ମାଟ୍ରିକ୍ ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ: କ୍ରୀଡ଼ା ଶିକ୍ଷୟିତ୍ରୀ ଦେଖୁଛନ୍ତି ଓଡ଼ିଆ ଖାତା

କଟକ, (ସୁଶାନ୍ତ କୁମାର ସ୍ବାଇଁ): କ୍ରୀଡା ଶିକ୍ଷୟିତ୍ରୀ ଦେଖୁଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଓଡ଼ିଆ ଖାତା। ଯୋଗ୍ୟତା ଏବଂ ଶିକ୍ଷାଦାନ ଅଭିଜ୍ଞତା ଆଧାରରେ ମାଟ୍ରିକ ପରୀକ୍ଷା ଖାତା ଦେଖାରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ମାଟ୍ରିକ ଖାତା ଦେଖାର ସୁଯୋଗ ମିଳେ। କିନ୍ତୁ ଏ କ୍ଷେତ୍ରରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଜଣେ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଖାତା ମୂଲ୍ୟାୟନ କାର୍ଯ୍ୟ ଦିଆଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ସଂପୃକ୍ତ ଶିକ୍ଷୟିତ୍ରୀ ଏବେ ରେଭେନ୍‌ସା କଲିଜିଏଟ୍ ମୂଲ୍ୟାୟନ କେନ୍ଦ୍ରରେ ଖାତା ମୂଲ୍ୟାୟନ କରୁଛନ୍ତି। ଶ୍ରେଣୀ ଶିକ୍ଷାଦାନର ଅଭିଜ୍ଞତା କିମ୍ବା ବି‌ଏଡ୍‌ ଡିଗ୍ରି ନଥିବା ‌ଶିକ୍ଷୟିତ୍ରୀଙ୍କୁ ଖାତା ଦେଖାରେ ନିୟୋଜନ କରାଯିବା, ଖାତା ‌ଦେଖିବା ପୂର୍ବରୁ ସଂପୃକ୍ତ ଶିକ୍ଷୟିତ୍ରୀ ଅଣ୍ଡରଟେକିଂ ଦେବା ଏବଂ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରିବା ଏବେ ବିବାଦର କାରଣ ହୋଇଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମେ ୨୧ରୁ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଛି। କଟକ ରେଭେନ୍‌ସା କଲିଜିଏଟ୍ ସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ସାଲେପୁର ବ୍ଲକ୍ ଗୋପୀନାଥପୁର ପଞ୍ଚାୟତ ପ୍ରଧାନପଡ଼ା ଗ୍ରାମ ବିରୂପା ହାଇସ୍କୁଲର କ୍ରୀଡ଼ା ଶିକ୍ଷୟିତ୍ରୀ ନନ୍ଦିନୀ କରଙ୍କୁ ପ୍ରଥମ ଭାଷା (ଓଡ଼ିଆ) ବିଷୟ ଖାତାଦେଖାରେ ନିୟୋଜନ କରାଯାଇଛି। ନିୟମ ଅନୁଯାୟୀ ଶିକ୍ଷକମାନେ ଖାତା ମୂଲ୍ୟାୟନ ପୂର୍ବରୁ ସଂପୃକ୍ତ ବିଷୟ ପଢ଼ାଉଥିବା ଓ ବିଏଡ୍ କରିଥିବା ସଂକ୍ରାନ୍ତରେ ଅଣ୍ଡରଟେକିଂ ଦେଇ କେନ୍ଦ୍ର କ୍ୟାମ୍ପ ଅଧିକାରୀଙ୍କ ପାଖରେ ଦାଖଲ କରନ୍ତି। ସଂପୃକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ନିଜ ଅଣ୍ଡରଟେକିଂରେ କଣ ଲେଖିଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ବିରୂପା ହାଇସ୍କୁଲର ଜଣେ ଶିକ୍ଷକଙ୍କ କହିବା ଅନୁସାରେ, କଟକ ଜିଲ୍ଲାରେ ଖାତା ମୂଲ୍ୟାୟନ ପାଇଁ ଚୟନ ହୋଇଥିବା କିଛି ଶିକ୍ଷକ ଅନୁପସ୍ଥିତ ରହିବାରୁ ନନ୍ଦିନୀ କରଙ୍କୁ ଚୟନ କରାଯାଇଥିଲା। ଏଥିପାଇଁ ସ‌େ ଆବେଦନ କରିଥିଲେ ଓ ରେଭେନ୍ସା କଲିଜିଏଟ୍ କେନ୍ଦ୍ରରେ ସେ ଏବେ ଓଡ଼ିଆ ଖାତା ମୂଲ୍ୟାୟନ କରୁଥିବା ସଂପୃକ୍ତ ଶିକ୍ଷକ ସୂଚନା ଦେଇଛନ୍ତି।

ବୋର୍ଡର ଜଣେ ବରିଷ୍ଠ କ୍ୟାମ୍ପ ଅଫିସର୍‌ କହିଛନ୍ତି ଯେ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ଶିକ୍ଷକଙ୍କ ତାଲିକା ତିଆରି ହୋଇଥାଏ ଓ ଏକ ୱେଟିଂ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥାଏ। ଯଦି କିଛି ଶିକ୍ଷକ ଅନୁପସ୍ଥିତ ରୁହନ୍ତି ତେବେ ୱେଟିଂ ତାଲିକାରୁ ଶିକ୍ଷକମାନଙ୍କୁ ଡକାଯାଏ। କିନ୍ତୁ ସବୁ ଶିକ୍ଷକଙ୍କୁ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିଥାଏ। କିନ୍ତୁ କ୍ରୀଡ଼ା ଶିକ୍ଷକମାନେ ଖାତା ମୂଲ୍ୟାୟନ କରିବାର ନିୟମ ନାହିଁ ବୋଲି ସଂପୃକ୍ତ କ୍ୟାମ୍ପ ଅଫିସର୍‌ କହିଛନ୍ତି। ଏ ସଂକ୍ରାନ୍ତରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ ‌ନିୟମ ଅନୁସାରେ କ୍ରୀଡ଼ା ଶିକ୍ଷକ ଖାତା ଦେଖିପାରିବେ ନାହିଁ। କିନ୍ତୁ ସଂପୃକ୍ତ ଶିକ୍ଷୟିତ୍ରୀ ହୁଏତ ସ୍କ୍ରୁଟିନାଇଜର୍‌ ଥାଇ ପାରନ୍ତି। ଆସନ୍ତାକାଲି ଏ ବିଷୟରେ କେନ୍ଦ୍ରରୁ ତଥ୍ୟ ସଂଗ୍ରହ କରି ଯାଞ୍ଚ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୂଚନା‌ ଦେଇଛନ୍ତି।

ସମ୍ବନ୍ଧିତ ଖବର