କଳାବାଡ଼ିଆ/ବାଙ୍ଗିରିପୋଷି: ଦକ୍ଷିଣ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ଆସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ। ଏହି ନିଶାଦ୍ରବ୍ୟ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ଚାଲାଣ ହେଉଥିବା ବେଳେ ଏହାର ମୁଖ୍ୟ ଗଳାବାଟ ପାଲଟିଛି ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲା। ଗତକାଲି ବାରିପଦା ଭଞ୍ଜପୁର ପୁଲିସ ଏକ ଇନୋଭା କାର୍‌ ସହ ୫୦ କେଜି ଗଞ୍ଜେଇ ଜବତ କରିଥିବା ‌ବେଳେ ଆଜି ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରାଯାଇଛି। ଏହି ଘଟଣାରେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଞ୍ଚଳର କୁନା ସେଟ (୩୦) ଓ ବେଣୁଧର ପ୍ରଧାନ (୨୬)ଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ପାଖରୁ ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। 

Advertisment

ଏଥିସହ ୨ ଦିନରେ ୧୬ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଧରିଲାଣି ମୟୂରଭଞ୍ଜ ପୁଲିସ। ସୂଚନାଯୋଗ୍ୟ; ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଏକ ହ୍ୟୁଣ୍ଡାଇ କାର୍‌ (ଓଡି-୦୨ବିଟି-୭୨୯୩) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ବାରିପଦା ସଦର ଏସ୍‌ଡିପିଓ ସୁଜିତ କୁମାର ପ୍ରଧାନ। ତାଙ୍କ ନେତୃତ୍ବାଧୀନ ଟିମ୍‌ ଉକ୍ତ କାର୍‌ର ପିଛା କରିବାରୁ ଅଭିଯୁକ୍ତମାନେ ବାଙ୍ଗିରିପୋଷି ପଞ୍ଚାୟତ ମଣଦା ନିକଟସ୍ଥ ଏକ ପରିତ୍ୟକ୍ତ ଘର ନିକଟରେ ଗାଡ଼ି ରଖି ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ପାଖରୁ ଏହି ‌ରୢାକେଟ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି ପୁଲିସ।