‘କୋଣାର୍କ ଯୋଗୁଁ ଓଡ଼ିଶାରେ ଚାକିରି ପାଇଁ ଚିନ୍ତା କଲି’

ଆର୍‌. ବାଲ୍‌କ୍ରିଷ୍ଣନ୍‌ଙ୍କ ‘ଆବଦ୍ଧ ପଦଚିହ୍ନ’ ଉନ୍ମୋଚିତ

ଭୁବନେଶ୍ବର : ଉନ୍ନୟନ କମିସନର୍‌ ଆର୍‌. ବାଲ୍‌କ୍ରିଷ୍ଣନ୍‌ଙ୍କ ଦ୍ବାରା ରଚିତ ଓ କଥାକାର ସଂଗ୍ରାମ ମହାପାତ୍ରଙ୍କ ଦ୍ବାରା ଅନୂଦିତ ଓ ସଂକଳିତ ପୁସ୍ତକ ‘ଆବଦ୍ଧ ପଦଚିହ୍ନ’ ଉନ୍ମୋଚିତ ହୋଇଛି।

ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମିରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ପୁସ୍ତକକୁ ଉନ୍ମୋଚନ କରି କହିଲେ ‘ଆବଦ୍ଧ ପଦଚିହ୍ନ’କୁ କେବଳ ବହିଟିଏ କୁହାଯାଇପାରିବ ନାହିଁ। ସ୍ଥୂଳ ଦୃଷ୍ଟିରେ ଦେଖିଲେ ଏହା ପ୍ରା‌କ୍‌ ଐତିହାସିକ ସମୟରୁ ଓଡ଼ିଶାର ସତ୍ତା ଉପରେ ଏକ ରଚନା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଏହା ଆଦୌ ଏକ ବହି ନୁହେଁ। ଓଡ଼ିଶାରେ ୩୪ ବର୍ଷର ସ୍ନେହ, ଶ୍ରଦ୍ଧା, ସ୍ମୁତିକୁ ସାଉଁଟି ସେ ଏହି ବହିରେ ଏକାଠି କରିଛନ୍ତି। ସରକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ବାଟ, ଚରିତ୍ର, ଆବରଣ ଓ ଆଚରଣ ରହିଥାଏ। ଚିରାଚରିତ, ଧରାବନ୍ଧା, ପାରମ୍ପରିକ, ରୁଢ଼ିବନ୍ଧ ଧାରଣା ହେଉଛି ଯେ ସରକାରୀ ଅଧିକାରୀମାନେ କେବଳ ସ୍ବପ୍ନ ଦେଖି‌ବେ କିନ୍ତୁ ତାହା ସାକାର କରିବାର ଅଧିକାର ସେମାନଙ୍କର ନାହିଁ। ମାତ୍ର ବାଲ୍‌କ୍ରିଷ୍ଣନ୍‌ ସେ ସବୁ ମଧ୍ୟରୁ ବ୍ୟତିକ୍ରମ। ଭକ୍ତ ବିନା ଯେମିତି ଭଗବାନ ନାହାନ୍ତି, ସେମିତି ବାଲକ୍ରିଷ୍ଣନ୍‌ଙ୍କ ପରି ଅଧିକାରୀଙ୍କ ବିନା ସରକାରଙ୍କର ଗତି ନାହିଁ। ତାଙ୍କ ପରି ଅଧିକାରୀଙ୍କୁ ଦେଖି ସରକାରଙ୍କ ପ୍ରତି ଲୋକଙ୍କର ସମ୍ମାନ, ଆସ୍ଥା ଓ ଭରସା ସୃଷ୍ଟି ହୁଏ। ପୁସ୍ତକ ‘ଆବଦ୍ଧ ପଦଚିହ୍ନ’କୁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଥାପି ଦେଇ ଯାଉଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ୩୪ ବର୍ଷ ଧରି ଆମେ କାମ କରିଛୁ। ୧୯୮୮ରେ ବାଲ୍‌କ୍ରିଷ୍ଣନ୍‌ କୋରାପୁଟ ଓ ମୁଁ ରାୟଗଡ଼ାରେ କାମ କରୁଥିଲୁ। ସେହିଦିନଠାରୁ ଗୋଟିଏ ଜାଗାରେ ମିଶି କାମ କରି ଆସିଛୁ। ସେ ଆଜି ଓଡ଼ିଶାରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଯାଇଛନ୍ତି।

ଓଡ଼ିଶା ପ୍ରତି ଆକୃଷ୍ଟ ହେବା ନେଇ ଆର୍‌. ବାଲକ୍ରିଷ୍ଣନ୍‌ କହିଲେ, କୋଣାର୍କ କଥା ମୁଣ୍ଡକୁ ଆସିବାରୁ ଓଡ଼ିଶାରେ ଚାକିରି କରିବା ପାଇଁ ଚିନ୍ତା କଲି। ପରବର୍ତୀ ସମୟରେ ତାହା ସଫଳ ହୋଇଛି। କୋଣାର୍କ ଉପରେ ଗବେଷଣା କରିବା ସହ କୋରାପୁଟରେ କାମ କରିବାର ଅନୁଭୂତି ନିଆରା ଥିଲା। ଓଡ଼ିଶାର ଜନଜାତି, କୋଣାର୍କ, ଚନ୍ଦ୍ରଭାଗା, ଐତିହ୍ୟ ଉପରେ ଗବେଷଣା କରିବାର ସୁଯୋଗ ମିଳିଲା। ଚାକିରିର ପ୍ରତିଦିନ ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ଏହି ପୁସ୍ତକକୁ ମୁଁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରୁଛି। ଯଦି ଆଇଏଏସ୍‌ ହୋଇ ନଥାନ୍ତି ତେବେ ସାମ୍ବାଦିକତା କରିଥାନ୍ତି ନ ହେଲେ ତାମିଲ ସିନେମାରେ ଅଭିନୟ କରିଥାନ୍ତି ବୋଲି ସେ କହିଥିଲେ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ‌ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଲେ ଯେ, ସାଧାରଣତଃ ପ୍ରଥମ କାର୍ଯ୍ୟ ଦିବସ ସମସ୍ତଙ୍କ ଜୀବନରେ ‌ଅନେକ ଉତ୍ସାହ ଓ ଉଦ୍ଦୀପନା ଭରିଥାଏ। କିନ୍ତୁ ବାଲ୍‌କ୍ରିଷ୍ଣନ୍‌ଙ୍କ ଶେଷ କାର୍ଯ୍ୟ ଦିବସ ଅଧିକ ସ୍ମରଣୀୟ ହୋଇଛି। ଆଜି ଯେଉଁ ପୁସ୍ତକ ଉନ୍ମୋଚିତ ହୋଇଛି ‌ତାହା ତାଙ୍କୁ ପାଠକ ସମାଜ ନିକଟରେ ପରିଚିତ କରାଇବ। ଏହି ପୁସ୍ତକରେ ଓଡ଼ିଶା ସମ୍ପର୍କରେ ଯେଉଁ ପ୍ରବନ୍ଧଗୁଡ଼ିକ ସଙ୍କଳିତ ହୋଇଛି ତାହା ଓଡ଼ିଶା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ସହାୟକ ହେବ। ଦିନେ ଗୋପୀନାଥ ମହାନ୍ତି କହିଥିଲେ, ଯଦି ତାଙ୍କର ଚାକିରି ଜୀବନରେ କୋରାପୁଟ ବଦଳି ହୋଇ ନଥାନ୍ତା, ତେବେ ସେ ଉପନ୍ୟାସ ଲେଖିପାରି ନଥାନ୍ତେ। ବାଲ୍‌କ୍ରିଷ୍ଣନ୍‌ ମଧ୍ୟ କୋରାପୁଟରେ ଚାକିରି ଜୀବନ କଟାଇବା ଦ୍ବାରା ଓଡ଼ିଶାକୁ ଭଲ ଭାବେ ବୁଝିପାରିଛନ୍ତି। ଅନ୍ୟମାନେ ମଧ୍ୟ କୋରାପୁଟ ପରି ସ୍ଥାନକୁ ଯିବା ଦ୍ବାରା ଓଡ଼ିଶାକୁ ଭଲ ଭାବେ ଚିହ୍ନିପାରିବେ। ବାଲ୍‌କ୍ରିଷ୍ଣନ୍‌ ଚାକିରି ଜୀବନର ଶେଷ ଦିନରେ ଯେଉଁ ପ୍ରଶ୍ନଗୁଡ଼ିକ ଉଠାଇଛନ୍ତି ଅନ୍ୟମାନେ ସେହିପରି ଆଗ୍ରହ ଦେଖାଇବା‌ ଆବଶ୍ୟକ। ବାଲକ୍ରିଷ୍ଣନ୍‌ ତାମିଲ ସାହିତ୍ୟର ଛାତ୍ର ଥିଲେ। ତେଣୁ ଓଡ଼ିଆ ସାହିତ୍ୟର ଛାତ୍ରମାନେ ନିଜକୁ ଛୋଟ ମଣିବା ଉଚିତ୍‌ ନୁହେଁ। ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବା ଦରକାର। ସାମ୍ବାଦିକ ଭାବେ ଜୀବନ ଆରମ୍ଭ କରିଥିବା ବାଲ୍‌କ୍ରିଷ୍ଣନ୍‌ଙ୍କଠାରୁ ଅନ୍ୟମାନେ ପ୍ରେରଣା ପାଇବା ଆବଶ୍ୟକ। ପୁସ୍ତକରେ ସେ ଯେଉଁ ତଥ୍ୟ ଉପସ୍ଥାପିତ କରିଛନ୍ତି ତାହା ଯେକୌଣସି ଜାତିକୁ ଆଗକୁ ବଢ଼ିବାରେ ସହାୟକ ହେବ।

ପୁସ୍ତକର ସମୀକ୍ଷା କରି ବିମଳ ପ୍ରସାଦ କହିଲେ, ଏହା ଯେକୌଣସି ଗ୍ରନ୍ଥାଗାରରେ ସାଇତି ରଖିବା ପରି ପୁସ୍ତକ ଟିଏ। ପୁସ୍ତକଟି ସାମାଜିକ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ, ଭାଷାଗତ ଭାବପ୍ରବଣତାକୁ ବାନ୍ଧି ରଖିଥାଏ। ଏଥିରେ କେବଳ ଗପ, କାହାଣୀ ନାହିଁ। ବରଂ ନିଚ୍ଛକ, ଗବେଷଣାତ୍ମକ ନିର୍ଯାସ ଭରି ରହିଛି। ୨୭୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ବିଶ୍ବବିଦ୍ୟାଳୟର ପ୍ରଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଉପରେ ଅଧିକ ଗବେଷଣା ପାଇଁ ଖୋରାକ ଯୋଗାଇବ। ଏଥିରେ ୧୪ଟି ନିବନ୍ଧ ରହିଛି ବୋଲି ସେ କହିଥିଲେ। କଥାକାର ସଂଗ୍ରାମ ମହାପାତ୍ର ପୁସ୍ତକର ଅନୁବାଦ ସମ୍ପର୍କରେ କହିଥିବା ବେଳେ ପଶ୍ଚିମା ପବ୍ଲିକେସନର୍‌ ସମ୍ପାଦକ ଅଶୋକ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର