ମାଟି ମାଆର ମୋହ: ପୁଲିସ ଅଫିସର ଚାକିରି ଛାଡ଼ି ସମିତିସଭ୍ୟ ପ୍ରାର୍ଥୀ ହେଲେ ରବିଶଙ୍କର  

ଗୁଣପୁର: ୨୦୧୯ରେ ବିଧାୟକ ଟିକେଟ୍ ପାଇଁ ଆଶାୟୀ ଥିଲେ। ସଫଳ ହେଲେନି। ଏବେ ସମିତିସଭ୍ୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ରାମନାଗୁଡ଼ା ବ୍ଲକରେ ବିକାଶର ମଙ୍ଗ ଧରିବାକୁ ଇଚ୍ଛା ରଖିଛନ୍ତି। ମାଟି ମାଆର ସେବା ଓ ବିକାଶ ପାଇଁ ପୁଲିସ୍ ଅଫିସର ଚାକିରି ଛାଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଛନ୍ତି ଆଦିବାସୀ ଯୁବକ ରବିଶଙ୍କର ଗମାଙ୍ଗ। ରାମନାଗୁଡ଼ା ବ୍ଲକର ଉକମ୍ବା ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ରବି ନାମାଙ୍କନ ଦାଖଲ କରିଛନ୍ତି। ୩ ବର୍ଷ ହେଲା ଚାକିରି ଛାଡ଼ି ଅଞ୍ଚଳର ବିକାଶ ପଛରେ ପଡ଼ିଥିବା ରବି ଶଙ୍କର ନିର୍ବାଚନରେ ବିଜୟୀ ହେଲେ ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଯୋଜନା ତୃଣମୂଳସ୍ତରର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

୨୦୦୬ ମସିହାରେ ରବିଶଙ୍କର ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହା ପରେ ୨୦୧୦ ମସିହାରେ ଲୋକଙ୍କ ସେବା କରିବା ଆଶା ନେଇ ପୁଲିସ୍ ବିଭାଗରେ ଯୋଗଦେଇଥିଲେ। ୭ ବର୍ଷ ଏସଆଇ ଭାବେ କାମ କରିବା ପରେ ୨୦୧୭ ମସିହାରେ ରାଉରକେଲା ଓଏସଏପି ବାଟାଲିୟନର ଇନସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। କିନ୍ତୁ ମାଟି ମାଆର ମୋହ ଓ ସେବା କରିବାର ଇଚ୍ଛା ତାଙ୍କୁ ଚାକିରି ଜୀବନରୁ ଦୂରେଇ ଆଣିଥିଲା। ୨୦୧୮ରେ ରବିଶଙ୍କର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରବି ଦଳରେ ଯୋଗଦେବା ପରେ ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ଗୁଣପୁର ଆସନରୁ ନିର୍ବାଚନ ଲଢ଼ିବାକୁ ଲବି ଚଲାଇଥିଲେ। ହେଲେ ବିଜେପି ରବିଙ୍କ ବଦଳରେ ଶିଶିର ଗମାଙ୍ଗଙ୍କୁ ଟିକେଟ୍ ଦେଇଥିଲା।

ସାଧାରଣ ନିର୍ବାଚନ ଶେଷ ପରେ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ରବି ଶଙ୍କର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ। ଚଳିତ ଥର ରାମନାଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ପଦବି ଅସଂରକ୍ଷିତ ଥିବାରୁ ସମିତିସଭ୍ୟ ଭାବେ ନିର୍ବାଚନକୁ ମଇଦାନକୁ ଓହ୍ଲାଇଛନ୍ତି ରବି ଶଙ୍କର। ରବି ଶଙ୍କରଙ୍କ ଜେଜେ ବାପା ଗୋବର୍ଧନ ଗମାଙ୍ଗ ସ୍ବାଧୀନତା ସଂଗ୍ରାମୀ ଥିଲେ। ଦାଦା ବିଦୁଭୂଷଣ ଗମାଙ୍ଗ ୧୯୯୫ରେ ବିଜେପି ଟିକେଟରେ ଗୁଣପୁର ଆସନରୁ ନିର୍ବାଚନ ଲଢ଼ିଥିଲେ। ସେହିପରି ବଡ଼ ବାପା ନାରାୟଣ ଗମାଙ୍ଗ ଜନତା ଦଳ ଟିକେଟରେ ବିଧାୟକ ଭାବେ ଲଢ଼ିଥିଲେ। ସ୍ବାଧୀନତା ସଂଗ୍ରାମୀ ଓ ରାଜନୈତିକ ପରିବାରରୁ ଆସିଥିବା ରବି ଶଙ୍କର ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର