ସମ୍ବଲପୁର: ‘ତୁ ପରା ଭାବିଛୁ ତୋଷାମୋଦୀ କରି/ ବଢ଼ାଇବୁ ଜାତି ମାନ/ ତୋଷାମୋଦିଆର କୁକୁର ପ୍ରକୃତି/ ଅଇଁଠା ପତରେ ଧ୍ୟାନ।’ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କବିତାର ଏ ପଦଟି କହି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ଅଧିକାର ଓ ନ୍ୟାୟ ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି, ତୋଷାମୋଦୀ କରି କୌଣସି ଜାତି ବଡ଼ ହୋଇନାହିଁ। ହାରିଗୁହାରି କରି, ଜି.. ହଜୁର.. କରି କୌଣସି ଜାତି ବଡ଼ ହୋଇନାହିଁ। ବଡ଼ ହୋଇଛି ଲଢ଼େଇ କରି। କଥା କହିବା ପାଇଁ ବଡ଼ ହୋଇଛି। ସମ୍ବଲପୁର ମାଟି ସଂଗ୍ରାମୀଙ୍କ ମାଟି। ଏଠିକାର ସ୍ୱାଧୀନତା ସଂଗ୍ରାମୀ ହାତରେ ତଲୱାର ଧରି ଲଢ଼େଇ କରିଥିଲେ। କିନ୍ତୁ ଏବେ ମରିବାର ସମୟ ନାହିଁ। କରିବାର, କହିବାର ସମୟ ଆସିଛି। ଏଣୁ କେହି ଭିକ୍ଷା ଥାଳି ଧରନ୍ତୁ ନାହିଁ। ସାମ୍ବିଧାନିକ ଅଧିକାର ଓ ନ୍ୟାୟ ପାଇଁ ଲଢ଼େଇ କରନ୍ତୁ। ପ୍ରତିବାଦର ସ୍ୱର ଉଠାନ୍ତୁ। ସରକାର କିଏ ଅଛି, ସେ କଥା ଛାଡ଼। ରାଜ୍ୟ, ଦେଶ ଓ ସମାଜ ପାଇଁ ସଂଘର୍ଷ କରିବାକୁ ହେବ । ସମ୍ବଲପୁର ନିକଟ କୁଦୋପାଲିଠାରେ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ସହିଦଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଜ୍ୟପାଳ ଏହା କହିଥିଲେ।

Advertisment

ଛବିଳ ସାଏଙ୍କ ସମେତ ୫୭ ସହିଦଙ୍କ ଶ୍ରଦ୍ଧାଞ୍ଜଳି ସଭା
ସମ୍ବଲପୁର ମାଟିରୁ ଓଡ଼ିଆଙ୍କୁ ଆହ୍ୱାନ ଦେଲେ ଛତିଶଗଡ଼ ରାଜ୍ୟପାଳ
ନବବର୍ଷରୁ ଇତିହାସ ଉପରେ ଗବେଷଣା ହେବ: ଧର୍ମେନ୍ଦ୍ର
ଦୁଇ ପଦ୍ମଶ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସମ୍ମାନିତ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର କରି ଗଢ଼ି ତୋଳିବା। ଏଥିପାଇଁ ଆମ ସମସ୍ତଙ୍କ ଉଦ୍ୟମ ଦରକାର। ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ଶିକ୍ଷା ବିଭାଗ ଆଇସିଏଚ୍‌ଆର୍‌ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆହୁରି କହିଥିଲେ, ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ ଲଢିଥିଲା। ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆମ ଦେଶ ଭାରତ ଏକ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଆଗାମୀ ୨୫ ବର୍ଷ ବୀର ସୁରେନ୍ଦ୍ର ସାଏ, ଛବିଳ ସାଏଙ୍କୁ ସ୍ମରଣ କରି ୨୦୪୭ରେ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ। ସମ୍ମାନିତ ଅତିଥି ରୂପେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ କୁଦୋପାଲି ଘାଟିକୁ ରକ୍ତର ତୀର୍ଥ ସ୍ଥଳୀ ବୋଲି କହିଥିଲେ। ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଯୋଗଦେଇ ସମ୍ବଲପୁରୀ ଭାଷାର ସ୍ରଷ୍ଟା ଆଦିବାସୀ ବୋଲି କହିଥିଲେ। ବୀର ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସଭାରେ କମିଟିର ଅଧ୍ୟକ୍ଷ ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ ସଭାପତିତ୍ୱ କରିଥିଲେ।