ଜୟପାଟଣା: ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜରୁ ବାହାରିଥିବା ବାମ ମୁଖ୍ୟ କେନାଲ ଓ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲରୁ ୨୦୨୩ ରବି ପାଇଁ ଜଳସେଚନ ଆରମ୍ଭ ହୋଇଛି। ଏଥର ମୋଟ ୪୭୫୧୨ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ବାମ କେନାଲର ୩୪,୫୧୪ ଓ ଲିଫ୍ଟ କେନାଲର ୧୨,୯୯୮ ହେକ୍ଟର ଜମିରେ ଜଳସେଚନ ହୋଇ ପାରିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।
ପ୍ରକାଶ ଯେ, ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ଚଳିତ ବର୍ଷ ଆଶାଜନକ ସ୍ଥିତିରେ ରହିଥିବାରୁ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲରୁ ମଧ୍ୟ ଜୟପାଟଣା ଓ କୋକସରା ବ୍ଲକର ୧୨, ୯୯୮ ହେକ୍ଟର ଜମିରେ ଜଳସେଚନ ପାଇଁ ପାଣି ଛଡ଼ା ଯାଇଥିବା ବିଭାଗରୁ ସୂଚନା ମିଳିଛି। ଏହି କେନାଲର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି କରାଯାଉ ଥିବାରୁ କର୍ତ୍ତୃପକ୍ଷ ଚାଷୀଙ୍କ ସହଯୋଗ ଲୋଡ଼ିଛନ୍ତି। ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ଶନିବାର ସର୍ବୋଚ୍ଚ ସୀମା ୬୪୨ମିଟର ଥିବା ବେଳେ ୬୩୮ମିଟର ଅର୍ଥାତ୍ ୭୦.୬୭୧ମିଟରରେ ରହିଛି। କୃଷି ଆବଶ୍ୟକତାକୁ ନଜରରେ ରଖି ବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ସଙ୍କୁଚିତ କରି ହାରାହାରି ଉତ୍ପାଦନ ୧୮୦ ମେଗାୱାଟରେ ରଖାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ। ଶନିବାର ସକାଳୁ ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ ପାତ୍ର ଓ ଦକ୍ଷିଣ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା ସଂପୃକ୍ତ ଯନ୍ତ୍ରୀ ଓ ଚାଷୀଙ୍କ ଉପସ୍ଥିତିରେ ଯଥା ରୀତିନୀତିରେ ପୂଜାର୍ଚ୍ଚନା ପରେ ଜଳସେଚନର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ବାମ କେନାଲରୁ ପାଞ୍ଚ କ୍ୟୁମାକ୍ସ ପାଣି ଛଡ଼ା ଯାଇଥିବା ବେଳେ ଲିଫ୍ଟ କେନାଲରେ ମଧ୍ୟ ଅନୁରୂପ ଭାବେ ପାଣି ଛଡ଼ା ଯାଇଥିବା ଅଧୀକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ ସୂଚନା ଦେଇଛନ୍ତି।