୨ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଝଞ୍ଜାବତୀର ଭାଗ୍ୟ ବଦଳିବା ନେଇ ପ୍ରଶ୍ନ

କୋରାପୁଟ: ଦୁଇ ରାଜ୍ୟ ସୀମାନ୍ତ ଏବଂ ଅନ୍ୟାନ୍ୟ ବିଷୟ ନେଇ ଲାଗିଥିବା ବିବାଦର ସମାଧାନ ପାଇଁ ଗତ ୪ ଦିନ ତଳେ ଆନ୍ଧ୍ର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସରିଛି। ହେଲେ ଜିଲ୍ଲାର ଝଞ୍ଜାବତୀରେ ବ୍ୟାରେଜ ନିର୍ମାଣ ନେଇ ଆଲୋଚନାରେ ସ୍ଥାନ ପାଇଛି କି ନାହିଁ ତାହା ଜଣାପଡ଼ିନଥିବାରୁ ଝଞ୍ଜାବତୀର ଭାଗ୍ୟ ବଦଳିବା ନେଇ ପ୍ରଶ୍ନ ଉଠିଛି। ପାଣି ପାଇଁ ଏକତରଫା ନିଷ୍ପତ୍ତି ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ଆନ୍ଧ୍ର ସରକାରଙ୍କୁ ଏହା ସହାୟ ହେବ ନା ଓଡ଼ିଶାକୁ ତାହା ଅସ୍ପଷ୍ଟ ରହିଛି ।

 

ପୋଲାଭରମ ହେଉ କିମ୍ବା ବଂଶଧାରା ପ୍ରକଳ୍ପ ଉଭୟକୁ ଓଡ଼ିଶା ସରକାର ବିରୋଧ କରୁଥିଲେ ବି ଆଦୌ ଆନ୍ଧ୍ର ସରକାର ଶୁଣୁନଥିଲେ। ଉଭୟ ପ୍ରକଳ୍ପ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଓଡ଼ିଶା ସରକାର ମାଷ୍ଟରଷ୍ଟ୍ରୋକ ଖେଳିଥିଲେ। ଏହି ମାଷ୍ଟରଷ୍ଟ୍ରୋକରେ ସ୍ଥାନ ପାଇଥିଲା ଝଞ୍ଜାବତୀ ନଦୀ। ଆନ୍ଧ୍ରକୁ ବିନା ବ୍ୟବହାରରେ ଚାଲି ଯାଉଥିବା ଝଞ୍ଜାବତୀ ନଦୀ ପାଣିକୁ ଅଟକାଇ ବ୍ୟବହାର ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକକୁ ଫୋକସରେ ରଖି ଏହି ବ୍ୟାରେଜ ନିର୍ମାଣ ହେବ। ପ୍ରାୟ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯିବାକୁ ସ୍ଥିର ହୋଇଛି। ଏହା ଦ୍ବାରା ଝଞ୍ଜାବତୀ ନଦୀ ପାଣିକୁ ବ୍ୟବହାର ପାଇଁ ଆନ୍ଧ୍ର ସରକାର ନିଜ ଅଞ୍ଚଳରେ କରିଥିବା ମେଗା ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରୀକୁ ନେଇ ବର୍ତ୍ତମାନ ସଂଶୟ ସୃଷ୍ଟି ହୋଇଛି। ଏବେ ଏହି ଅଞ୍ଚଳରେ ମାଟି ପରୀକ୍ଷା କରାଯାଉଛି। ବ୍ୟାରେଜ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇ ସଚିବାଳୟରେ ଫାଇଲ ରହିଛି। ପ୍ରଶାସନିକ ଅନୁମତି ଓ କେଉଁ ଯୋଜନାରେ ଏହି ବ୍ୟାରେଜ ପାଇଁ ଅର୍ଥ ବ୍ୟୟବରାଦ ହେବ ସେଥିନେଇ ଆଲୋଚନା ଆରମ୍ଭ ହୋଇଛି।

 

୨୦ ବର୍ଷ ତଳେ ଏହି ବ୍ୟାରେଜର ପରିକଳ୍ପନା କରାଯାଇଥିଲା। ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ ନିର୍ମାଣ କରିବାକୁ ପ୍ରଥମେ ପ୍ରସ୍ତାବ ରଖିଥିବା ବେଳେ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ବ୍ୟାରେଜ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲା। ୨୦୧୭ ଜୁନ ମାସରେ ଜୟପୁର ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ କାଗଜପତ୍ର କାମକୁ ତ୍ବାରାନ୍ବିତ କରାଯାଇଛି। ଅନ୍ୟପଟେ ଏହି ପ୍ରକଳ୍ପ ହେଲେ ଆନ୍ଧ୍ର ସରକାରଙ୍କ ଝଞ୍ଜାବତୀ ପ୍ରକଳ୍ପ ପ୍ରଭାବିତ ହେବା ସମ୍ଭାବନା ରହିଛି। ଏଥିପାଇଁ ମାଟି ପରୀକ୍ଷା କରାଯାଇଥିବାବେଳେ ଜୁଲାଇମାସ ଶେଷ ସୁଦ୍ଧା ସରକାରଙ୍କୁ ଏହି ମାଟି ପରୀକ୍ଷାର ରିପୋର୍ଟ ଦିଆଯିବ। ଏହି ପ୍ରକଳ୍ପ ଉପରେ ପ୍ରଶାସନିକ ମୋହର ବାଜିବା ପରେ ଡିସେମ୍ବର ମାସ ଶେଷ ସପ୍ତାହ ଆଡକୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀ କହିଛନ୍ତି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନାରାୟଣପାଟଣା ବ୍ଲକର ଚିନ୍ତାଗୁଡା ଗାଁ ନିକଟରେ ଏହି ବ୍ୟାରେଜ ନିର୍ମାଣ ହେବ, ଯାହାର ଲମ୍ବା ୧୬୦ ମିଟର ରହିବ। ବ୍ୟାରେଜରେ ୧୦ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ୧୨ଟି ଗେଟ୍ ଲାଗିବ। ମୋଟ ୨୫୪୬ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି। ଖରିଫ ଋତୁରେ ୧୯୦୯.୭୬ ହେକ୍ଟର ଜମି ଜଳସେଚିତ ହୋଇପାରିବ। ପ୍ରସ୍ତାବିତ ଏହି ପ୍ରକଳ୍ପରେ ୨୭୧ ମିଟର ମାଟି ବନ୍ଧ ରହିବାକୁ ଥିବାବେଳେ ମୋଟ ଜଳଧାରଣ କ୍ଷମତା ୨୭୦ ମିଟର ରହିବ। ୩୯୩ ବର୍ଗ କିଲୋମିଟର ଦୂରରୁ ୪୨୪୦ କ୍ୟୁସେକ ଜଳ ଆସିବ। ନାରାୟଣପାଟଣା ବ୍ଲକର ୯ ପଞ୍ଚାୟତର ୧୨୭ ଗାଁ ଓ ଲକ୍ଷ୍ମୀପୁର ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବ।

 

ଏସିଆର ବଡ଼ ରବର ଡ୍ୟାମ ଭାବେ ପରିଚିତ ଏକ ସମାନ ପ୍ରକଳ୍ପ ଆନ୍ଧ୍ର ସରକାର ୨୦୦୬ ଜାନୁଆରି ଶେଷ ଆଡ଼କୁ ଲୋକାର୍ପଣ କରିଥିଲେ। ଉପର ମୁଣ୍ଡ ତଥା ଓଡ଼ିଶା ପଟ ଦେଇ ଆସୁଥିବା ପାଣିକୁ ଗଚ୍ଛିତ ରଖିବାକୁ ଆନ୍ଧ୍ର ସରକାର ବିଜୟନଗରମ ଜିଲ୍ଲା କୋମାରାଡା ମଣ୍ଡଳ ଅନ୍ତର୍ଗତ ରାଜ ଲକ୍ଷ୍ମୀପୁରମ ନିକଟରେ ଏହି ପ୍ରକଳ୍ପକୁ ନିର୍ମାଣ କରିଛନ୍ତି। ବିଜୟନଗର ଜିଲ୍ଲାର ପ୍ରାୟ ୯୯୭୦ ହେକ୍ଟର ଜମିକୁ ଜଳ ଯୋଗାଉଥିବା ଏହି ପ୍ରକଳ୍ପ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର