ପୁରୀ : ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଧାଡ଼ି ଦର୍ଶନ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ପ୍ରଥମ ଦିନରେ ଦର୍ଶନ ବ୍ୟବସ୍ଥାକୁ ନେଇ କିଛି ଭକ୍ତ ଖୁସି ଥିବା ବେଳେ କିଛି ଭକ୍ତ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଥମ ଦିନରେ ଭକ୍ତମାନେ ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ସୁନ୍ଦର ଦର୍ଶନ କରିଥିବା କହିଛନ୍ତି। ସ୍ଥାନୀୟ ଭକ୍ତ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକଟ କରିଥିଲେ। ଆଜି କିଛି ଅସନ୍ତୁଷ୍ଟ ଭକ୍ତ ବ୍ୟାରିକେଡ୍‌ ଭାଂଗି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି। ଏହାକୁ ନେଇ କିଛି ସମୟ ଉତ୍ତେଜନା ଲାଗି ରହିଥିଲେ ବି ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଭଂଗାଯାଇଥିବା ବ୍ୟାରିକେଡ୍‌କୁ ପୁନଃ ଲଗାଯାଇଥିଲା।

Advertisment

ଆଜି ଦ୍ୱାରଫିଟାଠାରୁ ଧାଡ଼ି ଦର୍ଶନ ପର୍ଯ୍ୟନ୍ତ ସବୁ କିଛି ବ୍ୟବସ୍ଥା ଶୃଙ୍ଖଳିତ ରହିଛି। ପ୍ରଥମ ଦିନରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ନୀତି ବିଳମ୍ବ ହୋଇଥିଲା। ସକାଳ ୭ଟା୩୦ ପରେ ମଙ୍ଗଳ ଆଳତି ହୋଇଥିବା ବେଳେ ମହାପ୍ରସାଦ ମଧ୍ୟ ବିଳମ୍ବରେ ବାହାରିଥିଲା। ପୂର୍ବ ନିଷ୍ପତ୍ତି ମୁତାବକ, ସୋମବାର ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଭକ୍ତମାନେ ଲୁଗାପଟି ନିକଟରୁ ନିର୍ମାଣ ହୋଇଥିବା ବ୍ୟାରିକେଡ୍‌ ଦେଇ ପ୍ରବେ‌ଶ କରିଥିଲେ। ପୁଲିସ ପକ୍ଷରୁ ଯାଞ୍ଚ କରାଯିବା ପରେ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ବାଇଶି ପାହାଚରେ ନିର୍ମାଣ ହୋଇଥିବା ଏକପାଖିଆ ରାସ୍ତାରେ ଧାଡିରେ ଯାଇ ଗୁମୁଟ, କୀର୍ତ୍ତନ ଚକଡା, ସାତ ପ‌ାହାଚ ଦେଇ ଜଗମୋହନ, ବାହାର କାଠ ଓ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସରିବା ପରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦକ୍ଷିଣଦ୍ୱାର ପଟକୁ ପ୍ରସ୍ଥାନ କରିଥିଲେ। ତେବେ ପୂରା ଦର୍ଶନ ପାଇଁ ଭକ୍ତଙ୍କୁ ପୂର୍ବାପେକ୍ଷା ଅଧିକ ସମୟ ଲାଗିଥିଲା। ଚପଲ ଜୋତା, ମୋବାଇଲ୍ ରଖୁଥିବା ଭକ୍ତଙ୍କୁ ବୁଲି ବୁଲି ପୁଣି ସେହି ସ୍ଥାନକୁ ଆସିବାକୁ ପଡିଥିଲା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ପ୍ରମୁଖ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ରହି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ତଦାରଖ କରିିଥିଲେ। ଆଜି ଦ୍ୱାରଫିଟା ପରେ ସ୍ଥାନୀୟ କିଛି ଭକ୍ତ ଯେଉଁମ‌ାନେ ନିୟମିତ ମଙ୍ଗଳ ଆଳତି ଦର୍ଶନ କରିଥାନ୍ତି ସେମ‌ାନେ ଧାଡ଼ିରେ ଆସିବାକୁ ନାପସନ୍ଦ କରିଥିଲେ। ସେମାନେ ବ୍ୟାରିକେଡ୍‌ ଭାଂଗି ମନ୍ଦିର ଭିତରକୁ ଧସେଇ ପଶିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଶୃଙ୍ଖଳିତ ଧାଡ଼ି ଦର୍ଶନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ର‌ଶାସକ କହିଛନ୍ତି ଯେ, ପ୍ରଥମ ଦିନରୁ ଭକ୍ତମାନେ ଧାଡି ଦର୍ଶନ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି। ପ୍ରଥମ ଦିନ‌େର ଯାହା କିଛି ସମସ୍ୟା ଦୃଷ୍ଟିକୁ ଆସିଛି ପରବର୍ତ୍ତୀ ସମୟରେ ସେଥିରେ ସୁଧାର ଅଣାଯିବ। ଭିନ୍ନକ୍ଷମ, ଭିଆଇପି ଓ ବରିଷ୍ଠ ନାଗରିକମାନେ ସ୍ୱତନ୍ତ୍ର ଲାଇନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ସେବକମାନଙ୍କ ପାଇଁ ଏବଂ ସ୍ଥାନୀୟ ଅଞ୍ଚଳର ବୟେ‌ାବୃଦ୍ଧଙ୍କ ପାଇଁ କୌଣସି କଟକଣା ରହିବ ନ‌ାହିଁ। ‌ବାଇଶି ପାହାଚରେ ପ୍ରବଳ ଭିଡ ଜମୁଥିବାରୁ ଏଠାରେ ପିଣ୍ଡଦାନକୁ ବାରଣ କରାଯିବ। ତେବେ ଚଳିତ ବର୍ଷ ଏହା ଚାଲୁ ରହିବ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ସ୍ଥାନୀୟ ବାସିନ୍ଦା ଯେଉଁମାନେ ମଙ୍ଗଳ ଆଳତି ଦର୍ଶନ କରୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ସ୍ଥାନୀୟ ଲୋକେ ଅବଢା ନେବା ପାଇଁ ଉତ୍ତର ଦ୍ୱାର ଦେଇ ଆନନ୍ଦବଜାରକୁ ଆସିପାରିବେ। ସେମାନେ ଆନନ୍ଦବଜାରରୁ ଅବଢା ନେଇ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ। କିନ୍ତୁ ସେମାନେ ଗୁମୁଟ ଭିତରକୁ ଆସି ପାରିବେ ନାହିଁ। ଆଜି ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭ ନିକଟ‌େର ଚୁନାରା ସେବକମାନେ ଥାଳି ଉଠାଇ ନେଇଛନ୍ତି। ମାତ୍ର ଅନ୍ୟ ଦାନ ଦକ୍ଷିଣା ବ୍ୟବସ୍ଥା ଚାଲୁ ରହିଛି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଥିଲେ।