ଭୁବନେଶ୍ବର: ମେ ୧ତାରିଖରୁ ରବି ଋତୁ ପାଇଁ ରାଜ୍ୟ ସରକାର ଧାନ କିଣିବେ। ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୨୨% ଅଧିକ। ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେବ। ରବି ଋତୁରେ ମୋଟ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ କିଣାଯିବ। ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଧାନକିଣା ପ୍ରକ୍ରିୟା ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଚଳିତ ରବି ଋତୁରେ ଧାନ ସଂଗ୍ରହ କମିଟିର ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଗତ ଖରିଫ୍‌ ଋତୁରେ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏଥିପାଇଁ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଓ ଇନ୍‌ପୁଟ୍‌ ସହାୟତା ବାବଦକୁ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ଦ୍ୱାରା ଉପଗ୍ରହ ଜରିଆରେ ଧାନ ଜମିର ଉତ୍ତୋଳିତ ଫଟୋ ଓ ଡିଜିଟାଲ ଶସ୍ୟ ସର୍ବେକ୍ଷଣକୁ ବ୍ୟବହାର କରି ଚାଷୀମାନଙ୍କୁ ଟୋକନ୍‌ ପ୍ରଦାନ କରାଯାଉଛି। ପ୍ରତ୍ୟେକ ମଣ୍ଡିରେ ନୋଡାଲ୍‌ ଅଧିକାରୀ ଓ ୩-୪ଟି ମଣ୍ଡିକୁ ନେଇ ସୁପରଭାଇଜର ତୁରନ୍ତ ନିଯୁକ୍ତି ଦିଆଯିବ। ସେହିପରି ମଣ୍ଡି ମନିଟରିଂ ଆପ୍‌ ମାଧ୍ୟମରେ ଚାଷୀ ପଞ୍ଜୀକରଣ କରିପାରିବେ। ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ଯେପରି ସୁଖଦ ଅନୁଭବ ପାଇବେ ଓ ଧାନକିଣା ସମ୍ପର୍କିତ ଅଭିଯୋଗ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 

ଖରିଫ ଭଳି ଚଳିତ ରବି ଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ୍‌ ପିଛା ୩୧୦୦ ଟଙ୍କା ଦିଆଯିବ। ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ଭାବେ ଦିଆଯିବ। ଏଥିପାଇଁ ସଂପୃକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ସହ ଆଧାର ସଂଯୋଗୀକରଣ ନେଇ ଯାଞ୍ଚ କରାଯାଉଛି। ଏହାସହ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ରକୁ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ ହୋଇପାରିବ। ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଓ ସିସିଟିଭି ବ୍ୟବସ୍ଥା ରହିବ। ଅଦିନିଆ ବର୍ଷା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାହାର ରାଜ୍ୟର ଧାନ ଗାଡ଼ି ଯେଭଳି ରାଜ୍ୟ ଭିତରକୁ ନ ଆସେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ୍‌ ନିୟୋଜନ ପାଇଁ ପରାମର୍ଶ ଦିଆଯାଇଛି। ମଣ୍ଡିରୁ ମିଲ୍‌କୁ ଯାଉଥିବା ଧାନ ଗାଡ଼ିଗୁଡ଼ିକ ଉପରେ ସିସିଟିଭି ସଂଯୋଗ କରାଯିବ। କୌଣସି ଯୋଗ୍ୟ ଚାଷୀ ଧାନକିଣାରୁ ଯେପରି ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଯଥେଷ୍ଟ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ଏହି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ପ୍ରମୁଖ ସଚିବ ସଞ୍ଜୟ ସିଂହ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ମିସନ୍‌ ଶକ୍ତି କମିସନର ଶାଳିନୀ ପଣ୍ଡିତ, ପରିବହନ କମିସନର ଅମିତାଭ ଠାକୁର, କୃଷି ଉତ୍ପାଦନ ନିର୍ଦ୍ଦେଶକ ଶୁଭମ୍‌ ସକ୍‌ସେନା, ଭାରତୀୟ ଖାଦ୍ୟ ନିଗମ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସଂପୃକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।