କଟକ: ନୂଆ ସରକାର ଦାୟିତ୍ବ ନେଇ ସାରିଥିବା ବେଳେ ଆଡଭୋକେଟ୍ ଜେନେରାଲ (ଏଜି) ପଦ ଖାଲି ପଡ଼ିବା ପ୍ରସଙ୍ଗକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରୀ ଡାକ୍ତରଖାନା ପରିସରରେ ଘରୋଇ ଔଷଧ ଦୋକାନ ଅନୁମତି ସଂପର୍କିତ ରିଟ୍ ଅପିଲ ଗୁଡ଼ିକର ଶୁଣାଣି କରୁଥିଲେ। ଏହି ସମୟରେ ଆଡଭୋକେଟ୍ ଜେନେରାଲ୍ ନିଯୁକ୍ତି କାହିଁକି ହୋଇ ନାହାନ୍ତି ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଆଡଭୋକେଟ୍ ଜେନେରାଲ ଦାୟିତ୍ବରେ ଥିବା ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍(ଜିଏ) ଜ୍ୟୋତି ପ୍ରକାଶ ପଟ୍ଟନାୟକଙ୍କ ନିକଟରୁ ମୁଖ୍ୟ ବିଚାରପତି ଏ ସଂକ୍ରାନ୍ତରେ ଜାଣିବାକୁ ଚାହିଁଥିଲେ। ସରକାର ଆଡଭୋକେଟ୍ ଜେନେରାଲଙ୍କୁ ନିଯୁକ୍ତି ଦେଇ ନଥିବାରୁ ସାମ୍ବିଧାନିକ ଶୂନ୍ୟସ୍ଥାନ (କନଷ୍ଟିଚ୍ୟୁସନାଲ ଭାକ୍ୟୁମ୍) ସୃଷ୍ଟି ହୋଇଛି ବୋଲି ହାଇକୋର୍ଟ କହିଥିଲେ।
ଏହାର ଜବାବରେ ଜିଏ ଶ୍ରୀ ପଟ୍ଟନାୟକ ଏ ନେଇ ସରକାରଙ୍କୁ ଅବଗତ କରିବେ ବୋଲି କହିଥିଲେ। ସମ୍ବିଧାନରେ ଆଡଭୋକେଟ୍ ଜେନେରାଲ ପଦକୁ ନେଇ ରହିଥିବା ବ୍ୟବସ୍ଥା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ପ୍ରଥମ ନିଯୁକ୍ତି ଭାବେ ଆଡଭୋକେଟ୍ ଜେନେରାଲଙ୍କୁ ନିଯୁକ୍ତ କରାଯାଏ ବୋଲି ସେହି ଶୁଣାଣି ସମୟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀମାନେ ମଧ୍ୟ ମତ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ପଦରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଇସ୍ତଫା ଦେଇଥିଲେ। ଏହାପରେ ଜିଏ ଶ୍ରୀ ପଟ୍ଟନାୟକ ଆଡଭୋକେଟ୍ ଜେନେରାଲ ଦାୟିତ୍ବରେ ରହିବେ ବୋଲି ଜୁନ୍ ୫ରେ ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ ୧୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ୧୬ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଆଡଭୋକେଟ୍ ଜେନେରାଲ ପଦରେ ଏ ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ସମ୍ବିଧାନରେ ଏଜିଙ୍କ ନିଯୁକ୍ତି ଓ ଦାୟିତ୍ବ ପ୍ରସଂଗରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ରହିଛି। ସମ୍ବିଧାନର ଧାରା ୧୬୫ ଅନୁସାରେ ହାଇକୋର୍ଟ ବିଚାରପତି ହେବା ପାଇଁ ଯୋଗ୍ୟତା ଥିବା ଜଣେ ବ୍ୟକ୍ତିଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ବିଭିନ୍ନ ଆଇନଗତ ଦିଗ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଆଡଭୋକେଟ୍ ଜେନେରାଲ ପରାମର୍ଶ ପ୍ରଦାନ କରିବାର ବିଧି ରହିଛି। ସମ୍ବିଧାନର ଧାରା ୧୭୭ରେ ଆହୁରି ଉଲ୍ଲେଖ ରହିଛି ଯେ ବିଧାନସଭା ପ୍ରୋସିଡିଂରେ ମଧ୍ୟ ଆଡଭୋକେଟ୍ ଜେନେରାଲ ଅଂଶଗ୍ରହଣ କରି ପାରିବେ। ସେହିଭଳି ବିଧାନସଭାର କୌଣସି କମିଟିରେ ଯଦି ଆଡଭୋକେଟ୍ ଜେନେରାଲଙ୍କୁ ସଦସ୍ୟ ଭାବେ ନିଆଯାଇଥାଏ ତେବେ ସଂପୃକ୍ତ କମିଟିରେ ତାଙ୍କର କହିବାର ଓ ପ୍ରୋସିଡିଂରେ ଭାଗ ନେବାର ଅଧିକାର ରହିବ। ମାତ୍ର ତାଙ୍କର ମତଦାନର ଅଧିକାର ନାହିଁ। ଏସବୁ ଦୃଷ୍ଟିରୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଡଭୋକେଟ୍ ଜେନେରାଲ ପଦ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି।