ଭୁବନେଶ୍ବର : ଅବସରପ୍ରାପ୍ତ ପ୍ରଶାସକ ଆର୍ ବାଲକ୍ରିଷ୍ଣନ୍ଙ୍କୁ ରାଜ୍ୟ ସରକାର ଆଜି ନୂଆ ନିଯୁକ୍ତି ଦେଇଛନ୍ତି। ସେ ସରକାରଙ୍କ ମୁଖ୍ୟ ଉପଦେଷ୍ଟା(ସ୍ବତନ୍ତ୍ର ପ୍ରକଳ୍ପ) ଭାବେ କାର୍ଯ୍ୟ କରିବେ। ସ୍ବତନ୍ତ୍ର ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାର ତଦାରଖ କରି ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ। ତାଙ୍କ ପଦବିକୁ ମୁଖ୍ୟ ଶାସନ ସଚିବ ପାହ୍ୟାର କରାଯାଇଛି।
ସେ ତଦାରଖ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଆଦିବାସୀ ସଂଗ୍ରହାଳୟ, ହସ୍ତକଳା ସଂଗ୍ରହାଳୟ, ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ଭର୍ଚୁଆଲ ଏକାଡେମି। ଏହା ସହ ଐତିହ୍ୟ କ୍ୟାବିନେଟ୍କୁ ମଧ୍ୟ ସେ ଆବଶ୍ୟକ ପରାମର୍ଶ ଦେବେ। ଏହା ବାଦ୍ ରାଜ୍ୟ ସରକାରଙ୍କ ଆଗାମୀ ଦିନରେ ଅନ୍ୟ ସ୍ବତନ୍ତ୍ର ପ୍ରକଳ୍ପ ଦାୟିତ୍ବ ମଧ୍ୟ ତାଙ୍କୁ ଦେବେ। ଏହି କାର୍ଯ୍ୟ ପାଇଁ ଶ୍ରୀ ବାଲକ୍ରିଷ୍ଣନ୍ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି କହିଛନ୍ତି।
ଓଡ଼ିଶା ତାଙ୍କୁ ବହୁତ ଦେଇଛି, ଏବେ ବିନା ପାରିଶ୍ରମିକରେ ନୂଆ ଦାୟିତ୍ବକୁ ତୁଲାଇବେ ବୋଲି ସେ କହିଛନ୍ତି। ତେବେ ତାଙ୍କ ପାଇଁ କାର୍ଯ୍ୟାଳୟ, ସ୍ବତନ୍ତ୍ର କର୍ମଚାରୀ, ଗାଡ଼ି ବ୍ୟବସ୍ଥା କରାଯିବ। ସେ ଭୁବନେଶ୍ବରରେ ରହିବା ପାଇଁ ସରକାରୀ କ୍ବାର୍ଟର୍ସ ମଧ୍ୟ ଯୋଗାଇ ଦିଆଯିବ ବୋଲି ଯୋଜନା ଓ ସଂଯୋଜନା ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଗତ ମାସ ୩୦ ତାରିଖରେ ଉନ୍ନୟନ କମିସନର୍ ଭାବେ କାର୍ଯ୍ୟ କରି ଆର୍ ବାଲକ୍ରିଷ୍ଣନ୍ ଅବସର ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/R-Balkrishnan.jpg)