ମେ ୨୦ରୁ ରବି ଧାନକିଣା; ପଞ୍ଜୀକରଣ କରିଛନ୍ତି ୨୯୮୬ ଚାଷୀ

ବାରିପଦା: ଖରିଫରେ ମୟୂରଭଞ୍ଜ ଜିଲ୍ଲାରୁ ୨୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଠାରୁ ପ୍ରଶାସନ ଧାନ କିଣିଲା ନାହିଁ। ଯଦିଓ ପାଖରେ ଟୋକନ୍‌ ଥିଲା। ତେବେ ଏହାକୁ ନେଇ ଚାଷୀଙ୍କ ମହଲରେ ଥିବା ଅସନ୍ତୋଷ ଏବେ ବି ଶାନ୍ତ ପଡ଼ି ନାହିଁ। ଏଭଳି ସ୍ଥଳେ ରବି ଧାନ ଖର୍ଦି ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାରେ ରବି ଧାନ ବିକ୍ରି ପାଇଁ ୨ ହଜାର ୯୮୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ଆସନ୍ତା ମେ ୨୦ ତାରିଖରୁ ଧାନ କ୍ରୟ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଚାଷୀମାନଙ୍କଠାରୁ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ମୟୂରଭଞ୍ଜ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଧାନର ସହାୟକ ମୂଲ୍ୟ ଯଥାକ୍ରମେ ଏଫ୍ଏକ୍ୟୁ ଗ୍ରେଡ୍‌ ସାଧାରଣ ମାନ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୧୯୪୦ ଟଙ୍କା ଏବଂ ଏଫଏକ୍ୟୁ ଗ୍ରେଡ ‘ଏ’ ମାନ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଧାନ ବିକ୍ରୟ ନିମନ୍ତେ ଚାଷୀମାନେ ପଞ୍ଜିକୃତ କରିଥିବା ନିଜର ପରିଚୟପତ୍ର ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି। ଚାଷୀମାନଙ୍କ ପାଖକୁ ବିକ୍ରୟ ଧାନର ସହାୟକ ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଦାନ କରାଯିବ। ଏଥିପାଇଁ ନିର୍ଦ୍ଧାରିତ ଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ଗୁରୁତ୍ୱାରୋପ କରିଛନ୍ତି। ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ତାରପୋଲିନ ସେଡ୍, କ୍ୟାପ୍‌ଷ୍ଟୋରେଜ୍‌ ଓ ଧାନର ମାନ ଓ ଗୁଣବତ୍ତା ପରୀକ୍ଷା ପାଇଁ ଆବଶ୍ୟକ ବୈଦ୍ୟୁତିକ ଓଜନ ମାପ ଯନ୍ତ୍ର, ଆଇରିସ୍‌ ସ୍କାନର ସହ ଚାଷୀମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଶ୍ରାମସ୍ଥଳ, ଶୌଚାଳୟ ଆଦି ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଆର୍ଏମ୍‌ସି ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶାବଳୀ ଅନୁସାରେ ଧାନ ସଂଗ୍ରହ ମଣ୍ଡିରେ କିଣା ଯାଇଥିବା ଧାନବସ୍ତା ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ ଉଠାଇ ନେବାକୁ ସମସ୍ତ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୋରଡ଼ା ବିଧାୟକ ରାଜକିଶୋର ଦାସ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, କରଞ୍ଜିଆ ବିଧାୟିକ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଦ୍ୟାନଦେଓ, ଖିଲାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ମୟୂରଭଞ୍ଜ ପି ଅ‌ନ୍ବେଷା ରେଡ୍ଡୀ, ବାରିପଦା ଉପ-ଜିଲ୍ଲାପାଳ ଅନ୍ୟା ଦାସ, ଉଦଳା ଉପ-ଜିଲ୍ଲାପାଳ ଭଗବାନ ବେହେରା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସମବାୟ ସମିତି ନିବନ୍ଧକ ଦମୟନ୍ତୀ ସିଂ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବୀନ୍ଦ୍ର କୁମାର ଖଟୁଆ ପ୍ରମୁଖଙ୍କ ସହ ଜିଲ୍ଲାର ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ, ମିଲର ଓ ଚାଷୀ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର