ବାଲେଶ୍ବର, (କବିତା ପାତ୍ର): ମନରେ ଗୋଟିଏ ନିଶା ଚାଷ କରିବି। ପରିବାର ଲୋକଙ୍କ ବିରୋଧ ପରେ ବି କିଛି ଶୁଣିଲେନି। ଚାକିରି କରି କାହା ଅଧୀନରେ ରହିବା ଅପେକ୍ଷା ସ୍ବାଧୀନ ଭାବରେ ଜିଇଁବାକୁ ପସନ୍ଦ କଲେ। ଆଉ ଶେଷରେ ଓଏଏସ୍‌ ଭଳି ୧୨ ବର୍ଷର ଲୋଭନୀୟ ଚାକିରି ଛାଡ଼ି ଚାଷକୁ ଆପଣେଇ ନେଲେ। ଇଣ୍ଟରନେଟ୍‌, ୟୁଟୁବ୍‌ ଦେଖି ଆଧୁନିକ ଜ୍ଞାନକୌଶଳରେ ଆଜି ମୁକ୍ତାଚାଷ ଓ ସୁଗାର ଫ୍ରି ‘ଷ୍ଟିଭିଆ’ (ମିଠା ଜାତୀୟ ଗଛ) ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଖାଲି ସେ ଏକୁଟିଆ ନୁହେଁ, ଅନେକ ଲୋକଙ୍କୁ ତାଲିମ୍‌ ଦେଇ ରୋଜଗାରକ୍ଷମ କରାଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି। ଆଜିର ଦିନରେ କୃଷି ଭଳି ବୃତ୍ତିକୁ ବାଛିଥିବା ଏହି ଉଚ୍ଚଶିକ୍ଷିତା ମହିଳା ଉଦ୍ୟୋଗୀ ଜଣକ ହେଉଛନ୍ତି ବାଲେଶ୍ବର ରେମୁଣା ଗୋଲେଇ ବାସିନ୍ଦା ଡ. ନିନା ସିଂ (୪୯)।

Advertisment

publive-image

ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ ଡ. ନିନା। ପରେ ବାଲେଶ୍ବର, ଭଦ୍ରକ ଓ ଭୁବନେଶ୍ବରେ ବିଭିନ୍ନ ପଦପଦବିରେ ୧୨ ବର୍ଷ ଚାକିରି କରିଥିଲେ। ନିନାଙ୍କର ପ୍ରଥମରୁ ବ୍ୟବସାୟ ପ୍ରତି ରୁଚି ରହିଥିଲା। ଚାକିରିରେ ମନ ନ ଲାଗିବାରୁ ସେ ଓଏଏସ୍‌ ଛାଡ଼ିବାକୁ ସ୍ଥିର କରିଥିଲେ।

publive-image

ପରିବାର ଲୋକଙ୍କ ବିରୋଧ ପରେ ବି ଡ.ନିନା ଚାକିରି ଛାଡ଼ିଥିଲେ। ପ୍ରଥମେ ରେମୁଣାରେ ନିଜସ୍ବ ଉଦ୍ୟମରେ ମୁକ୍ତା ଚାଷ ଆରମ୍ଭ କଲେ। ଏଥିରେ ସଫଳ ହେବାରୁ ଜିଲ୍ଲା ଓ ଜିଲ୍ଲା ବାହାରେ ୪ ଶହରୁ ଅଧିକ ଲୋକଙ୍କୁ ଚାଷ ପାଇଁ ତାଲିମ୍‌ ଦେଲେ। ମୁକ୍ତା ଚାଷରେ ସଫଳତା ପାଇଁ ଏସୀୟ ମତ୍ସ୍ୟ ସମାଜ ପକ୍ଷରୁ ପ୍ରଫେସର ନନ୍ଦୀଶା କୃଷକ ଅଭିନବ ପୁରସ୍କାର ଓ ଆଇସିଏଆର-ସିଆଇଏଫ୍‌ଏ ଭୁବନେଶ୍ୱର ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଏବେ ସେ ଆଉ ଏକ ଚାଷ (ଷ୍ଟିଭିଆ) ଆରମ୍ଭ କରିଛନ୍ତି। ଦୁଇବର୍ଷ ହେଲା ଏହି ଚାଷ କରିବା ସହ ଷ୍ଟିଭିଆରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି। ଯାହା ରାଜ୍ୟରେ ପ୍ରଥମ ବୋଲି ସେ କହିଛନ୍ତି। ଚାକିରି ଛାଡ଼ିବାକୁ ନେଇ ସେ କେବେ ବି ଅବସୋସ କରିନାହାନ୍ତି। ବରଂ ବେକାର ଯୁବଗୋଷ୍ଠୀ ଏହି ଚାଷ ପ୍ରତି ଆଗ୍ରହ ରଖି ରୋଜଗାରକ୍ଷମ ହୁଅନ୍ତୁ ବୋଲି ଡ.ନିନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।