ପୁରୀ/ପିପିଲି : ପିପିଲିରେ ପୁଣି ଏକ ରାଜନୈତିକ ହିଂସାକାଣ୍ଡ ଘଟିଛି। ଜଣେ ବ୍ୟକ୍ତିଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏକ ପୋଖରୀରୁ ମୃତଦେହ ଉଦ୍ଧାର କରିବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି।
ମୃତ ବ୍ୟକ୍ତି ହେଲେ, ପିପିଲି ଥାନା ପୋଡ଼ଙ୍ଗ ଗାଁର ରବୀନ୍ଦ୍ର ସେଠୀ। ଅଭିଯୋଗ ଅନୁସାରେ, ରବୀନ୍ଦ୍ର ହେଉଛନ୍ତି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ। ଗତ ୧୬ ତାରିଖ ଦିନ ରବୀନ୍ଦ୍ର ନିଜ ଘର ନିକଟରେ ଦଳୀୟ ପତାକା ଲଗାଇଥିଲେ। କିଛି ପୋଷ୍ଟର ଓ ବ୍ୟାନର୍ ମଧ୍ୟ ଆଣିଥିଲେ। ଫଳରେ, ସେ ବିରୋଧୀ ପକ୍ଷର ଆକ୍ରୋଶର ଶିକାର ହୋଇଥିଲେ।
ଏହାପରେ ଗତ ୧୯ ତାରିଖ ଦିନ ରବୀନ୍ଦ୍ର ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ନପାଇବାରୁ ୧୯ ତାରିଖରେ ସାତଶଙ୍ଖ ଫାଣ୍ଡିରେ ଏତଲା ଦେଇଥିଲେ। ସେହି ଏତଲାରେ ତାଙ୍କ ପତ୍ନୀ ଅଞ୍ଜନା ଦର୍ଶାଇଥିଲେ ଯେ, ରବୀନ୍ଦ୍ର ଶୌଚ ପାଇଁ ଯାଉଥିବା କହି ୧୬ ତାରିଖ ରାତି ୧୦ଟାରେ ଘରୁ ବାହାରକୁ ଯାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଆଉ ଫେରିନାହାନ୍ତି। ରବୀନ୍ଦ୍ର ବିଲ ଆଡ଼କୁ ଯିବା ବେଳେ ତାଙ୍କ ପଛରେ ଗାଁର ୩ ଜଣ ଲୋକ ଯାଇଥିଲେ। ଯେଉଁ ଲୋକମାନଙ୍କର ରବୀନ୍ଦ୍ରଙ୍କ ସହ ପୂର୍ବରୁ ରାଜନୈତିକ ଶତ୍ରୁତା ରହିଥିଲା। ତାଙ୍କୁ ଅପହରଣ କରାଯାଇଛି କିମ୍ବା ହତ୍ୟା କରି ଦିଆଯାଇଛି ବୋଲି ସେ ଏତଲାରେ ଦର୍ଶାଇଥିଲେ।
ଆଜି ହଠାତ୍ ପୋଖରୀ ଭିତରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଥିଲା। ଏହାପରେ ପୁଲିସ୍ ତନାଘନା ଆରମ୍ଭ କରିଥିଲା। ଘଟଣାରେ ସଂପୃକ୍ତ ଦୁଇ ଭାଇ ରାଜୀବ ବେହେରା (୨୯) ଓ ଭଜିଆ ବେହେରା (୨୧) କୁ ଗିରଫ କରିବା ସହ ତାଙ୍କ ବାପା ରାମ ବେହେରାଙ୍କୁ ଅଟକ ରଖିଛି। ଏ ନେଇ ପିପିଲି ଥାନା କେସ୍ ନଂ ୯୧/୧୮ରେ ମାମଲା ରୁଜୁ କରିଛି ପୁଲିସ।
ଅଭିଯୁକ୍ତମାନେ ରବୀନ୍ଦ୍ରଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଦଳଭର୍ତ୍ତି ପୋଖରୀରେ ପୋତି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଅଭିଯୁକ୍ତମାନଙ୍କ ସମ୍ପର୍କରେ ଏସ୍ଡିପିଓ କହିଛନ୍ତି, ପୁଲିସ ତଦନ୍ତ ଜାରି ରହିଛି। ଖୁବ୍ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।
ତେବେ, ପୁଲିସ ପକ୍ଷପାତିତା କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।