ସରିଲା ରବି ଧାନ ସଂଗ୍ରହ: ବିକିପାରିଲେନି ୧୨ ହଜାର ପଞ୍ଜୀକୃତ ଚାଷୀ

ଏଥର ବି ଟୋକନ ଲାପ୍ସ, କଟ୍‌ନି ଛଟ୍‌ନି

ଭୁବନେଶ୍ବର : ସରିଲା ରବି ଧାନ ସଂଗ୍ରହ। ୨୦୨୧ ମସିହା ଖରିଫ ଧାନ ବିକ୍ରି ବେଳେ ଟୋକନ୍‌ ନେଇ ଚାଷୀ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା, ଏଥର ବି ସମାନ ଅବସ୍ଥା। ଚଳିତ ବର୍ଷ ୧୨ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରି ନଥିବା ପ୍ରାଥମିକ ସୂଚନା ମିଳିଛି। ଟୋକନ ଲାପ୍ସ ସମେତ ବିଭିନ୍ନ କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ରବି ଧାନ ବିକ୍ରି ପାଇଁ ଚଳିତ ବର୍ଷ ୨ଲକ୍ଷ ୩୪ ହଜାର ୨୪୭ଚାଷୀ ପଞ୍ଜୀକୃତ ହୋଇଥିଲେ। ଏଥିମଧ୍ୟରୁ ୨ଲକ୍ଷ ୨୨ହଜାର ଚାଷୀ ସମୁଦାୟ ୧୩୮ଲକ୍ଷ ୧୫ ହଜାର ୧୮୨ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି। ଆସନ୍ତାକାଲି ସୁଦ୍ଧା ଆହୁରି ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସାଧାରଣତଃ ରବିରେ ମାତ୍ର ୧୭ ଜିଲ୍ଲାରୁ କମ୍‌ ପରିମାଣର ଧାନ ସଂଗ୍ରହ ହେଉଥିବାରୁ ଖରିଫ ଭଳି ଏତେ ସମସ୍ୟା ହୁଏ ନାହିଁ। ମାତ୍ର ଚଳିତ ବର୍ଷ ରବିରେ ମଧ୍ୟ ଏଭଳି ସ୍ଥିତି ହୋଇଛି ଯେ ଟୋକନ୍‌ ଲାପ୍ସ ଜନିତ କାରଣରୁ ବହୁ ଚାଷୀ ଧାନ ବିକି ପାରିନାହାନ୍ତି। ଏଥିପାଇଁ ନୂଆପଡ଼ାର ଜଣେ ଚାଷୀ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନୂଆପଡ଼ାରେ ମାତ୍ର ୮୮୦୪ ଚାଷୀ ପଞ୍ଜୀକୃତ ହୋଇଥିଲେ ହେଁ ୮୪୧୩ ଚାଷୀ ଧାନ ବିକ୍ରି କରିପାରିଲେ। ପ୍ରଥମତଃ ଏଠାରେ ଯେତେ ପରିମାଣରେ ଚାଷୀ ପଞ୍ଜୀକୃତ ହୋଇଥିଲେ, ସେହି ଅନୁଯାୟୀ ଟାର୍ଗେଟ୍‌ ମିଳି ନଥିଲା। ଆଉ ଟାର୍ଗେଟ୍‌ ମିଳିବା ବେଳକୁ ଚାଷୀଙ୍କ ଟୋକନ୍‌ ଲାପ୍ସ ହୋଇଯାଇଥିଲା ବୋଲି ଚାଷୀ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଲାପ୍ସ ଟୋକନକୁ ପୁନଃ ନବୀକରଣ ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିବା କୁହାଯାଉଛି।

