କୋଭାକ୍ସିନର ଫଳପ୍ରଦତାକୁ ନେଇ ଉଠିଲା ପ୍ରଶ୍ନ

ଗବେଷଣା ରିପୋର୍ଟ ତ୍ରୁଟିପୂର୍ଣ୍ଣ : ଭାରତ ବାୟୋଟେକ୍
ଦ୍ବିତୀୟ ଲହରର ଭୂତାଣୁ ମୁକାବିଲାରେ କମ୍ ଫଳପ୍ରଦ ବୋଲି କହିଥିଲେ ଗବେଷକ
ରିପୋର୍ଟ ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ ହୋଇଛି: ଡ.ଜମିଲ୍

ଭୁବନେଶ୍ବର : ଭାରତୀୟ ଜ୍ଞାନକୌଶଳରେ ନିର୍ମିତ କୋଭାକ୍ସିନ ଅନ୍ୟ ଟିକା ତୁଳନାରେ ଶରୀରରେ କମ୍ ଆଣ୍ଟିବଡି ସୃଷ୍ଟି କରୁଛି। ଏହା ଦ୍ବିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ ‘ବି.୧.୬୧୭.୨’ ପାଇଁ କୋଭାକ୍ସିନ ସ୍ବଳ୍ପ ଫଳପ୍ରଦ ବୋଲି କିଛି ଗବେଷକ ମତ ଦେଇଛନ୍ତି। ତେବେ ସେମାନଙ୍କର ଏହି ଗବେଷଣା ରିପୋର୍ଟ ଏକ ଜର୍ଣ୍ଣାଲରେ ପ୍ରକାଶ ପାଇଲା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାରତ ବାୟୋଟେକ୍ ପକ୍ଷରୁ ଏହି ଗବେଷଣା ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ବୋଲି କୁହାଯାଇଛି।

