ଭୁବନେଶ୍ବର-ପୁରୀରେ ‘ଆର୍‌’ ଭ୍ୟାଲୁ ୧ ଉପରେ

ଖୋର୍ଧା, କଟକରେ ଶହେ ଉପରେ ସଂକ୍ରମଣ, ୧୩୧୫ ପଜିଟିଭ୍, ୬୬ ମୃତ

ଭୁବନେଶ୍ବର : ରାଜ୍ୟରେ କେବଳ ଦୁଇଟି ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ସୀମିତ ରହିଛି। ଉପକୂଳ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଅଧିକ ରହିଥିଲା, ତାହା ଏବେ ଖସିଲାଣି। ହେଲେ ଖୋର୍ଧା ଓ କଟକରେ ଏବେ ବି ସଂକ୍ରମଣ କମୁନାହିଁ। କିଭଳି ସଂକ୍ରମଣ କମିବ ତାହା ନେଇ ମଧ୍ୟ ସରକାର ବାଟ ପାଉନାହାନ୍ତି। ସଂକ୍ରମଣ ବଢ଼ୁଥିବା ଜିଲ୍ଲାରେ ସର୍ଭେଲାନ୍‌ସକୁ ବଢ଼ାଯାଉଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହି ଆସୁଛନ୍ତି। ହେଲେ ୪ମାସର ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ମଧ୍ୟ ଏହି ଦୁଇ ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ‌ହୋଇପାରୁ ନାହିଁ।

ଅନ୍ୟପଟେ ଭୁବନେଶ୍ବର ଓ ପୁରୀରେ ‘ଆର୍‌’ ଭ୍ୟାଲୁ ୧ ଉପରେ ରହିବା ଚିନ୍ତା ବଢ଼ାଇ ଦେଇଛି। ଭୁବନେଶ୍ବରରେ ଏହା ୧.୨୪ ଥିବା ବେଳେ ପୁରୀରେ ୧.୧୩ ରହିଥିବା ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍ ମାଥମାଟିକାଲ ସାଇନ୍‌ସର ପ୍ରଫେସର ସୀତାଭ୍ର ସିହ୍ନା ସୂଚନା ଦେଇଛନ୍ତି। ‘ଆର୍‌’ ଭ୍ୟାଲୁ ୧ ଉପରେ ରହିଲେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ। ତେବେ ରାଜ୍ୟର ‘ଆର୍‌’ ଭ୍ୟାଲୁ ୦.୮୯ ରହିଛି। ସେହିପରି ବାଲେଶ୍ବରରେ ୦.୮୮, କଟକ ୦.୯୧, କଟକ ସହର ୦.୯୭ ଦେଖିବାକୁ ମିଳିଛି। ଏହାର କିଛିଦିନ ପୂର୍ବରୁ ସୁନ୍ଦରଗଡ଼ରେ ‘ଆର୍‌’ ଭ୍ୟାଲୁ ୧ଉପରେ ଥିବାବେ‌ଳେ ଏବେ ତାହା ୧ ତଳକୁ ଖସି ଆସିଛି।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି ଯେ ରାଜ୍ୟର ଦୁଇ ପ୍ରମୁଖ ସହ‌ରରେ ‘ଆର୍‌’ ଭ୍ୟାଲୁ ୧ ଉପ‌ରେ ରହିବା ନିଶ୍ଚିତଭାବେ ଚିନ୍ତାର କାରଣ। ଉଚ୍ଚ ‘ଆର୍’ ଭ୍ୟାଲୁ ପାଇଁ ଭୁବ‌ନେଶ୍ବରରେ ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିନାହିଁ। ଏହାକୁ ରୋକିବାକୁ ହେଲେ ରାଜ୍ୟ ସରକାରଙ୍କ କଡ଼ା ପ‌ଦକ୍ଷେପ ନେବାକୁ ହେବ। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଗୁରୁତ୍ବ ଦେବା ସହିତ ଟେଷ୍ଟିଂ ଓ ଟ୍ରାକିଂକୁ ବଢ଼ାଇବା ଉଚିତ। ଏହାସହ ଲୋକମାନେ କୋଭିଡ ନିୟାମବଳିକୁ ମାନିବା ସହିତ ପୁରୀରେ ଟିକାକରଣକୁ ଜୋରଦାର କରିବା ଉପରେ ସରକାର ପଦକ୍ଷେପ ନେବା ଜରୁରୀ। ନଚେତ୍ ପୁଣି ରାଜ୍ୟରେ ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଦୂରେଇ ହେବ ନାହିଁ ବୋଲି ଡା.ମିଶ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୬୫,୨୦୯ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୨.୦୨ ପ୍ରତିଶତ ରହିଛି। ‌ପୁରୀ, ଖୋର୍ଧା, କଟକ ଓ ଜଗତସିଂହପୁରରେ ସଂକ୍ରମଣ ହାର ରାଜ୍ୟର ହାରଠାରୁ ଅଧିକ ରହିଛି। ଖୋର୍ଧାରୁ ସର୍ବାଧିକ ୪୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ କଟକ ୧୯୮, ଯାଜପୁର ୮୯, ପୁରୀ ୬୭, ଜଗତସିଂହପୁର ୫୩, ଅନୁଗୁଳ ୫୨, ଭଦ୍ରକ ୪୯, ବାଲେଶ୍ବର ୪୩, ମୟୂରଭଞ୍ଜ ୬୨ ଓ ଷ୍ଟେଟ୍‌ ପୁଲରୁ ୮୪ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୨ହଜାର ୧୮୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୬ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୧୮, କଟକ ୧୦, ପୁରୀ ୯, ମୟୂରଭଞ୍ଜ ୬, ଅନୁଗୁଳ ୫, ଝାରସୁଗୁଡ଼ା, ଯାଜପୁରରେ ୩ ଲେଖାଏଁ, ଭଦ୍ରକ, ବଲାଙ୍ଗୀର, ନୟାଗଡ଼ରେ ୨ଲେଖାଏଁ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁସଂଖ୍ୟା ୬୧୬୮ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୬୩୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୬୩ହଜାର ୭୧୮କୁ ବୃଦ୍ଧି ପାଇଛି। ଏ‌ବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୨୪୨କୁ ଖସି ଆସିଛି।

ସମ୍ବନ୍ଧିତ ଖବର