ସମ୍ବଲପୁର: ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥାର ଉପଯୁକ୍ତ ତଦାରଖ ପାଇଁ ଚଳିତ ବର୍ଷ ଯୋଗାଣ ନିଗମ ପକ୍ଷରୁ ଭେଇକିଲ୍ ଟ୍ରାକିଂ ସିଷ୍ଟମ (ଭିଟିଏସ୍) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଥିଲା। ମାତ୍ର ଓଡ଼ିଶାରେ ଏହାର କାର୍ଯ୍ୟକାରିତା ହାର ମାତ୍ର ୭ ପ୍ରତିଶତ ରହିଛି। ରାଜ୍ୟର ୫୨ ହଜାର ୬୬୯ ଭିଟିଏସ୍ କାର୍ଯ୍ୟକାରୀ ହୋଇ ପାରିନଥିବା ନେଇ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଉଦ୍ବେଗ ପ୍ରକାଶ କରିଛନ୍ତି। ସେଥିରେ ପୁଣି ସର୍ବାଧିକ ଧାନ ଉତ୍ପାଦନକାରୀ ୪ ଜିଲ୍ଲାରେ ଭିଟିଏସ୍ର ଉପଯୋଗ ସର୍ବନିମ୍ନ ରହିଛି। ସେଥିପାଇଁ ବରଗଡ଼, କଳାହାଣ୍ଡି, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ଜିଲ୍ଲାପାଳଙ୍କୁ ପରିଚାଳନା ନିର୍ଦ୍ଦେଶକ ଚିଠି କରିଛନ୍ତି। ଭିଟିଏସ୍କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି।
ଖାଦ୍ୟ ନୀତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବରେ ରାଜ୍ୟ ଯୋଗାଣ ନିଗମ ଧାନ ସଂଗ୍ରହ କରିଥାଏ। ଚାଷୀ ମଣ୍ଡିରେ ପହଞ୍ଚିବା ପରେ ଆଖି ସ୍କାନିଂ ପରେ ଧାନ ଢାଳିବା ଉଚିତ। ଏହାପରେ ଏଫ୍ଏକ୍ୟୁ ମାନ ନିର୍ଧାରଣ କରାଯାଇ ଓଜନ ସହିତ ସମସ୍ତ ପ୍ରକାର ନିୟମ ପାଳନ କରାଯାଇ ଗାଡ଼ିରେ ବୋଝେଇ ହୋଇ ମିଲ୍କୁ ଯିବାକଥା। ଏଥିରେ ଟ୍ରାକିଂ କରିପାରୁଥିବା ମୋବାଇଲ୍ ଫୋନ୍ ଚାଳକଙ୍କୁ ଦିଆଯିବ। ସବୁ ନିୟମ ପାଳନ କରି ଧାନଗାଡ଼ି ମିଲ୍କୁ ଯାଉଛି କି ନାହିଁ, ତା ଉପରେ ଯୋଗାଣ ନିଗମ ନଜର ରଖିବା ପାଇଁ ଭିଟିଏସ୍ କାର୍ଯ୍ୟକାରୀ ହୋଇଛି। ମାତ୍ର ରବିରେ ସର୍ବାଧିକ ଧାନ ସଂଗ୍ରହ କରୁଥିବା କୌଣସି ଜିଲ୍ଲା ଏହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରି ପାରି ନାହାନ୍ତି। ଏଥିରେ ସର୍ବନିମ୍ନ ସ୍ତରରେ ସମ୍ବଲପୁର ମାତ୍ର ୧%, ବରଗଡ଼ରେ ୪%, କଳାହାଣ୍ଡିରେ ୮%, ନୂଆପଡ଼ାରେ ୯% ଭିଟିଏସ୍ କାର୍ଯ୍ୟକାରୀ ହୋଇଛି। ଅନ୍ୟ ଜିଲ୍ଲା ମଧ୍ୟରେ ସୁବର୍ଣ୍ଣପୁରରେ ୧୧%, ବାଲେଶ୍ବରରେ ୪୦%, ବଲାଙ୍ଗୀରରେ ୮୮%, ବୌଦ୍ଧରେ ୬୬%, କଟକ ୬୫%, ଯାଜପୁରରେ ୪୭%, ଝାରସୁଗୁଡ଼ାରେ ୭୪%, କନ୍ଧମାଳରେ ୫୦%, ଖୋର୍ଦ୍ଧାରେ ୮୦%, ମୟୂରଭଞ୍ଜରେ ୬୫%, ପୁରୀରେ ୩୨%, ରାୟଗଡ଼ାରେ ୮୯% ଭିଟିଏସ୍ କାର୍ଯ୍ୟକାରୀ କରିଛି। କେବଳ ସୁବର୍ଣ୍ଣପୁର ଜିଲ୍ଲାରେ ଭିଟିଏସ୍ କାର୍ଯ୍ୟକାରୀ ହୋଇଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp