ସୋନପୁର : କୋଭିଡ୍ କଟକଣା ନିୟମ ପାଳନ କରାଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ରବିଧାନ କ୍ରୟ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରବିଧାନ କ୍ରୟ ମେ’ ୧୭ ତାରିଖରୁ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ରରେ କୋଭିଡ୍ ନିୟମାବଳୀ ପାଳନ କରାଯାଇ ଧାନ କ୍ରୟ କରାଯିବାକୁ ସ୍ଥିର ହୋଇଥିଲା। ଏଥିରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଜିଲ୍ଲାରେ ରବିଧାନ କିପରି ଚାଷୀମାନେ ସୁଚାରୁରୂପେ ବିକ୍ରି କରିପାରିବେ ସେଥିପ୍ରତି ଯତ୍ନବାନ ହେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଚଳିତ ରବି ଧାନ କ୍ରୟ ଜିଲ୍ଲାର ୫୮ଟି ପେକ୍ସ ଏବଂ ୩୮ଟି ମହିଳା ମହିଳା ଏସ୍ଏଚ୍ଜି ଦ୍ବାରା କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏଥିରେ ବିନିକା ବ୍ଲକ୍ର ୧୦ଟି ପେକ୍ସ, ୮ଟି ମହିଳା ଏସ୍ଏଚ୍ଜି ଓ କମିରା, ବିଶାଲପାଲି ଓ ଜୁଲୁଣ୍ଡା ଅତିରିକ୍ତ ଧାନ କ୍ରୟ କେନ୍ଦ୍ର, ଡୁଙ୍ଗୁରିପାଲି ବ୍ଲକ୍ରେ ୧୨ଟି ପେକ୍ସ, ୧୦ଟି ମହିଳା ଏସ୍ଏଚ୍ଜି ଓ ନାଇକେନପାଲି ଅତିରିକ୍ତ ଧାନ କ୍ରୟ କେନ୍ଦ୍ର, ସୋନପୁର ବ୍ଲକ୍ରେ ୧୦ଟି ପେକ୍ସ ଏବଂ ୨ଟି ମହିଳା ଏସ୍ଏଚ୍ଜି, ତରଭା ବ୍ଲକରେ ୮ଟି ପେକ୍ସ ଓ ୨ଟି ମହିଳା ଏସ୍ଏଚ୍ଜି, ଉଲୁଣ୍ଡା ବ୍ଲକରେ ୮ଟି ପେକ୍ସ, ୧୦ଟି ମହିଳା ଏସ୍ଏଚ୍ଜି ଓ ସହରାପାଲି ଅତିରିକ୍ତ ଧାନ କ୍ରୟ କେନ୍ଦ୍ର, ବୀରମହାରାଜପୁର ବ୍ଲକ୍ରେ ୧୦ଟି ପେକ୍ସ ଏବଂ ୬ଟି ମହିଳା ଏସ୍ଏଚ୍ଜି ଏହିପରି ୧୦୧ଟି କେନ୍ଦ୍ରରେ ରବିଧାନ କ୍ରୟ କରାଯିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ରବିଧାନ ବିକ୍ରୟ କରିବା ପାଇଁ ୩୦ ହଜାର ୨୨ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ମାର୍କେଟ୍ୟାର୍ଡ ଓ ପେକ୍ସ ସପ୍ତାହକୁ ରବିବାର ଛାଡ଼ି ୬ ଦିନ ଖୋଲା ରହିବ। ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ଏବଂ ଗ୍ରେଡ-ଏ ଧାନ କ୍ବିଣ୍ଟାଲ ପିଛା ୧୮୮୮ ଟଙ୍କା ଏମ୍ଏସ୍ପି ରଖାଯାଇଛି।
ଧାନ କ୍ରୟ କେନ୍ଦ୍ର ଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିୟନ୍ତ୍ରିତ ବଜାର କମିଟିକୁ ପରାମର୍ଶ ଦିଆଯାଇଥିଲା। ଧାନ କ୍ରୟ ସମୟରେ ସାମଜିକ ଦୂରତା ପାଳନ ସୁନିଶ୍ଚିତ କରିବା ଏବଂ ଆବଶ୍ୟକ ସାନିଟାଇଜର ଏବଂ ହ୍ୟାଣ୍ଡୱାସ ଯୋଗାଇବକାକୁ ଏଆର୍ସିଏସ ସୋନପୁର, ଏଆର୍ସିଏସ ବୀରମହାରାଜପୁର ଏବଂ ଜିଲ୍ଲା ସଂଯୋଜକ ମିସନ ଶକ୍ତିଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପିଡି ଡିଆର୍ଡିଏ ଡୋଳାମଣି ପଟେଲ, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ସୂପକାର, ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ, ଡୁଙ୍ଗରିପାଲି ନିୟନ୍ତ୍ରିତ ବଜାର କମିଟି ସଂପାଦକ ଉଦିତ ବାବୁ, ବୀରହମହାରାଜପୁର ନିୟନ୍ତ୍ରିତ ବଜାର କମିଟି ସଂପାଦକ କିଶୋର ନାୟକ, ଏସିଏସ୍ଓ ସୁବୋଧ ହୋତା, ଡିଆଇପିଆର୍ଓ ଅଶ୍ବିନୀ ଭୋଇ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଚାଷୀ ପ୍ରତିନିଧି ସଜ୍ଜନ ପଣ୍ଡା, ବୈକୁଣ୍ଠ ଶତପଥୀ ଓ ମିଲର୍ସ ପ୍ରତିନିଧି ଉପସ୍ଥିତ ଥିଲେ।