ଆବାସ ଯୋଜନାରେ ବିଧାୟକଙ୍କ କୋଟା ରହୁ

ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ଦାବି

ଭୁବନେଶ୍ବର : ବିଧାୟକମାନେ ସବୁବେଳେ ଲୋକଙ୍କ ପାଖକୁ ଯାଉଛନ୍ତି। ଯୁଆଡ଼େ ଗଲେ ଗରିବ ଲୋକମାନେ ଘର ଖଣ୍ଡେ ପାଇଁ କହୁଛନ୍ତି। କିନ୍ତୁ ଏ କ୍ଷେତ୍ରରେ ବିଧାୟକ ସେମାନଙ୍କୁ ତତ୍‌କାଳ କୌଣସି ସାହାଯ୍ୟ କରିପାରୁ ନାହାନ୍ତି। ସଂପୃକ୍ତ ବ୍ୟକ୍ତି ଘର ପାଇଁ ହକ୍‌ଦାର ବୋଲି ଜାଣୁଥିଲେ ବି ବିଧାୟକ ଅସହାୟ। ତେଣୁ ନିହାତି ଗରିବ ଓ ବାସହରା ଲୋକଙ୍କୁ ତତ୍‌କାଳ ସାହାଯ୍ୟ କରିବା ପାଇଁ ବିଧାୟକଙ୍କ ପାଖରେ ଆବାସ ଯୋଜନାର କିଛି କୋଟା ରହୁ। ଆଜି ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଏମିତି ଦାବି କରିଛନ୍ତି ବିଧାୟକମାନେ। ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ ଏହି ଦାବି ଉଠାଇଥିଲେ।

ବିଜେପି ସଭ୍ୟ ସୁକାନ୍ତ ନାୟକ କହିଥିଲେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନି। ପ୍ରତି ବର୍ଷ ଗ୍ରାମ ସଭା ହେବା କଥା। ତାହା ହେଉ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ମିଛ ପ୍ରଚାର କରିବାରେ ବ୍ୟସ୍ତ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର କରିଥିବା ସତ୍ତ୍ବେ ରାଜ୍ୟ ସରକାର ବାଣ୍ଟି ପାରୁନାହାନ୍ତି। କେବଳ କେନ୍ଦ୍ରକୁ ଦୋଷ ଦେଇ ସରକାର ନିଜ ଦାୟିତ୍ବରୁ ଖସିଯିବାକୁ ବସିଛନ୍ତି। ବିଜେପି ପକ୍ଷରୁ କେ ନାରାୟଣ ରାଓ ଓ ଭବାନୀ ଶଙ୍କର ଭୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପଞ୍ଚାୟତିରାଜ ବିଭାଗକୁ ୨୨,୭୩୪ କୋଟି, ଖର୍ଚ୍ଚଦାବି ପାରିତ
ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ପରିବାରକୁ ପାଇପ ଜଳଯୋଗାଣ: ମନ୍ତ୍ରୀ

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ପ୍ରତି ପଞ୍ଚାୟତରେ ମାର୍କେଟ୍ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଘୋଷଣା ହୋଇଥିଲା। କିନ୍ତୁ ଏ ଯାଏ ତାହା ହୋଇପାରିଲା ନାହିଁ। ଜିଆର୍‌ଏସ୍‌ମାନଙ୍କ ବଦଳିର ବ୍ୟବସ୍ଥା ରହୁ। ପଞ୍ଚାୟତରେ ସରକରା ସିଧାସଳଖ ପିଇଓର ନିଯୁକ୍ତି କରାନ୍ତୁ। ଜଣେ ଜଣେ ଜେଇ ୩/୪ ପଞ୍ଚାୟତ ଦାୟିତ୍ବରେ ରହୁଥିବାରୁ ଠିକ୍ ଭାବେ କାମ କରୁନାହାନ୍ତି। ଆବାସ ଯୋଜନାରେ ଘର ଓ ନଳକୂପ ମଞ୍ଜୁର କରିବାର କ୍ଷମତା ସିଧାସଳଖ ବିଧାୟକଙ୍କୁ ଦିଆଯାଉ। ସନ୍ତୋଷ ସିଂହ ସାଲୁଜା କହିଥିଲେ, ଅଧା ଓଡ଼ିଶାରେ ଏ ଯାଏ ପିଇବା ପାଣି ପହଞ୍ଚିପାରି ନାହିଁ। ଅଧିକାଂଶ ଜାଗାରେ ଜଳଯୋଗାଣ ନିମ୍ନମାନର। କଂଗ୍ରେସ ସଭ୍ୟ ଦାଶରଥୀ ଗମାଙ୍ଗୋ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସରକାର ନିଷ୍ଠାର ସହ ପଞ୍ଚାୟତିରାଜ ବ୍ୟବସ୍ଥା ସୁଦୃଢ଼ କରୁଛନ୍ତି। ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଭାଗୀଦାରିତା ବଢ଼ିଛି। ପ୍ରୋତ୍ସାହନ ରାଶି ଠିକ୍ ଭାବେ ଦିଆଯାଉଥିବାରୁ ଆବାସ ଯୋଜନାରେ ଘର ନିର୍ମାଣ ତ୍ବରାନ୍ବିତ ହୋଇପାରିଛି। ପିଇବା ପାଣି ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇଛନ୍ତି। ଶାସକ ଦଳ ପକ୍ଷରୁ ଭୂପିନ୍ଦର ସିଂହ, ରାଜେନ୍ଦ୍ର ସାହୁ, ଉମାକାନ୍ତ ସାମନ୍ତରାୟ, କିଶୋର ଚନ୍ଦ୍ର ନାୟକ, ସୁନନ୍ଦା ଦାସ ଓ ପ୍ରଦୀପ ଦିଶାରୀ ଆଲୋଚନାରେ ଭାଗ ନେଇଥିଲେ। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଆଲୋଚନା କରିଥିଲେ।

ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷରେ ୧୭,୭୩,୨୪୪ ଗ୍ରାମୀଣ ପରିବାରକୁ ଟ୍ୟାପ୍ ସଂଯୋଗୀକରଣ କରାଯାଇ ପାଇପ ଜଳଯୋଗାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଦ୍ୟାବଧି ରାଜ୍ୟର ୪୩,୮୬,୭୫୯ ଗ୍ରାମୀଣ ପରିବାରଙ୍କୁ ଟ୍ୟାପ୍ ସଂଯୋଗୀକରଣ କରାଯାଇ ପିଇବା ପାଣି ଦିଆଯାଉଛି। ୨୦୨୨-୨୩ରେ ଜଳ ଜୀବନ ମିସନ୍ ପାଇଁ ୬ ହଜାର କୋଟି, ବସୁଧା ପାଇଁ ୮୫୦ କୋଟି ଓ ଆଇଆର୍‌ଡିଏଫ୍ ନିମନ୍ତେ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୫୦୫.୮୪ କୋଟି ଓ ବିଜୁ ପକ୍କା ଘର ଯୋଜନାରେ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆଲୋଚନା ପରେ ପଞ୍ଚାୟତିରାଜ ବିଭାଗର ୨୨,୭୩୪ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପାରିତ ହୋଇଥିଲା। ଏହା ବାଦ୍ କେନ୍ଦ୍ରୀୟ ଅର୍ଥ ଆୟୋଗ ଅଧୀନରେ ୨,୦୮୨ କୋଟି ୪୬ ଲକ୍ଷ, ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅଧୀନରେ ୨,୬୪୯ କୋଟି ୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର