ବାଲେଶ୍ବର: ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ହେବାକୁ ଥିବା ସମବାୟ ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ରାଜ୍ୟସ୍ତରୀୟ ସମବାୟ କର୍ମଶାଳା ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମବାୟ ବିଭାଗ ଆନୁକୁଲ୍ୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟାବଳୀ ସମ୍ପର୍କରେ ଓ ଆଗାମୀ ସମବାୟ ନିର୍ବାଚନ ପରିଚାଳନା ପାଇଁ ବିଜେଡି ଦଳ ପକ୍ଷରୁ ରାଜ୍ୟରେ ୭ ଜଣିଆ ସମବାୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରାଯାଇଥିଲା। ଏହି କମିଟିର ସଦସ୍ୟ ଭାବେ ବାଲେଶ୍ବରର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନାମ ଘୋଷଣା କରାଯାଇଛି।

Advertisment

ଅନ୍ୟମାନଙ୍କ ମଧ୍ୟରେ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟ ମୁଖ୍ୟ ସଂଯୋଜକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମୁଖ୍ୟ ପରାମର୍ଶ ଦାତା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ, ବିକ୍ରମ ପଣ୍ତା ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ସଦସ୍ୟ ଭାବେ ମନୋନିତ କରାଯାଇଥିବା ସୂଚନା ଦିଆଯାଇଛି। ରାଜ୍ୟସ୍ତରୀୟ କମିଟି ସହ ଜୋନସ୍ତରୀୟ କମିଟି ଓ ଜିଲ୍ଲାସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି। ୩୦ଟି ଜିଲ୍ଲାକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝରକୁ ନେଇ ନର୍ଥ ଜୋନ ଘୋଷଣା କରାଯାଇଛି। ଆଗାମୀ ସମବାୟ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ, ସେ ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ପ୍ରତାପ ଜେନା, ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବହୁ ବିଧାୟକ ଓ ବିଜେଡି ଜିଲ୍ଲାସ୍ତରୀୟ ସମବାୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଏହି ଅବସରରେ ବାଲେଶ୍ବର ଜିଲ୍ଲାରେ ସମବାୟ ନିର୍ବାଚନ ପରିଚାଳନା ପାଇଁ ବିଜେଡି ପକ୍ଷରୁ ଅଜୟ ସାମଲ, ମାନସ କୁମାର ଜେନା, ଶ୍ୟାମସୁନ୍ଦର ବେହେରା ଓ ଗିରୀଶ ଚନ୍ଦ୍ର ଦାଶଙ୍କୁ ନେଇ ଏକ ୪ ଜଣିଆ କମିଟି ଘୋଷଣା ହୋଇଛି। ଏହି ଦୁଇଟି ପର୍ଯ୍ୟାୟ ନିର୍ବାଚନ ସମ୍ପର୍କରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ସମବାୟ କ୍ଷେତ୍ରରେ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକୁ ସମିତି ସଭ୍ୟ ସଭ୍ୟାଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି।