କୁଆପଥର ମାଡ଼ରେ ରବିଫସଲ ନଷ୍ଟ

ବିଂଝାରପୁର : ବିଂଝାରପୁର ବ୍ଲକ୍‌ର କେତେକ ପଞ୍ଚାୟତରେ ୨ଦିନ ପୂର୍ବରୁ କୁଆପଥର ବର୍ଷାହୋଇ ରବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଛି। ପ୍ରକାଶ ଯେ, ଗତ ସୋମବାର ଅପରାହ୍ଣରେ ବିଂଝାରପୁର ବ୍ଲକ୍‌ର ଗୁହାଳି, ଘଣ୍ଟିଆଳି, କଏଣା-ରଘୁନାଥପୁର, ଅରେଇ ଓ ଚିକଣା ପଞ୍ଚାୟତରେ କୁଆପଥର ମାଡ଼ରେ ମୁଗ, ତରଭୁଜ ସମେତ ବିଭିନ୍ନ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହଜାରହଜାର ଟଙ୍କା କରଜ କରି ଚାଷରେ ଖର୍ଚ୍ଚ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ବିଂଝାରପୁର ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ଅତିରିକ୍ତ ତହସିଲଦାର ଠାକୁର ଦାସନାୟକ ଓ କୃଷି ଅଧିକାରୀ ସଂଜୀବ କୁମାର ସାମଲ ବିଭିନ୍ନ ପଞ୍ଚାୟତ ବୁଲି କ୍ଷୟକ୍ଷତିର ଆକଳନ କରିଛନ୍ତି। ଗୁହାଳି, ଘଣ୍ଟିଆଳି ଓ କଏଣା-ରଘୁନାଥପୁର ପଞ୍ଚାୟତର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅରେଇ ଓ ଚିକଣା ପଞ୍ଚାୟତର ଫସଲ ଆଂଶିକ ନଷ୍ଟ ହୋଇଛି। ଏହିସବୁ ପଞ୍ଚାୟତରେ ମୋଟ ୮୮୫ ହେକ୍ଟର ଜମିରେ ହୋଇଥିବା ଫସଲ ମଧ୍ୟରୁ ୭୧୩ ହେକ୍ଟର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କୃଷି ଅଧିକାରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି। କଏଣା-ରଘୁନାଥପୁର ପଞ୍ଚାୟତରେ ତରଭୁଜ ଚାଷ କରିଥିବା ମନୋରଞ୍ଜନ ରଣା, ପ୍ରକାଶ ଧଳ, ଲୋଗେଶ ମହାନ୍ତି, କଳ୍ପତରୁ ଜେନା, ନିତ୍ୟାନନ୍ଦ ମିଶ୍ରଙ୍କ ସମେତ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର