ଚିପିଲିମା ବିଜୁଳି କେନ୍ଦ୍ରକୁ ନେଇ ପ୍ରଶ୍ନ ଉଠିଲାଣି: ୧.୩୩ ଲକ୍ଷ କ୍ୟୁସେକ୍‌ ପାଣି ନଷ୍ଟ

୧୭ ଏମ୍‌ୟୁ ବିଜୁଳି ଉତ୍ପାଦନ ନୋହିଲା

ସମ୍ବଲପୁର: ପାଣି ନଷ୍ଟ ହେଉଛି କିନ୍ତୁ ବିଜୁଳି ଉତ୍ପାଦନ କରୁନି ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ର। ବର୍ତ୍ତମାନ ଖରାଦିନରେ ରାଜ୍ୟରେ ବିଜୁଳି ଚାହିଦା ସର୍ବାଧିକ ରହିଛି। ୧୩ ଦିନର ଏକ ଆକଳନ ଅନୁସାରେ ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରର କ୍ଷମତା ଥାଇ ମଧ୍ୟ ୧୭ ମିଲିୟନ ୟୁନିଟ୍ (ଏମୟୁ) ଉତ୍ପାଦନ କରୁନଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଯାହାର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ହିସାବ କରାଯାଉଛି।

ସୂଚନା ଅନୁଯାୟୀ, ଜୁନ ୧୩ ତାରିଖରୁ ଜୁନ ୧୪ ତାରିଖ ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ ବୁର୍ଲା ପାୱାର ହାଉସ ୩୭.୫୪୨ ମେଗାୱାଟ ଏବଂ ଚିପିଲିମା ପାୱାର ୩୧.୯୫୮ ମେଗାୱାଟର ଜଳ ବିଦ୍ୟୁତ୍‌ ଉତ୍ପାଦନ କରିଛି। ଉଭୟ କେନ୍ଦ୍ରର ବିଜୁଳି ଉତ୍ପାଦନ ପାଖାପାଖି ସମାନ ରହିଛି। ନିୟମ ଦୃଷ୍ଟିରୁ ବିଜୁଳି ଉତ୍ପାଦନ ପରେ ବୁର୍ଲା କେନ୍ଦ୍ର ଯେତିକି ପାଣି ନିଷ୍କାସନ କରେ ସେତିକି ପାଣିରୁ ଚିପିଲିମା ପାୱାର କେନ୍ଦ୍ର ବିଜୁଳି ଉତ୍ପାଦନ କରିପାରିବ। କିନ୍ତୁ, ଗତ ୧୩ ଦିନ ମଧ୍ୟରେ ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ର ୧ ଲକ୍ଷ ୩୩ ହଜାର ୪୪୧ କ୍ୟୁସେକ ପାଣିକୁ ବ୍ୟବହାର ନକରି ନଷ୍ଟ କରିଥିବାରୁ କ୍ଷମତା ଅନୁଯାୟୀ ବିଜୁଳି ଉତ୍ପାଦିନ ହେଲାନାହିଁ। ଗତ ୬ ତାରିଖରେ ସର୍ବାଧିକ ୧୫ ହଜାର ୧୬୩ କ୍ୟୁସେକ, ୧୦ ତାରିଖରେ ୧୪ ହଜାର ୭୫୨ କ୍ୟୁସେକ, ୯ ତାରିଖରେ ୧୪ ହଜାର ୦୪୪ କ୍ୟୁସେକ, ୨ ତାରିଖରେ ୯୭୨୨ କ୍ୟୁସେକ, ୩ ତାରିଖରେ ୮୬୨୯ କ୍ୟୁସେକ ପାଣି ଅବ୍ୟବହୃତ ହୋଇ ରହିଗଲା।
ବୁର୍ଲା ଜଳ ବିଦ୍ୟୁତ କେନ୍ଦ୍ରର ପ୍ରମୁଖ ଦେବାଶିଷ ମିଶ୍ର କହିଛନ୍ତି, ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରର ବିଜୁଳି ଉତ୍ପାଦନ ବୁର୍ଲା ଉପରେ ନିର୍ଭର କରିଥାଏ। ୧୫ ଦିନ ମଧ୍ୟରେ ଗ୍ରିଡର ଚାହିଦା ଦୃଷ୍ଟିରୁ ବୁର୍ଲା କେନ୍ଦ୍ର ଅଧିକ ବିଜୁଳି ଉତ୍ପାଦନ କରୁଥିଲା। ଏଥିସହିତ ଚିପିଲିମାର ଗୋଟିଏ ମେସିନ ମରାମତି ପାଇଁ ଯାଇଛି। ଏହା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଗୋଟିଏ ମେସିନ ଜରିଆରେ ଚିପିଲିମାର ବିଜୁଳି ଉତ୍ପାଦନ କରୁଛି। ତେଣୁ ଏଠାରେ ବିଜୁଳି ଉତ୍ପାଦନର କୌଣସି ସମସ୍ୟା ନଥିବା ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର