କଟକ: ବିପ୍ଲବୀ କବି ରବି ସିଂଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂ ଗତ ୫ ଦିନଧରି କଟକର ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ତିନି ଦିନ ତଳେ ଘରକୁ ଫେରିଥିଲେ । ତେବେ ଆଜି ସକାଳେ ହଠାତ ଅସୁସ୍ଥ ହୋଇପଡ଼ି ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ରବି ସିଂ ୧୯୬୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଇଚ୍ଛା ଅନୁଯାୟୀ ସ୍ବର୍ଗତଃ ରବି ସିଂଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାଠାରେ କରାଯିବ ବୋଲି ତାଙ୍କର ପୁତ୍ର ଚନ୍ଦ୍ରଜିତ ସିଂ ସୂଚନା ଦେଇଛନ୍ତି।
ସ୍ବର୍ଗତଃ ରବି ସିଂଙ୍କର ପୂରା ନାଆଁ ରବୀନ୍ଦ୍ର ନାଥ ସିଂହ। ୧୯୩୫ ମସିହା ଫେବୃଆରୀ ୧୮ ତାରିଖରେ ସେ ଜଗତସିଂହପୁରର ନବାପାଟଣାରେ ଜନ୍ମଗ୍ରହଣ କରିଥିଲେ । ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ ଓ ମନମୋହନ ମିଶ୍ରଙ୍କ ସାମ୍ୟବାଦୀ ଚେତନାଧାରାର ଉତ୍ତର ସାଧକ ଭାବରେ ସେ ଓଡ଼ିଆ ସାହିତ୍ୟରେ ସୁପ୍ରତିଷ୍ଠିତ। ଗତ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ତାଙ୍କର ସାହିତ୍ୟ ସାଧନା ଆରମ୍ଭ। କିନ୍ତୁ କବିତାରୁ ନୁହେଁ, ଗଳ୍ପରଚନାରୁ ହିଁ ସେ ଆରମ୍ଭ କରନ୍ତି ତାଙ୍କର ସୃଜନଧାରା। ପ୍ରଥମେ ଦୁଇଟି ଗଳ୍ପ ସଂକଳନ- ‘ପରାସ୍ତ ସୈନିକ’ ଓ ‘ଚଳନ୍ତିକା’ ଏବଂ ପରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ସଂକଳନ- ‘ପଥପ୍ରାନ୍ତର କବିତା’। ତାଙ୍କର ସାରସ୍ଵତ କୃତିତ୍ବ ଭିତରେ ରହିଛି ୩୪ରୁ ଊର୍ଦ୍ଧ୍ଵ କବିତା ପୁସ୍ତକ ସହିତ ତିନି ଭାଗରେ ପ୍ରକାଶିତ ଆତ୍ମଜୀବନୀ ଏବଂ ସାହିତ୍ୟ, ସଂସ୍କୃତି ଓ ରାଜନୀତି ସଂପର୍କିତ ଅନେକ ଗଦ୍ୟ ରଚନା। ତାଙ୍କର କବିତା ସଙ୍କଳନ ମଧ୍ୟରେ ‘ପଥପ୍ରାନ୍ତର କବିତା’, ‘କ୍ଷତ’, ‘ବିଷବାଣୀ’, ‘ଭଙ୍ଗା ହାତର କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ସର୍ବହରା’ ଆଦି ବେଶ୍ ଜନପ୍ରିୟ।
ତାଙ୍କ ବିୟୋଗରେ ଖ୍ୟାତନାମା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ଡକ୍ଟର ବିଜୟାନନ୍ଦ ସିଂହ, ଅମରେଶ ପଟ୍ଟନାୟକ, ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।