ଦେଓଗାଁ : ଚଳିତ ବର୍ଷ ଦେଓଗାଁ ବ୍ଲକ୍‌ରେ ରବି ଧାନମଣ୍ଡି ଆରମ୍ଭରୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଟୋକନ ତୁଳନାରେ ଅତି କମ୍‌ ଟାର୍ଗେଟ ଆସୁଥିବାରୁ ଧାନ ବିକ୍ରିରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ମଣ୍ଡିରେ ବ୍ୟାପକ ବିଶୃଙ୍ଖଳା ହେବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। କାରଣ ଟୋକନ ପାଇବାର ମାତ୍ର ୧୨ ଦିନ ମଧ୍ୟରେ ଧାନ ବିକି ନ ପାରିଲେ ତାହା ଲେପ୍ସ ହେବାର ନିୟମ ରହିଛି।

Advertisment

ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକ୍‌ରେ ଥିବା ୧୨ଟି ପେକ୍ସରୁ ୧୧ଟିରେ ରବି ଧାନ ବିକ୍ରି ପାଇଁ ମଣ୍ଡିର ବ୍ୟବସ୍ଥା କରାଯାଇଛି। ହେଲେ ଚଳିତ ବର୍ଷ ଚାଷୀ ତୁଳନାରେ ଟୋକନ ଓ ଟୋକନ ତୁଳନାରେ ଟାର୍ଗେଟ ଆସୁ ନଥିବାରୁ ନିଶ୍ଚିତ ଭାବେ ଧାନ ବିକ୍ରୟରେ ଅନିୟମିତତା ହେବା ଆଶଙ୍କା ଅଛି। ବ୍ଲକ୍‌ର ୧୧ଟି ପେକ୍ସର ୭୮୦ ଜଣ ଚାଷୀ ରବି ଧାନ ବିକ୍ରି ପାଇଁ ନିଜ ନିଜ ପେକ୍ସରେ ଫର୍ମ ଦାଖଲ କରିଥିଲେ। ତନ୍ମଧ୍ୟରୁ ୬୫୯ ଜଣ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି ଜଣାପଡ଼ିଛି। ଦେଓଗାଁ ପେକ୍ସର ୭୮ଜଣ ଚାଷୀ, କୁତୁର୍ଲା ପେକ୍ସର ୭୬ ଜଣ, ବଡ଼ବନ୍ଧର ୬୪ ଜଣ, ବନ୍ଧପଡ଼ା ୧୬ଜଣ, ସାରସମାଲ ୭୮ଜଣ, ଧଣ୍ଡାମାଲ ୨୪ଜଣ, ଜରାସିଂହା ୪୫ଜଣ, ମହଲାଇ ୨୫ଜଣ, ଉପରଝର ପେକ୍ସର ୫ ଜଣ, ଅର୍ଜୁନପୁର ୫୫ ଓ ଗୌଡ଼ଗୋଠ ୧୯୩ଜଣ ମୋଟ ୬୫୯ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଦେଓଗାଁ ପେକ୍ସକୁ ୪୧୦ କ୍ବିଣ୍ଟାଲ, କୁତୁର୍ଲାକୁ ୭୧୦ କ୍ବିଣ୍ଟାଲ, ଧଣ୍ଡାମାଲ ଶହେ, ବଡ଼ବନ୍ଧକୁ ୫ଶହ, ସାରସମାଲକୁ ୬ଶହ, ବନ୍ଧପଡ଼ାକୁ ୭୦ କ୍ବିଣ୍ଟାଲ, ଅର୍ଜୁନପୁର ୩୧୦, ଗୌଡ଼ଗୋଠ ୮୫୦କ୍ବିଣ୍ଟାଲ, ଜରାସିଂହା ୩ଶହ, ମହଲାଇ ଶହେ ସହ ମହାଲକ୍ଷ୍ମୀ ଓ ମାଁ ମଙ୍ଗଳା ସ୍ବୟଂ ସହାୟକ ଦଳକୁ ଯଥାକ୍ରମେ ୧୧୦ ଓ ୨୭୦ କ୍ବିଣ୍ଟାଲ ମୋଟ ୪୧୩୦ କ୍ବିଣ୍ଟାଲ ପ୍ରଥମ ପର୍ଯ୍ୟ‌ାୟରେ କିଣିବା ପାଇଁ ଟାର୍ଗେଟ ଆସିଛି।

ପରୀକ୍ଷାମୂଳକ ଭାବେ ଦେଓଗାଁ ଗୌଡ଼ଗୋଠ ପେକ୍ସକୁ ଅନୁଧ୍ୟାନ କରାଯିବାରୁ ଚଳିତ ବର୍ଷ ଅନିୟମିତତା ହେବା ଜଳ ଜଳ ଦିଶୁଛି। ବ୍ଲକ୍‌ର ସବୁଠାରୁ ଅଧିକ ରବି ଧାନ ଉତ୍ପାଦନ ହେଉଥିବା ଗୌଡ଼ଗୋଠ ପେକ୍ସରେ ଚଳିତ ବର୍ଷ ୧୯୩ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୪୫ଟି ଟୋକନ ଆସିଛି। ସେହିପରି ଟାର୍ଗେଟ ଆସିଛି ମାତ୍ର ୮୫୦ କ୍ବିଣ୍ଟାଲ। କେବଳ ଗୌଡ଼ଗୋଠ ପେକ୍ସରେ ଚଳିତ ବର୍ଷ ୧୦ ହଜାର କ୍ବିଣ୍ଟାଲରୁ ଅଧିକ ଧାନ ବିକ୍ରି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୮୫୦ କୁଇଣ୍ଟାଲ ଟାର୍ଗେଟ ଆସିଲେ କେତେ ଦିନରେ ଧାନ ବିକି ପାରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।