ଆଇସିଏମ୍‌ଆର୍‌-ନେସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଏବଂ ଭାରତ ବାୟୋଟେକ୍‌ ପକ୍ଷରୁ ମିଳିତ ଭାବରେ ଭାରତୀୟ ଜ୍ଞାନକୌଶଳରେ ବିକଶିତ କରାଯାଇଥିବା ଏକମାତ୍ର ଟିକା ହେଲା କୋଭାକ୍ସିନ। ତୃତୀୟ ପର୍ଯ୍ୟାୟ ଦ୍ବିତୀୟ ମଧ୍ୟବର୍ତ୍ତୀକାଳୀନ ଗବେଷଣା ଅନୁସାରେ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବାରେ କୋଭାକ୍ସିନ ୭୮ ପ୍ରତିଶତ ପ୍ରଭାବଶାଳୀ ରହୁଥିବା ନେଇ ଭାରତୀୟ ବାୟୋଟେକ୍‌ ଦାବି କରୁଛି। ମାତ୍ର ସଂସ୍ଥାର କିଛି ଗବେଷକ ଭୂତାଣୁ ବି.୧, ଏହାର ଭେରିଏଣ୍ଟ ବି.୧୩୫୧(ଦକ୍ଷିଣ ଆପ୍ରିକା ଭେରିଏଣ୍ଟ), ବି.୧.୬୧୭.୨ ଭୂତାଣୁକୁ କୋଭାକ୍ସିନ ମୁକାବିଲା କରିବାରେ କେତେ ସକ୍ଷମ ଏ ନେଇ କିଛି ଦିନ ପୂର୍ବରୁ ଗବେଷଣା କରିଥିଲେ। ଏଥିପାଇଁ କୋଭିଡରୁ ମୁକ୍ତ ହୋଇଥିବା ୨୦ଜଣ ଏବଂ କୋଭାକ୍ସିନ ଦୁଇଟି ଡୋଜ୍‌ ନେଇଥିବା ୧୭ ଜଣଙ୍କଠାରୁ ସେରମ ନିଆଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ ଏହା ବି.୧୩୫୧ ଭେରିଏଣ୍ଟ କୁ ତିନି ଭାଗ ଦୁର୍ବଳ କରିଛି। ବି.୧.୬୧୭.୨ ଭୂତାଣୁକୁ ମଧ୍ୟ ଏହା ୨.୭ରୁ ୪.୬ ଫୋଲ୍ଡକୁ ହ୍ରାସ କରିଛି। ଗବେଷଣା ଅନୁସାରେ, ଭୂତାଣୁକୁ ଦୁର୍ବଳ କରିବାରେ କୋଭାକ୍ସିନର ପ୍ରଭାବ କମ ରହିଛି। ଏହା ସତ୍ତ୍ବେ ବି.୧୩୫୧ ଓ ବି.୧.୬୧୭.୨ ଠାରୁ ସୁରକ୍ଷାତ୍ମକ ପ୍ରତିକ୍ରିୟା ଦେଖାଉଛି।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତ ବାୟୋଟେକ୍ କର୍ତ୍ତୃପକ୍ଷ କହିଛନ୍ତି, ପ୍ରକାଶିତ ରିପୋର୍ଟ ପରିସଂଖ୍ୟାନ ଦୃଷ୍ଟିରୁ ସମୀକ୍ଷା ହୋଇ ନାହିଁ କିମ୍ବା ବୈଜ୍ଞାନିକ ଆଧାରରେ ଡିଜାଇନ କରାଯାଇନାହିଁ। ଆହୁରି ମଧ୍ୟ ଏହି ଗବେଷଣାଟି କ୍ଲିନିକାଲ ଟ୍ରାଏଲ ରେଜିଷ୍ଟ୍ରି (ସିଟିଆରଆଇ) ଓ୍ବେବସାଇଟରେ ପଂଜୀକୃତ ହୋଇ ନାହିଁ। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡର୍ଡ କଣ୍ଟ୍ରୋଲ ପକ୍ଷରୁ ଅନୁମୋଦିତ ହୋଇ ନାହିଁ। କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ତଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ହେବା ପରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡର୍ଡ କଣ୍ଟ୍ରୋଲ (ସିଡିଏସଓ)କୁ ଦାଖଲ କରାଯିବ। ୩ ମାସ ମଧ୍ୟରେ ଏହା ପ୍ରକାଶିତ ହେବ। କୋଭାକ୍ସିନର ତୃତୀୟ ପର୍ଯ୍ୟାୟର ସମ୍ପୂର୍ଣ୍ଣ ଟ୍ରାଏଲ ତଥ୍ୟ ଜୁଲାଇରେ ଜଣାଇ ଦିଆଯିବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଏହା ସମ୍ପୂର୍ଣ୍ଣ ବିଶ୍ଳେଷଣ ତଥ୍ୟ ମିଳିବା ପରେ ଭାରତ ବାୟୋଟେକ ଲାଇସେନ୍ସ ପାଇଁ ଆବେଦନ କରିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ କୋଭାକ୍ସିନ ସଂପର୍କରେ କିଛି ଗବେଷକଙ୍କ ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ବିଶିଷ୍ଟ ଟିକା ବିଶେଷଜ୍ଞ ସାହିଦ ଜମିଲ। ସେ କହିଛନ୍ତି, ଭୂତାଣୁକୁ ଦୁର୍ବଳ କରିବା ପାଇଁ କୋଭାକ୍ସିନ କମ ଆଣ୍ଟିବଡି ସୃଷ୍ଟି କରୁଥିଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢାଉଛି। ରୋଗକୁ ଗୁରୁତର କରିବାକୁ ଦେଉନାହିଁ, ମୃତ୍ୟୁହାରକୁ ହ୍ରାସ କରୁଛି। ଜମିଲ ଏହି ଗବେଷଣା ସହିତ ସଂପୃକ୍ତ ନଥିଲେ ମଧ୍ୟ ସେ ସତର୍କ କରିଛନ୍ତି ଯେ କୌଣସି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏହି ଗବେଷଣା କରିଛନ୍ତି। ଏହି ଗବେଷକମାନେ ଆଇସିଏମଆର-ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଏବଂ ଭାରତ ବାୟୋଟେକ ସହିତ ଜଡ଼ିତ ଥିଲେ ମଧ୍ୟ ଆର୍ଥିକ, ମର୍ଯ୍ୟାଦା ଦୃଷ୍ଟିରୁ ବିଭିନ୍ନ ଭାବରେ ବିବାଦୀୟ ବୋଲି ଜମିଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇଂଲଣ୍ଡରେ ଉତ୍ପାଦିତ ଏଷ୍ଟ୍ରାଜେନେକାର ଗୋଟିଏ ଡୋଜ କୋଭିଡ-୧୯ର ପ୍ରଭାବକୁ ହ୍ରାସ କରିବାର ଫଳପ୍ରଦତା ମାତ୍ର ୩୩ ପ୍ରତିଶତ ବୋଲି ପ୍ରକାଶିତ ହେବା ପରେ ଏହି ରିପୋର୍ଟ ଆସିଛି। ତେଣୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏଷ୍ଟ୍ରା‌ଜେନେକା ଟିକାର ଦୁଇଟି ଡୋଜ ଯାହାକି ଭାରତରେ କୋଭିସିଲ୍ଡ ନାମରେ ଉପଲବ୍ଧ।

ସମ୍ବନ୍ଧିତ ଖବର