Agriculture Post

ବରଗଡ଼ ଜିଲ୍ଲାରେ ୭୮ହଜାର ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୭୫ ହଜାର ୯୦ ଚାଷୀ ଧାନ ବିକ୍ରି କରିଛନ୍ତି। ରବିରେ ଏଠାରେ ସର୍ବାଧିକ ଚାଷୀ ପଞ୍ଜୀକରଣ କରିଥିଲେ। ଏହି ଜିଲ୍ଲା‌ରେ ସର୍ବାଧିକ ମିଲ୍‌ ମଧ୍ୟ ରହିଛି। କିନ୍ତୁ ଆରମ୍ଭରୁ ହିଁ ଏଠିକାର ଚାଷୀ ଧାନ ବିକ୍ରି ପାଇଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁଁ ଅନେକ ଚାଷୀ ବାହାର ଜିଲ୍ଲାରେ ଧାନ ବିକ୍ରି ପାଇଁ ବାଧ୍ୟ ହୋଇଥିବା ଜଣାଯାଇଛି। ଦ୍ବିତୀୟ‌ରେ, ଧାନ ବିକ୍ରିର ଶେଷ ତାରିଖ ଜୁନ୍‌ ୩୦ ଥିଲା। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ୍‌ର ଅବଧି ତାରିଖ ଜୁନ୍‌ ୨୯ ପର୍ଯ୍ୟନ୍ତ ରହିଥିଲା। ଦୁର୍ଭାଗ୍ୟର କଥା ହେଲା, ଜୁନ୍‌ ୨୦ ତାରିଖ ପରେ ଆଉ ଚାଷୀଙ୍କ ଧାନ ଗ୍ରହଣ କରାଗଲା ନାହିଁ। ତେଣୁ ଟୋକନ୍‌ ଥାଇ ମଧ୍ୟ ଅନେକ ଚାଷୀ ଧାନ ବିକିପାରିଲେ ନାହିଁ।

କୋରାପୁଟ କୃଷକ କଲ୍ୟାଣ ମଞ୍ଚର ନରେନ୍ଦ୍ର ପ୍ରଧାନ କହିଛନ୍ତି, କୋରାପୁଟ ଜିଲ୍ଲାରେ ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ମିଲ୍‌ ଧାନ ନେଇଥିଲେ। ଏଠାରେ ମିଲ୍‌ ମାଲିକଙ୍କ ଦୌରାତ୍ମ୍ୟରୁ ପ୍ରତି କ୍ବିଣ୍ଟାଲ ପିଛା ୮ରୁ ୧୦ କେଜି ଲେଖାଏଁ ଧାନ କାଟି ଦିଆଯାଉଥିଲା। ଏହାକୁ ନେଇ ଚାଷୀ ପ୍ରତିବାଦ କରିବାରୁ ଧାନ ଉଠାଯାଇ ନଥିଲା। ଏଠାରେ ମଧ୍ୟ ପଞ୍ଜୀକୃତ ୧୫ହଜାର ୧୫୬ରୁ ୧୪ହଜାର ୭୦୮ ଚାଷୀ ଧାନ ବିକିବାରେ ସକ୍ଷମ ହୋଇପାରିଛନ୍ତି। ବାଲେଶ୍ବର ଜିଲ୍ଲାର ୩୦ ହଜାର ୭୨୯ ଚାଷୀଙ୍କ ମଧ୍ୟରୁ ୨୭ ହଜାର ୪୦୭, ବଲାଙ୍ଗୀରର ୫୮୫୬ ମଧ୍ୟରୁ ୫୬୩୩, ବୌଦ୍ଧର ୩୯୯୭ ମଧ୍ୟରୁ ୩୯୦୩, କଟକର ୩୦୦୩ ମଧ୍ୟରୁ ୨୮୮୨, ଯାଜପୁରର ୪୧୮୦ ମଧ୍ୟରୁ ୩୭୨୯, ଝାରସୁଗୁଡ଼ାର ୧୦୭୩ ମଧ୍ୟରୁ ୧୦୪୮, କଳାହାଣ୍ଡିର ୧୬ ହଜାର ୫୧୧ ମଧ୍ୟରୁ ୧୫୩୬୭, ଖୋର୍ଧାର ୧୯୭୬ ମଧ୍ୟରୁ ୧୭୬୮, ମୟୂରଭଞ୍ଜର ୨୩୭୯ ମଧ୍ୟରୁ ୨୧୩୧, ପୁରୀର ୧୫ ହଜାର ୪୦୮ ମଧ୍ୟରୁ ୧୪୧୩୪, ରାୟଗଡ଼ାର ୧୬୯ ମଧ୍ୟରୁ ୧୬୨, ସମ୍ବଲପୁରର ୧୪ ହଜାର ୫୧୪ ମଧ୍ୟରୁ ୧୪ ହଜାର ୨୯୧, ସୁବର୍ଣ୍ଣପୁରର ୩୧ ହଜାର ୯୮୯ ମଧ୍ୟରୁ ୩୦ ହଜାର ୮୪୯ ଚାଷୀ ଧାନ ବିକ୍ରି କରିଛନ୍ତି।

ସମ୍ବନ୍ଧିତ ଖବର