ସାଇନାପ୍ସ-୨୦୨୨ କୁଇଜ୍ ପ୍ରତିଯୋଗିତା : ଇଂରାଜୀରେ କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟ, ଓଡ଼ିଆରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିଆନ

ଓଡ଼ିଶାର ସର୍ବବୃହତ୍ତ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା

କଟକ: ‘ଟିମ୍ କ୍ୱିଜାର୍ଡ’ ଓ ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ଅନୁଷ୍ଠାନ ‘ହ୍ୱାଇଟ୍ କାନଭାସ୍’ ଆନୁକୂଲ୍ୟରେ ତଥା ‘ଡମ୍ବୁର୍ ଆପ୍ସ ଓ ଫାର୍ମ ବି’ର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶାର ସର୍ବବୃହତ୍ତ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତାର ୬ଷ୍ଠ ସଂସ୍କରଣ ସାଇନାପ୍ସ-୨୦୨୨ କଟକର ସହିଦ୍‌ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଆୟୋଜିତ ଏହି ସ୍ୱତନ୍ତ୍ର ଓ ଅନନ୍ୟ କୁଇଜ୍ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ ରୁଚି ଫୁଡ୍ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏବଂ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଡମ୍ବୁରର ପ୍ରତିଷ୍ଠାତା ସମ୍ୟକ ମହାନ୍ତି ସ୍ୱାଗତ ସୂଚନା ଦେଇଥିବା ବେଳେ କୁଇଜ୍ ସଂପର୍କିତ ନିୟମାବଳୀର ସୂଚନା ପ୍ରଦାନ କରିଥିଲେ। ଟିମ୍ କ୍ୱିଜାର୍ଡର କୁଇଜ୍ ମାଷ୍ଟର ପ୍ରିତୀମାନ ମିଶ୍ର, ଅୟାଂଶୁ ଦେବବ୍ରତ ଓ ମହେଶ୍ୱତା ମିଶ୍ର । ପ୍ରଥମେ ଇଂରାଜୀ ମିଡିୟମ ବିଦ୍ୟାଳୟର କୁଇଜ୍ ଅନୁଷ୍ଠିତ ହୋଇଥିଲା । ୮୦ଟି ବିଦ୍ୟାଳୟରୁ ୬୫୦ ଜଣ ଛାତ୍ରଛାତ୍ରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଗ ନେଇଥିବାବେଳେ ୧୬ ଜଣ କୃତି ଛାତ୍ରଛାତ୍ରୀ ଫାଇନାଲ୍‌ରେ ପହଞ୍ଚି ଥିଲେ । ଫାଇନାଲ୍‌ରେ କିଟ୍ ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସର୍ବାଧିକ ନମ୍ବର ରଖି ସାଇନାପ୍ସ-୨୦୨୨ର ବିଜେତା ହୋଇଥିଲେ।

ସେହିପରି ଅପରାହ୍ଣରେ ୩୦ଟିରୁ ଊର୍ଦ୍ଧ୍ବ ବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀ ଓଡ଼ିଆ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶ୍ରେଷ୍ଠ ୧୬ ଜଣ (୮ଟି ସ୍କୁଲର) ଫଇାନାଲରେ ପ୍ରବେଶ କରିଥିବାବେଳେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ବିଜେତା ହୋଇପାରିଥିଲେ। କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ପୂର୍ବତନ ଅଗ୍ନିଶମ ବିଭାଗର ଡିଜି ଏମ୍ ଅକ୍ଷୟ। ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଓଡ଼ିଆ ସାହିତ୍ୟ ଏକାଡେମୀର ସଂପାଦକ ପ୍ରବୋଧ ରାଉତ, ସେଣ୍ଟ୍ ଜାଭିୟର୍ସ ଗ୍ରୁପର ଅଧ୍ୟକ୍ଷ ଜିଏସ୍ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ପ୍ରଭୁଚରଣ ମହାନ୍ତି, ରୁଚି ଫୁଡ୍ ଲାଇନ୍‌ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଓ ରଶ୍ମି ସାହୁ, ରେଡିଓ ଚକୋଲେଟ୍-ସମ୍ବାଦ ଡିିଜିଟାଲର ମୁଖ୍ୟ ଲିଙ୍ଗରାଜ ଲେଙ୍କା । ସମସ୍ତ ଅତିଥିମାନେ ଏପରି ଏକ ଭିନ୍ନ ଧରଣର କୁଇଜ୍ କାର୍ଯ୍ୟକ୍ରମକୁ ବେଶ୍ ପ୍ରସଂଶା କରିଥିବାବେଳେ ଆଗାମୀ ଦିନରେ ଏହାକୁ ଓଡ଼ିଶାର ବିଭନ୍ନ ପ୍ରାନ୍ତରେ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟ ଓ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଚମ୍ପିଆନ ଟ୍ରଫି ସ୍ମୁତିଚିହ୍ନ ପ୍ରଦାନ କରିଥିଲେ ।

