ବନ୍ୟା କ୍ଷତିଗ୍ରସ୍ତଙ୍କ ମୁହଁରେ ହସ ଫୁଟାଇ ପାରିବେ ଖଣ୍ଡଗିରି, ହୀରା, ଘଣ୍ଟେଶ୍ବରୀ

ନିରାଶ କରୁଛି ବିହନ ନିଗମ, ୧ ଲକ୍ଷ କେଜି ମୁଗ, ବିରି ବାଣ୍ଟିବାକୁ ନିର୍ଦେଶ

ଭୁବନେଶ୍ବର : ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରିବେ ଖଣ୍ଡଗିରି, ଉଦୟଗିରି, ଘଣ୍ଟେଶ୍ବରୀ, ହୀରା, ସହଭାଗୀ ଏବଂ ମନ୍ଦାକିନୀ ସଅଳ କିସମ ଧାନ ବିହନ। ବରିଷ୍ଠ କୃଷି ବୈଜ୍ଞାନିକ ଏସ ଆର ଦାସଙ୍କ ଅନୁସାରେ, ବର୍ତ୍ତମାନ ଠାରୁ ଏହି ବିହନ ବୁଣି ଦେଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିନ୍ତା କରିବାର ନାହିଁ। ନଭେମ୍ବର ମାସ ଧାନ ସଂଗ୍ରହ ସମୟରେ ଫସଲ ଅମଳ ହୋଇ ସାରିଥିବ। ଅନ୍ୟଦିଗରେ ଏହି ବିହନଗୁଡ଼ିକ ରାଜ୍ୟ ସରକାରଙ୍କ ବିହନ ନିଗମ ପାଖରେ ନଥିବାରୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

osscltd.in

ଏସଆରସିଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ବନ୍ୟାରେ ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଜମିର ୩୩ ପ୍ରତିଶତରୁ ଅଧିକ ଫସଲ ବରବାଦ ହୋଇଗଲା। ଏଥିରେ ମୁଖ୍ୟତଃ ଅନୁଗୁଳ, ବରଗଡ଼, ବୌଦ୍ଧ, ନୟାଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୁଆପଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଫସଲ ରହିଛି। ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ୭୦ରୁ ୮୦ ଦିନିଆ ହୀରା ବିହନ ଚାଷୀଙ୍କୁ ମିଳିଗଲେ ବଡ଼ ସମସ୍ୟାରୁ ଚାଷୀ ମୁକୁଳି ଯାଆନ୍ତେ। ୯୦ରୁ ୧୦୦ ଦିନିଆ ଖଣ୍ଡଗିରି, ଉଦୟଗିରି, ଘଣ୍ଟେଶ୍ବରୀ, ୧୦୦ରୁ ୧୦୫ ଦିନିଆ ସହଭାଗୀ ଏବଂ ମନ୍ଦାକିନୀ ମଧ୍ୟ କାମକୁ ଆସିବ। ମାତ୍ର ରାଜ୍ୟର କୌଣସି ପ୍ୟାକ୍ସ କିମ୍ବା ଡିଲର ପାଖରେ ଏହା ଉପଲବ୍ଧ ନାହିଁ। ଏହି ବିହନ ପାଇଁ କୌଣସି ପ୍ୟାକ୍ସ କିମ୍ବା ଡିଲର ଟଙ୍କା ଜମା ମଧ୍ୟ କରିନଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏକମାତ୍ର ପୁରୀ ୪୦ କ୍ବିଣ୍ଟାଲ ସଅଳ କିସମ ବିହନ ନେଇଥିବା ଜଣାପଡ଼ିଛି। ଅନ୍ୟଦିଗରେ ନିଗମ ପାଖରେ ୨୫ ହଜାର କ୍ବିଣ୍ଟାଲ ବିହନ ଥିବା ନେଇ ପୂର୍ବରୁ ନିଗମ ପରିଚାଳନା ନିର୍ଦେଶକ କହି ଆସୁଥିଲେ। ଚାଷୀଙ୍କ ଆବଶ୍ୟକତା ଅନୁସାରେ ନିଗମ ବାହାରୁ ଆଣି ଚାଷୀଙ୍କୁ ଦେବ ବୋଲି କୁହାଯାଉଥିଲା।

IndiaMART

ବର୍ତ୍ତମାନ ପରିପ୍ରେକ୍ଷୀରେ ନିଗମ ପାଖରେ ମହଜୁଦ ଅଧିକାଂଶ ବିହନ ଦାର୍ଘକାଳୀନ ବିହନ ଅଟେ। ଯାହା ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟକ ନୁହେଁ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ବିଭାଗ ବିଶେଷ ପ୍ରସ୍ତୁତ ନଥିବାରୁ ତୁରନ୍ତ ବାହାରୁ ବିହନ ମଧ୍ୟ ନିଗମ ଆଣିପାରୁ ନଥିବା ଅଭିଯୋଗ ହେଉଛି। ଅନ୍ୟଦିଗରେ ସଅଳ ଧାନ ବିହନ ଦେଇ ନପାରି ବନ୍ୟା କ୍ଷତିଗ୍ରସ୍ତଙ୍କୁ କୃଷି ନିର୍ଦେଶାଳୟ ୪ କେଜି କିଟ୍ ବିଶିଷ୍ଟ ୧ ଲକ୍ଷ ୨୨ ହଜାର ୩୦୦ କେଜି ବିଶିଷ୍ଟ ମୁଗ ଏବଂ ବିରି ଦେବା ପାଇଁ କୁହାଯାଇଛି। ଏଥିରେ ଅନୁଗୁଳକୁ ୩ ହଜାର କେଜି, ଭଦ୍ରକକୁ ୧୫ ହଜାର ୨୫୦ କେଜି, ବଲାଙ୍ଗୀରରୁ ୨୮୩୫ କେଜି, ବୌଦ୍ଧକୁ ୧୪ ଶହ କେଜି, କଟକକୁ ୬୦ ହଜାର ୮୨୫ କେଜି, ଜଗତସିଂହପୁରକୁ ୧୫ ହଜାର ୮୨୫ କେଜି, ଯାଜପୁରକୁ ୧୮୯୫ କେଜି, କେନ୍ଦ୍ରାପଡ଼ାକୁ ୬୭୫୦ କେଜି, ଖୋର୍ଧାକୁ ୬୫୨୦ କେଜି, କୋରାପୁଟକୁ ୫୫୦ କେଜି, ନବରଙ୍ଗପୁରକୁ ୫୦୦ କେଜି, ନୟାଗଡ଼କୁ ୬୯୫୦ କେଜି ରହିଛି। ବାଲେଶ୍ବର, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ପାଇଁ କୌଣସି ନିର୍ଦେଶ ନାହିଁ। ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଏହି ପ୍ୟାକେଟଗୁଡ଼ିକ ଯେପରି କଳାବଜାର ହୋଇ ପାରିବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର