କୋରାପୁଟ: କୋଟିଆରେ ଅନୁପ୍ରବେଶକୁ ନେଇ ଆନ୍ଧ୍ରକୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍କଳ ଦିବସ କାର୍ଯ୍ୟକ୍ରମରେ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ର ଗୋ ବ୍ୟାକ୍ ନାରା ମଧ୍ୟ ଦେଇଥିଲେ। ହେଲେ ଆଜି ସାଲୁରରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର। ଯାହା ଧର୍ମେନ୍ଦ୍ରଙ୍କ କୋଟିଆ ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲା ସାଲୁର ନିର୍ବାଚନ ମଣ୍ଡଳୀ ଅଧୀନ ମେନ୍ତଡା ଓ ଦାତ୍ତିରେଜେରୁ ମଣ୍ଡଳ ଅଞ୍ଚଳରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ (ସିଟିୟୁ)ର ଭିତ୍ତିପ୍ରସ୍ତର ପକାଇଛନ୍ତି। ଏଥିପାଇଁ ମୋଟ ୮୩୪କୋଟି ଟଙ୍କା ବ୍ୟୟବରାଦ ଧାର୍ଯ୍ୟ ହୋଇଥିବା ବେଳେ ୫୬୧.୮୮ଏକର ଜମି ଦେଇଛନ୍ତି ଆନ୍ଧ୍ର ସରକାର। ଶ୍ରୀ ପ୍ରଧାନ କହିଛନ୍ତି, ସିଟିୟୁ ପାଇଁ ଆନ୍ଧ୍ର ସରକାର ଜମି, ବିଦ୍ୟୁତ, ପାନୀୟ ଜଳ ଯୋଗାଇ ଦେଇଛନ୍ତି। ଏହିସବୁ ସୁବିଧାର ମୂଲ୍ୟ ପାଖାପାଖି ୨ହଜାର କୋଟି ଟଙ୍କା ହୋଇଥିବା ବେଳେ ବିନିଯୋଗ କରିବାକୁ ଆନ୍ଧ୍ର ସରକାର ସୁଯୋଗ ଦେଇଛନ୍ତି। ସିଟିୟୁ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ ପରି ତିନୋଟି ରାଜ୍ୟର ଆଦିବାସୀଙ୍କ ପାଇଁ ସହାୟକ ହେବ। ଏଠାରେ ଆରକୁ କଫି, ପଣସ, ମହୁ ସହ କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟର ଆଗୁଆ ଗବେଷଣା କରାଯିବ।
ଟେରୁରର ପ୍ରସିଦ୍ଧ ଆଦିବାସୀ ସଙ୍ଗୀତ, କଳା, ସଂସ୍କୃତି, ସୀତମପେଟାର ଉଦ୍ୟାନକୃଷି, ଚିନ୍ତନପଲ୍ଲୀର ମାଣ୍ଡିଆ, ଲୁମ୍ବାସିଙ୍ଘିର ପଣସ ଓ ସପୁରି ଆଦିର ଗବେଷଣା କରାଯିବ। ଓଡ଼ିଶାର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଖରେ ଥିବାରୁ ଦୁଇ ଅନୁଷ୍ଠାନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ସିଟିୟୁରେ ଶିକ୍ଷା ବଦଳରେ ଆଦିବାସୀଙ୍କ ସାମଗ୍ରିକ ବିକାଶକୁ ଦୃଷ୍ଟି ଦିଆଯିବ। ଛତିଶଗଡ଼ରୁ ଓଡ଼ିଶା ଦେଇ ବିଶାଖାପଟଣାକୁ ଯୋଡୁଥିବା ଭାରତମାଳା ପରିଯୋଜନା ଖାଲି ଏହି ତିନି ରାଜ୍ୟର ଆର୍ଥିକ ସ୍ଥିତି ସୁଧାରିବ ତାହା ନୁହେଁ ତିନି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଏକତ୍ର କରି ଦେଶର ବିକାଶ ରଥକୁ ଆଗକୁ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦାତ୍ତିରେଜେରୁ ମଣ୍ଡଳରୁ ମାରିଭାଲସା ଓ ମେଣ୍ଟାଦା ମଣ୍ଡଳର ଚିନ୍ନେମେଦାପାଲ୍ଲୀରେ ଏହି ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ଆଜିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନ ମୋହନ ରେଡ୍ଡି, ଉପମୁଖ୍ୟମନ୍ତ୍ରୀ ପି.ରାଜନ୍ନା ଦୋରା, ଶିକ୍ଷାମନ୍ତ୍ରୀ ବି.ସତ୍ୟନାରାୟଣା ଓ ଭିସି କଟ୍ଟାମଣି ପ୍ରମୁଖ ଉପସ୍ଥିତି ଥିଲେ।