ଏତଦ୍ ବ୍ୟତୀତ ଇଂରାଜୀ ମିଡିୟମ ସ୍କୁଲ୍ କୁଇଜ୍‌ରେ ଡି.ପି.ଏସ୍ କଳିଙ୍ଗ ବିଦ୍ୟାଳୟ ୨ୟ, କଟକର ଷ୍ଟିୱାଟ ବିଦ୍ୟାଳୟର ପିଲାମାନେ ୩ୟ ପୁରସ୍କାର ଲାଭ କରିଥିଲେ । ଶ୍ରେଷ୍ଠ ବାଳିକା ଦଳ ଭାବେ ସେଣ୍ଟ୍ ଜୋସେଫ୍ ବିଦ୍ୟାଳୟ ଓ ଶ୍ରେଷ୍ଠ ଅଂଶଗ୍ରହଣକାରୀ ଦଳଭାବେ ବାରବାଟୀ ସେଣ୍ଟ ଜାଭିୟର୍ସ ପୁରସ୍କୃତ ହୋଇଥିଲେ । ସେହିପରି ଓଡ଼ିଆ ମିଡିୟମ ସ୍କୁଲ୍ କୁଇଜ୍‌ରେ ଶ୍ରେଷ୍ଠ ଦଳଭାବେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍, ଶ୍ରେଷ୍ଠ ବାଳିକା ଦଳ ଭାବେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଆ କୁଇଜ୍ ବିଭାଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱିତୀୟସ୍ଥାନ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍ ୩ୟ ସ୍ଥାନ ଅଧିକାର କରିଥିଲେ ।

ସଭାକାର୍ଯ୍ୟକୁ ହ୍ୱାଇଟ୍ କାନଭାସ୍‌ର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା ପରିଚାଳନା କରିଥିବାବେଳେ କୁଇଜ୍ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଟିମ୍ କ୍ୱିଜାର୍ଡର ସିଦ୍ଧାର୍ଥ ରାଉତ, ସାନ୍ତନୁ ନନ୍ଦ, ଅଭିଷେକ ଏବଂ ହ୍ୱାଇଟ୍ କାନଭାସ୍‌ର ଚିଣ୍ଟୁ ମିଶ୍ର, ସୌମ୍ୟଜିତ୍ ପରିଡ଼ା, ଜ୍ଞାନରଂଜନ ରାୟ, ଅମୃତ ରଂଜନ ଦାଶ, ଅସିତ୍ ସାମଲ, ପ୍ରତାପ ପଣ୍ଡା ଓ ସନ୍ତୋଷ ନାୟକ । କାର୍ଯ୍ୟକ୍ରମରେ କଟକର ବହୁ ବୁଦ୍ଧିିଜୀବୀ ଓ ଦର୍ଶକମାନେ ଉପସ୍ଥିତ ରହି ଛାତ୍ର-ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ ଏହି କୁଇଜ୍ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର