ଆଜିଠୁ ରବି ଧାନ ସଂଗ୍ରହ, ଚାଷୀଙ୍କ ମୁଣ୍ଡରୁ ଚିନ୍ତା ଟଳିନି

ବରଗଡ଼: ଜିଲ୍ଲାରେ ଗୁରୁବାରଠାରୁ ରବି ଧାନ କିଣା ଆରମ୍ଭ ହେବ। କିନ୍ତୁ ବିଭିନ୍ନ କାରଣରୁ ଚାଷୀଙ୍କ ମୁଣ୍ଡରୁ ଚିନ୍ତା ଟଳିନି। ପ୍ରଥମତଃ ଜିଲ୍ଲାକୁ ପର୍ଯ୍ୟାପ୍ତ କୃଷି ଶ୍ରମିକ ଆସିନାହାନ୍ତି। ଏହାବାଦ୍‌ ଜିଲ୍ଲାର ଗୁଡ଼ାଏ ଚାଷୀ ଏଯାଏଁ ଜଟିଳ ପଞ୍ଜୀକରଣ ବ୍ୟବସ୍ଥାରୁ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ଭାଗ୍ୟ କ’ଣ ହେବ, ତାହା ଆଗାମୀ ଦିନରେ ହିଁ ଜଣାପଡ଼ିଛି। ଅନ୍ୟପକ୍ଷରେ ହାର୍ଭେଷ୍ଟର ସଂଖ୍ୟା ପର୍ଯ୍ୟାପ୍ତ ନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଥମେ ହାର୍ଭେଷ୍ଟର ଭଡ଼ାଦର ପ୍ରଶାସନ ନିର୍ଦ୍ଧାରଣ କରିବାକୁ ଚାଷୀମାନେ ଦାବି କରିଥିଲେ। ହେଲେ ଏନେଇ କିଛି ପଦକ୍ଷେପ ନହେବାରୁ ହାର୍ଭେଷ୍ଟର ଭଡ଼ା ଆକାଶଛୁଆଁ। ତେଣୁ କ୍ଷୁଦ୍ରଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ଅତାବିରା ଇଲାକାରେ ମାତ୍ର ୨୦ ପ୍ରତିଶତ ଧାନ ଏଯାଏଁ କଟିଥିବା ଜଣାପଡ଼ିଛି।

ଧାନକଟାରେ ବିଳମ୍ବ ହେଉଥିବାରୁ ଟୋକନ୍‌ଜନିତ ସମସ୍ୟା ଘନେଇବା ନିଶ୍ଚିତ। ବାତ୍ୟା ଭୟ ଥିବାରୁ ଅଧିକାଂଶ ଚାଷୀ ଧାନ କାଟି ନାହାନ୍ତି। ଯଦ୍ବାରା ବିଳମ୍ବରେ ମଣ୍ଡି ଖୋଲିବା ଏବଂ ବିଳମ୍ବରେ ଧାନ କଟିବା ଦ୍ବାରା ଧାନ ସଂଗ୍ରହ ପ୍ରକ୍ରିୟାକୁ ବିଭ୍ରାଟ କରିବା ଆଶଂକା ରହିଛି। ସାଧରଣତଃ ରବିଧାନ ପାଇଁ ମେ’ ୧ରୁ ଜୁନ୍‌ ୩୦ ମଣ୍ଡି ବ୍ୟବସ୍ଥା ରହିବା କଥା। କିନ୍ତୁ ଅତାବିରା ଓ ବରଗଡ଼ ଆର୍‌ଏମ୍‌ସି ଅଧିନରେ ୧୨ ତାରିଖ ଓ ପଦ୍ମପୁର ଆର୍‌ଏମ୍‌ସି ଇଲାକାରେ ୧୫ ତାରିଖରୁ ମଣ୍ଡି ଖୋଲି। ଅର୍ଥାତ ବିଳମ୍ବରେ ମଣ୍ଡି ଖୋଲୁଥିବାରୁ ସୂଚାରୁ ଭାବେ ଧାନ ଉଠାଇବା ପ୍ରଶାସନ ପାଇଁ ଚାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏଥର ଜିଲ୍ଲାର ୧୫୬ଟି ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ଧାନ କିଣା ହେବ। ଏଥିରେ ୭୪ଟି ମଣ୍ଡି ଏବଂ ୮୨ଟି କ୍ରୟ କେନ୍ଦ୍ର ସାମିଲ ରହିଛି। କିନ୍ତୁ ବହୁ ମଣ୍ଡି କିମ୍ବା କ୍ରୟକେନ୍ଦ୍ରରେ ସ୍ଥାୟୀ ଛାଉଣୀ ହୋଇପାରିଲା ନାହିଁ। ବାରମ୍ବାର କାଳବୈଶାଖୀ ଭୟ ଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ରହିଛି। ରବି ଧାନ କିଣା ପାଇଁ ୧୫ ଦିନ ଟୋକନ୍‌ ଅବଧି ରଖା ଯାଇଛି। ଅବଧି ସ୍ବଳ୍ପ ଥିବାରୁ ବହୁ ଚାଷୀ ଧାନ ସଂଗ୍ରହରୁ ବାଦ ପଡ଼ିବାର ଆଶଙ୍କା ରହିଛି। ଟୋକନ୍‌କୁ ଧାନ କିଣା ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ବିଭିନ୍ନ ଚାଷୀ ସଂଗଠନ ଦାବି କରୁଛନ୍ତି। କିନ୍ତୁ ଏନେଇ କିଛି ନିଷ୍ପତ୍ତି ହେବା ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର