ଜୟପୁର : ଜୟପୁର ସହରରେ ହେବ ରାହାଗିରି ତଥା ପଥୋତ୍ସବ କାର୍ଯ୍ୟକ୍ରମ। ଏଥିପାଇଁ ଆଜି ସ୍ଥାନୀୟ ଆଇଟିଡିଏ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ପୌରପାଳିକା ପକ୍ଷରୁ ନଭେମ୍ବର ୨୬ ତାରିଖ ଓ ଡିସେମ୍ବର ୧୭ ତାରିଖରେ ମୁଖ୍ୟରାସ୍ତା ଅର୍ଥାତ୍ ରାଜାନଅରରୁ ବାଙ୍କମଠ ଯାଏ ସକାଳ ୭ଟା ୩୦ରୁ ୯ଟା ୩୦ ଯାଏ ରାହାଗିରି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରବର୍ତ୍ତୀସିଂହ ରାଠୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ତହସିଲଦାର ରଞ୍ଜିତା ମଲ୍ଲିକ, ପୌର ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ଏସଡିପିଓ ରାଜେନ୍ଦ୍ର ସେନାପତି, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଇଗୁରୁ,ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ ସେଠୀ ଓ ଭାରପ୍ରାପ୍ତ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପୀତବାସ ବିଶ୍ୱାଳଙ୍କ ସହ ବହୁ ବିଭାଗରୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ରାହାଗିରିର ଲୋଗୋ ଓ ପୋଷ୍ଟର ପାଇଁ ବିକ୍ରମଦେବ ଚାରୁକଳା ମହାବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଛି।
୨୦ ତାରିଖ ଦିନ ଜିଲ୍ଲାପାଳଙ୍କର ଦ୍ୱାରା ଏହି ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’କୁ ମିଡିଆର ପାର୍ଟନର ଭାବେ ମନୋନିତ କରାଯାଇଛି। ଏହି ରାହାଗିରିରେ ମୁଖ୍ୟ ମଞ୍ଚ ସହ ଅନ୍ୟ ଛୋଟ ଛୋଟ ମଞ୍ଚରେ ନୃତ୍ୟ, ଗୀତ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାସହ ଏକ କାରଣ ପାଇଁ ସେଲଫି ଓ ଫଟୋଗ୍ରାଫ (ପ୍ରି-ଇଭେଣ୍ଟ କାର୍ଯ୍ୟକ୍ରମ ଓ ‘ଚେହେରା କିଛି କହୁଛି’) ନାମରେ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ କାରଣ ନେଇ ରାହାଗିରି ପୂୂର୍ବରୁ ଏକ ଫଟୋ ଉଠା ପ୍ରତିଯୋଗିତା ହେବ। ଶ୍ରେଷ୍ଠ ୫୦ଟି ଫଟୋକୁ ରାହାଗିରିରେ ସ୍ୱତନ୍ତ୍ର ଭାବେ ପ୍ରଦର୍ଶନ କରାଯିବା ସହ ଇଭେଣ୍ଟ ଚାଲିଥିବା ବିଭିନ୍ନ କାର୍ଯ୍ୟରେ ନିୟୋଜିତ ପ୍ରତିଯୋଗୀଙ୍କର ଫଟୋକୁ ମଧ୍ୟ ସ୍ଥାନ ଦିଆଯିବାକୁ ଏଥିରେ ଆଲୋଚନା ହୋଇଛି।
ଏହି କାର୍ଯ୍ୟକ୍ରମରେ ସୁରୀ ଓ ମୁନାଲାଲ ସିଂହଙ୍କ ଦ୍ୱାରା ମାର୍ଶାଲ ଆର୍ଟ, ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଶିଶୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ଫେସ ପେଣ୍ଟିଂ, ହ୍ୟାଣ୍ଡ ପେଣ୍ଟିଂ, ମହିଳାଙ୍କ ପାଇଁ ମେହେନ୍ଦି ପ୍ରତିଯୋଗିତା, ଶିଶୁମାନଙ୍କର ପାଇଁ ପେପର ଆର୍ଟ, ବିଭିନ୍ନ ଅଦରକାରୀ ଦ୍ରବ୍ୟ ତଥା ପଦାର୍ଥକୁ ନେଇ ବେଷ୍ଟ ଆଉଟ ଅଫ୍ େଓ୍ଵଷ୍ଟ, କାର୍ଯ୍ୟକ୍ରମବେଳେ ମାହୋଲକୁ ଦେଖି ପେଣ୍ଟିଂ, କୁମ୍ଭାର କାର୍ଯ୍ୟ, ଭେଜିଟେବୁଲ ଆର୍ଟ, ଝୋଟି, ନୃତ୍ୟ, ସଙ୍ଗୀତ ବ୍ୟତୀତ ଅଭିନୟ ଓ ମିମିକ୍ରି ଇତ୍ୟାଦି ହେବ।ଏହାସହ କବାଲି, କବିତାପାଠୋତ୍ସବ, ସମୁଦ୍ର ମନ୍ଥନ(ଥଗ୍ ଅଫ ଓ୍ଵାର), ଆଖଡା, ମହିଳାଙ୍କ ପାଇଁ ଦାଣ୍ଡିଆ, ବୟୋଜ୍ୟେଷ୍ଠଙ୍କ ପାଇଁ ସଂଙ୍କୀର୍ତ୍ତନ ଓ ବାଟି ଖେଳ ଏବଂ ଆଦିବାସୀ ନୃତ୍ୟ କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି। ଏହାସହ ଜିଲ୍ଲା, ଉପଖଣ୍ଡ ସ୍ତରରେ ବିଭିନ୍ନ ରକ୍ତ ଭଣ୍ଡାର ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ସ୍ୱଚ୍ଛ ଜୟପୁର ଉପରେ କାର୍ଯ୍ୟକ୍ରମ ଇତ୍ୟାଦିକୁ ମଞ୍ଜୁରୀ ଦିଆଯାଇଛି।