ବରଗଡ଼ : ଆସନ୍ତା ମାସ ୬ ତାରିଖରୁ ରବି ଧାନ କିଣା ଜିଲ୍ଲାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅତାବିରାରେ ମେ’ ୬ରୁ, ବରଗଡ଼, ଭେଡ଼େନ, ବରପାଲି, ଭଟଲି ଏବଂ ଅମ୍ବାଭୋନା ବ୍ଲକ୍ରେ ୧୨ରୁ ଧାନ କିଣା ଆରମ୍ଭ ହେବ। ପଦ୍ମପୁର ଆର୍ଏମ୍ସି ଅଧୀନରେ କେବେ ଧାନ କିଣା ହେବ, ସେନେଇ ବୈଠକରେ କିଛି ନିଷ୍ପତ୍ତି ହୋଇନାହିଁ। ଚାଷୀଙ୍କ ସହମତି ପରେ ଏନେଇ ସପ୍ତାହେ ଭିତରେ ନିଷ୍ପତ୍ତି ହେବ ବୋଲି ସ୍ଥିର ହୋଇଛି। ରବି ଋତୁରେ ଟୋକନ୍ ଅବଧି ମାସେ ରହିଥାଏ। ତେଣୁ ଠିକଣା ସମୟରେ ସବୁତକ ଚାଷୀ କିଭଳି ଧାନ ବିକିବେ ତାହା ପ୍ରଶାସନ ପାଇଁ ସବୁଠୁ ବଡ଼ ଚାଲେଞ୍ଜ। ସେହିପରି କାଳବୈଶାଖୀ ଏବଂ କରକାମାଡ଼ ଭଳି ପରିସ୍ଥିତି ସାମନା ମଧ୍ୟ କରିବାକୁ ପଡ଼ିବ। ଜିଲ୍ଲାରେ କିଛି ସ୍ଥାନରେ ରବି ଧାନ ଅମଳକ୍ଷମ ଥିବାବେଳେ କିଛି ସ୍ଥାନରେ ବିଳମ୍ବ ହେବ। ତେଣୁ ଚାଷୀଙ୍କୁ ମାସେ ଟୋକନ୍ ଅବଧି ଭିତରେ ଧାନ ବିକିବାକୁ ପଡ଼ିବ। କାରଣ ଏଥର ଆଉ ଟୋକନ୍ର ଅବଧି ପରିବର୍ଦ୍ଧିତ ହୋଇପାରିବନି ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏଥର ଜିଲ୍ଲାରେ ୧୭୨ଟି ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ଧାନ କିଣା ହେବ। ଏଥିରେ ୭୨ଟି ମଣ୍ଡି ଏବଂ ୧୦୦ଟି କ୍ରୟ କେନ୍ଦ୍ର ସାମିଲ ରହିଛି। ୮୪ଟି ପେକ୍ସ ଏବଂ ଏସ୍ଏଚ୍ଜି ମଧ୍ୟ ଏହି ଧାନକିଣା ପ୍ରକ୍ରିୟାରେ ସାମିଲ ହେବେ। ଅନ୍ୟପକ୍ଷରେ ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଗୁରୁତ୍ବ ଦିଆଯାଇଛି। ଯଥାଶୀଘ୍ର ମଣ୍ଡିରୁ ଧାନ ଉଠାଇବା ବ୍ୟବସ୍ଥା ହେବ ବୋଲି ସ୍ଥିର ହୋଇଛି। ମୋଟାମୋଟି ଭାବେ ପାରମ୍ପରିକ ଭାବେ ବୈଠକ ସରିଛି। ଏଥର ପ୍ରଚଣ୍ଡ ଖରା ପାଇଁ ପାଣିପାଗ ପୂର୍ବାନୁମାନ ରହିଛି। ତେଣୁ ସକାଳ ୬ରୁ ଦିନ ୧୧ଟା ଯାଏଁ ହିଁ ଧାନ କିଣାବିକା ହେବ। ଚାଷୀଙ୍କ ପାଇଁ ପାନୀୟ ଜଳ ଏବଂ ଅନ୍ୟ ଆନୁସଂଗିକ ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛନ୍ତି। ମନ୍ତ୍ରୀ ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ସୁରେଶ୍ବର ଶତପଥୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଚାଷୀ ସଂଗଠନର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/paddy-fff.jpg)