍ତୁତ କରାଯାଇଛି। ଆଉ ଏଥିପାଇଁ ଆବଶ୍ୟକତା ମୁତାବକ ହୀରାକୁଦରୁ ଜଳ ବିଦ୍ୟୁତ ଉତ୍ପାଦନ କରାଯାଉ ନାହିଁ। ଜଳ ବିଦ୍ୟୁତ ଉତ୍ପାଦନ ଅଧିକ ହେଲେ ଜଳସ୍ତର ୫୯୫ ଫୁଟ୍ ତଳକୁ ଖସିବାର ଆଶଙ୍କା ରହିଛି। ଏଣୁ ଜଳସେଚନକୁ ଆଳ କରି ବିଦ୍ୟୁତ୍ ଉତ୍ପାଦନ ଉପରେ ଅଙ୍କୁଶ ଲଗାଯାଇଥିବା କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତଥ୍ୟାଭିଜ୍ଞଙ୍କ କହିବା ଅନୁସାରେ, ପ୍ରତିବର୍ଷ ଜୁନ୍ ୧୬/୧୭ ତାରିଖ ଆଡ଼କୁ ଜଳସେଚନ ପାଇଁ ପ୍ରଥମେ ଶାସନ କେନାଲରେ ଖରିଫ ଫସଲ ପାଇଁ ପାଣି ଛଡ଼ା ଯାଇଥାଏ। ପରବର୍ତ୍ତୀ ସମୟରେ ବରଗଡ଼ କେନାଲରେ ପାଣି ଛଡ଼ାଯାଇଥାଏ। ବରଗଡ଼ ଓ ଶାସନ କେନାଲର ସିଲ୍ ସ୍ତର ଯଥାକ୍ରମେ ୫୮୦ ଓ ୫୮୫ ଫୁଟ୍ ରହିଛି। ଜଳଭଣ୍ଡାରର ଜଳସ୍ତର ୫୯୦ ଫୁଟ୍ ରହିଲେ କେନାଲରେ ପୂର୍ଣ୍ଣ ପାଣି ଯୋଗାଣ ନିମନ୍ତେ କୌଣସି ସମସ୍ୟା ହେବ ନାହିଁ। ଆଜି ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦. ୬୭ ଫୁଟ୍ ରହିଥିଲା। ଜଳଭଣ୍ଡାରରୁ ମାତ୍ର ୧୮ ହଜାର ଜଳ ନିଷ୍କାସନ ହେଉଥିଲା। ଏବେ ବି ଅନ୍ୟୁନ ଜଳଭଣ୍ଡାରର ୫ ଫୁଟ୍ ଜଳକୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରନ୍ତା। ହେଲେ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ବୁର୍ଲା ଓ ଚିପିଲିମା ପାଵାର ହାଉସ୍ର ଦୈନିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୩୪୭.୫ ମେଗାଵାଟ୍ ରହିଥିବାବେଳେ ଗତକାଲି ମାତ୍ର ୮୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯାଇଛି। ୭୨ ମେଗାୱାଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଚିପିଲିମା ପାୱାର ହାଉସ୍ରେ ଏବେ ମରାମତି କାମ ଚାଲିଥିବା ବେଳେ ୨୭୫.୫ ମେଗାୱାଟ ବିଶିଷ୍ଟ ବୁର୍ଲା ପାୱାର ହାଉସ୍ର ୭ଟି ୟୁନିଟ୍ ମଧ୍ୟରୁ ମାତ୍ର ୪ଟି ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରାଯାଉଛି। ତେବେ, ଏହି ୪ ୟୁନିଟ୍ରୁ ବି ପୂର୍ଣ୍ଣ କ୍ଷମତା ଅନୁଯାୟୀ ବିଦ୍ୟୁତ ଉତ୍ପାଦନ ହେଉନାହିଁ। ଗତ କିଛି ମାସ ହେଲା ବିଦ୍ୟୁତ ଉତ୍ପାଦନ ସ୍ଥିତି ପ୍ରାୟତଃ ଏମିତି ରହୁଛି। ଜଳବିଦ୍ୟୁତ ଉତ୍ପାଦନରେ ଖର୍ଚ୍ଚ ବହୁତ କମ୍ ରହିଛି। ଏହା ସତ୍ତ୍ବେ ଏଥିପ୍ରତି ଗୁରୁତ୍ବ ନଦେଇ ସରକାର ଶିଳ୍ପାନୁଷ୍ଠାନଗୁଡ଼ିକଠାରୁ ଚଢ଼ାଦରରେ ତାପଜ ବିଦ୍ୟୁତ କିଣୁଛନ୍ତି।
ଇତିମଧ୍ୟରେ ଓଡ଼ିଶାରେ ମୌସୁମୀ ପହଞ୍ଚି ଯାଇଛି। ଆଗାମୀ ଦିନରେ ଉପର ମୁଣ୍ଡରେ ବର୍ଷା ହେବା ସାଂଗକୁ ଜଳଭଣ୍ଡାରକୁ ଜଳପ୍ରବେଶ ସହିତ ଜଳସ୍ତର ବୃଦ୍ଧି ପାଇବ। ଏମିତିରେ ବି କିଛିଦିନ ତଳେ ହୀରାକୁଦ ବନ୍ଧ କତ୍ତୃର୍ପକ୍ଷ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି। ଏଭଳି ସ୍ଥିତିରେ ପରୋକ୍ଷରେ ଶିଳ୍ପାନୁଷ୍ଠାନ ପାଇଁ ଜଳଭଣ୍ଡାରରେ ସଂରକ୍ଷିତ ରଖିଥିବା ପାଣି ମହାନଦୀରେ ଛାଡ଼ି ଦିଆଗଲେ ଆଉ ବ୍ୟବହାରକୁ ଆସିପାରିବ ନାହିଁ। ଛତିଶଗଡ଼ ଏମିତିରେ ବି ଓଡ଼ିଶା ନିଜ ଭାଗର ମହାନଦୀ ଜଳର ସଦୁପଯୋଗ କରିପାରୁନଥିବା ଅଭିଯୋଗ କରିଆସୁଛି। ରାଜ୍ୟ ସରକାର ୧୯୮୮ ମସିହାରେ ହୀରାକୁଦ ଜଳ ପରିଚାଳନା ନେଇ ପ୍ରସ୍ତୁତ ରୁଲ୍ କର୍ଭ ପ୍ରସ୍ତୁତ କରିଥିଲେ। ଏବେ ସେହି ରୁଲ୍ କର୍ଭର ଠିକ୍ ଭାବେ ଅନୁପାଳନ ହେଉନଥିବା ଅଭିଯୋଗ ହେଉଛି।