ବଡ଼ ଧରଣର ତଥ୍ୟ ଗଡ଼ବଡ଼ ଆଶଙ୍କା
ମନଇଚ୍ଛା କରାଯାଉଛି ଗାଁର ମ୍ୟାପିଂ
ଡଷ୍ଟବିନ୍ରେ ସଂଗୃହୀତ ରକ୍ତ ନମୁନା
ଭୁବନେଶ୍ବର : ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୫କୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟବ୍ୟାପୀ ଏହାର ସର୍ବେକ୍ଷଣ ଜାରି ରହିଥିବା ବେଳେ ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହୋଇଛି। ତଥ୍ୟ ସଂଗ୍ରହରେ ବ୍ୟାପକ ଗଡ଼ବଡ଼ ହେଉଥିବା ଅଭିଯୋଗ ଆସିଲାଣି। ଆଉ କିଛିମାସ ପରେ ସର୍ବେକ୍ଷଣ ଶେଷ ହେବାକୁ ଯାଉଥିବା ବେଳେ ଏଥିରେ ରାଜ୍ୟର ପ୍ରକୃତ ଚିତ୍ର ପ୍ରକାଶ ପାଇବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି।
ସ୍ବାସ୍ଥ୍ୟ ସର୍ବେକ୍ଷଣ ଜରିଆରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟ ସମନ୍ଧୀୟ ତଥ୍ୟ ବିଚାରକୁ ନିଆଯାଇଥାଏ। ଏଥିରେ ଲୋକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଓ ଏହାର ନିରାକରଣ, ମାତୃ ଓ ଶିଶୁ ମୃତ୍ୟୁ ହାର, ଯୌନଗତ ଓ ପରିବାର ନିୟୋଜନ, ଏଚ୍ଆଇଭି ସଂକ୍ରମଣ, ବ୍ୟକ୍ତିଗତ ସ୍ବଚ୍ଛତା, ପରିମଳ ଓ ପରିଚ୍ଛନ୍ନତା ଇତ୍ୟାଦି ସଂପର୍କରେ ତଥ୍ୟ ସଂଗ୍ରହ କରାଯାଏ। ଏହାସହ ଉଚ୍ଚ ରକ୍ତଚାପ, ମଧୁମେହ, ରକ୍ତହୀନତା, ଭିଟାମିନ-ଡି୩ ଓ ମ୍ୟାଲେରିଆ ପ୍ରତିରୋଧକ ମାତ୍ରାର ଅନୁଧ୍ୟାନ କରିବା ଲାଗି ରକ୍ତ ନମୁନା ସଂଗ୍ରହ କରାଯାଉଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ମ୍ୟାନେଜମେଣ୍ଟ ରିସର୍ଚ ବା ଆଇଆଇଏଚ୍ଏମ୍ଆର କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ତଦାରଖ କରିବା ଲାଗି ଇଣ୍ଟରନାସନାଲ ଇନଷ୍ଟିଚ୍ୟୁଟ୍ ଅଫ ପପୁଲେସନ୍ ସାଇନ୍ସ ବା ଆଇଆଇପିଏସ୍ ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। କିଛିଦିନ ପୂର୍ବରୁ ୨୨ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଏନ୍ଏଫ୍ଏଚ୍ଏସ୍-୫ ତଥ୍ୟ ପ୍ରକାଶିତ ହୋଇ ସାରିଛି। ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟର ଏହି ତଥ୍ୟ ବାକି ରହିଛି।
ଗତବର୍ଷ ଜାନୁଆରି ୯ତାରିଖରୁ ଓଡ଼ିଶାରେ ଏହି ସର୍ବେକ୍ଷଣ ଆରମ୍ଭ ହୋଇଥିବା ବେଳେ ମାର୍ଚ ୧୯ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା। ମାତ୍ର ସେ ସମୟରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଓ ଲକ୍ଡାଉନ୍, ସଟ୍ଡାଉନ୍ ପାଇଁ ସର୍ବେକ୍ଷଣ ବନ୍ଦ ରହିଥିଲା। ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ନଭେମ୍ବର ୨୫ତାରିଖରେ ଏଥିପାଇଁ ପୁନର୍ବାର କର୍ମଚାରୀମାନଙ୍କୁ ତାଲିମ ଦିଆଯିବା ସହିତ ୨୯ତାରିଖରୁ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ୨୭ଜିଲ୍ଲାରେ ସର୍ବେକ୍ଷଣ ଶେଷ ହୋଇଥିବା ବେଳେ ଆଉ ୩ଟି ଜିଲ୍ଲାରେ ଏହା ବାକି ରହିଛି। ଶେଷରେ ଭୁବନେଶ୍ବରରେ ଏହି ସର୍ବେକ୍ଷଣ କରାଯିବ। ଆସନ୍ତା ମାର୍ଚ ଶେଷ କିମ୍ବା ଏପ୍ରିଲ ମାସର ଶେଷ ସପ୍ତାହରେ ସର୍ବେକ୍ଷଣ ଶେଷ ହେବ ବୋଲି କୁହାଯାଉଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଜିଲ୍ଲାରେ ଯେଉଁଭଳି ଢଙ୍ଗରେ ଏହି ସର୍ବେକ୍ଷଣ କରାଯାଉଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସର୍ବେକ୍ଷଣରେ ଜଣେ ଲେଖାଏଁ ଲିଷ୍ଟର ଓ ମ୍ୟାପର ରହିଥିବା ବେଳେ ସେମାନେ ଯେଉଁଭଳି ଭାବେ ଏହାର ତଥ୍ୟ ପ୍ରସ୍ତୁତ କରୁଛନ୍ତି ତାହା ସନ୍ଦେହକୁ ବଢ଼ାଇ ଦେଇଛି। ନୂତନ ଭାବେ ସର୍ବେକ୍ଷଣ କରିବା ପରିବର୍ତେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ତଥ୍ୟକୁ ସିଧାସଳଖ ଟିପି ନେଉଥିବା ଜଣାପଡ଼ିଛି। ସେହିପରି ଉଚ୍ଚ ରକ୍ତଚାପ, ମଧୁମେହ, ମ୍ୟାଲେରିଆ ପ୍ରତିରୋଧକ ମାତ୍ରା ଜାଣିବା ପାଇଁ ଡ୍ରାଏ ବ୍ଲଡ୍ ସାମ୍ପୁଲ ବା ଡିବିଏସ୍ ସଂଗ୍ରହ କରାଯାଉଥିବା ରକ୍ତ ନମୁନାକୁ ସର୍ବାଧିକ ୧୫ଦିନ ଭିତରେ ପୁନେ କିମ୍ବା ହାଇଦ୍ରାବାଦ୍ସ୍ଥିତ ପରୀକ୍ଷାଗାରକୁ ପଠାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ଏସବୁ ରକ୍ତ ନମୁନା ବାହାରେ ଡଷ୍ଟବିନ୍ରେ ପଡ଼ୁଥିବା ନଜରକୁ ଆସୁଛି। କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସଂଗୃହୀତ ରକ୍ତ ନମୁନା ବାହାରେ ପଡ଼ିଥିବା ନେଇ ସୂଚନା ମିଳିଛି। ହେଲେ ବାହାରେ ପଡ଼ୁଥିବା ଏହି ରକ୍ତ ନମୁନା ନିକଟରେ ସଂଗ୍ରହ କରାଯାଇଛି କି କିଛିଦିନ ପୂର୍ବର ତାହା ସ୍ପଷ୍ଟ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ଜାତୀୟସ୍ତରର ଏହି ସର୍ବେକ୍ଷଣରେ ଓଡ଼ିଶାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରକୃତ ତଥ୍ୟ ମିଳିବ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଆଇଆଇଏଚ୍ଏମ୍ଆରର ରାଜ୍ୟ ସଂଯୋଜକ ବଳରାମ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସର୍ବେକ୍ଷଣ କରାଯାଉଛି। ରାଜ୍ୟରେ ଏଭଳି ସର୍ବେକ୍ଷଣ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ଏପରିକି ଗଞ୍ଜାମରେ ଯେତେବେଳେ ସର୍ବେକ୍ଷଣ ଚାଲୁଥିଲା ସେ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦେଶକ ମଧ୍ୟ ଏଠାକୁ ଆସି ସର୍ବେକ୍ଷଣ କାର୍ଯ୍ୟର ତଦାରଖ କରିଥିଲେ। ଏନ୍ଏଫ୍ଏଚ୍ଏସ୍-୫ ଏକ ଗୁରୁତ୍ବପୂର୍ଣ୍ଣ ସର୍ବେକ୍ଷଣ ହୋଇଥିବା ବେଳେ ଏହାକୁ ବହୁ ସତର୍କତାର ସହିତ କରାଯାଉଛି। ପୂର୍ବରୁ ଦେଶର ଯେଉଁ ରାଜ୍ୟରେ କିଛି ଅବହେଳା ନେଇ ଅଭିଯୋଗ ଆସିଛି ତାହାର ପରବର୍ତୀ ସମୟରେ ସମାଧାନ କରାଯାଇଛି। ଓଡ଼ିଶାରେ ଯଦି ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରମାଣ ମିଳେ ତାହେଲେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ‘ସମ୍ବାଦ’କୁ କହିଛନ୍ତି।